ପ୍ରମୂଖ ଖବର
  • ୧୨ ଏପ୍ରିଲରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଖୁବ୍‌ଶୀଘ୍ର ବିଜେପିକୁ ମିଳିପାରେ ନୂଆ ରାଜ୍ୟ ସଭାପତି
  • ||
  • ଭୁବନେଶ୍ୱର ଏୟାରପୋର୍ଟରୁ ବନ୍ୟଜନ୍ତୁ ଉଦ୍ଧାର, ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ
  • ||
  • ୨ବର୍ଷ ଭିତରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ: ଆଇନ୍‌ମନ୍ତ୍ରୀ
  • ||
  • ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଫର୍ଚୁନର, ୩ ଯୁବତୀ ଆହତ
  • ||
  • ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,ଏକାଥରକେ ୧୬ରୁ ଅଧିକ ମାଓବାଦୀ ସଫା
  • ||
  • ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ା
  • ||
  • ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
  • ||
  • ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
  • ||
  • ପିପିଲିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

ଗର୍ଭଧାରଣ ରୋକିବାକୁ ନିଜେ ନେବେ ଇଞ୍ଜେକ୍ସନ୍‌, ଲମ୍ଵା ସମୟ ଯାଏଁ ଦେବ ସୁରକ୍ଷା

Published By : Prameya | March 26, 2025 12:55 PM

ଭୁବନେଶ୍ଵର, ୨୬/୦୩ : ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାର ଇଞ୍ଜେକ୍ସନ୍‌ ପ୍ରସ୍ତୁତ କରିଛନ୍ତି । ଏହା ଗର୍ଭଧାରଣରୁ ଲମ୍ବା ସମୟ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବ । ଏଥିପାଇଁ ଅନ୍ୟ ଚିକିତ୍ସା ପ୍ରକ୍ରିୟା କିମ୍ବା ଔଷଧ ଆବଶ୍ୟକ ହେବ ନାହିଁ । ଏହି ଇଞ୍ଜେକ୍ସନ୍‌କୁ ମହିଳାମାନେ ନିଜେ ଉପଯୋଗ କରିପାରିବେ । ଏଥିରେ ସୂକ୍ଷ୍ମ ସ୍ଫଟିକ ରହିଛି, ଯାହା ତ୍ୱଚା ଭିତରେ ଏକତ୍ର ହୋଇ ପ୍ରଜନନ ପାଇଁ ସୃଷ୍ଟି କରୁଥିବା ହର୍‌ମୋନ ଉତ୍ପନ୍ନ କରିବାରୁ ମହିଳାଙ୍କୁ ଅଟକାଇଥାଏ । 

ବର୍ତ୍ତମାନ ଉପଯୋଗ ହେଉଥିବା ଗର୍ଭନିରୋଧକ ଉପକରଣ ଅନେକ ବର୍ଷ ଧରି କାମ କରୁଛି । କିନ୍ତୁ ଡାକ୍ତରଙ୍କ ଦ୍ୱାରା ସର୍ଜରି ପ୍ରକ୍ରିୟା ମାଧ୍ୟମରେ ଏହାକୁ ମହିଳାଙ୍କ ଶରୀର ଭିତରେ ଲଗାଇବାକୁ ପଡୁଛି । ସେହିପରି ଗର୍ଭନିରୋଧକ ଇଞ୍ଜେକ୍ସନ୍‌ ମଧ୍ୟ ମାତ୍ର ୩ ମାସ ପାଇଁ ଗର୍ଭଧାରଣକୁ ଅଟକାଇ ପାରୁଛି । କିନ୍ତୁ ନୂଆ ଇଞ୍ଜେକ୍ସନ୍‌ ଉଭୟ ସମସ୍ୟାର ସମାଧାନ କରିବାରେ ସକ୍ଷମ । ଯଦିଓ ଏହାକୁ ମଣିଷଠାରେ ପରୀକ୍ଷା କରାଯାଇ ନାହିଁ, ଏହାର ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି । 

ନେଚର୍‌ କେମିକାଲ ଇଞ୍ଜିନିୟରିଂ ପତ୍ରିକାରେ ଅଧ୍ୟୟନଟି ପ୍ରକାଶ ପାଇଛି । ଇଞ୍ଜେକ୍ସନ୍‌ର ନାଁ ସ୍ଲିମ୍‌ । ଏହି ଇଞ୍ଜେକ୍ସନ୍‌ର ଔଷଧକୁ ମୂଷାଙ୍କଠାରେ ପରୀକ୍ଷା କରାଯାଇଥିଲା, ଯାହା ଅତିକମ୍‌ରେ ୯୭ ଦିନ ଧରି ତିଷ୍ଠିଲା । ଆହୁରି ଅଧିକ ସମୟ ପର୍ଯ୍ୟନ୍ତ ଏହାର ସାମର୍ଥ୍ୟ ଥିଲା ବୋଲି ବୈଜ୍ଞାନିକମାନେ ଦାବି କରୁଛନ୍ତି । ଗର୍ଭନିରୋଧକ ଭାବେ ପ୍ରୟୋଗରେ ‘ସ୍ଲିମ୍‌’ର (ସେଲ୍‌ଫ-ଆଗ୍ରିଗେସନ୍‌ ଲଙ୍ଗ୍‌-ଆକ୍ଟିଂ ଇଞ୍ଜେକ୍ଟେବଲ୍‌ ମାଇକ୍ରୋକ୍ରିଷ୍ଟାଲ୍‌ସ) ଦୀର୍ଘକାଳୀନ ଔଷଧ ଉତ୍ପନ୍ନ ସାମର୍ଥ୍ୟ ବର୍ତ୍ତମାନର ସ୍ୱୟଂ-ପରିଚାଳିତ ବିକଳ୍ପଗୁଡ଼ିକର ସାମର୍ଥ୍ୟ ତୁଳନାରେ ଅଧିକ ଥିଲା । ଅଧ୍ୟୟନର ସହ-ଲେଖକ ଡା. ଜିଓଭାନି ଟ୍ରାଭର୍ସୋ କହିଛନ୍ତି, ମହିଳା ଘରେ ରହି କିଭଳି ସହଜରେ ଏହି ଇଞ୍ଜେକ୍ସନ୍‌କୁ ନେଇପାରିବେ, ତା’ର ସମାଧାନ କରିବା ସେମାନଙ୍କ ପାଇଁ ମୁଖ୍ୟ ଆହ୍ୱାନ ଥିଲା । ଛୋଟ ଛୁଞ୍ଚି ବ୍ୟବହାର କରି ରୋଗୀଙ୍କୁ ଆରାମ ପହଞ୍ଚାଇବାର ମାର୍ଗ ଖୋଜିବା ବି ଚାଲେଞ୍ଜ୍‌ ଥିଲା, ଯାହା ସାଧାରଣତଃ ଯନ୍ତ୍ରଣା କିମ୍ବା ରକ୍ତସ୍ରାବର କାରଣ ହୋଇଥାଏ । 

ସ୍ୱଳ୍ପ ସାଧନ ପାଉଥିବା ଲୋକଙ୍କ ପାଇଁ ଦୈନିକ ଔଷଧ ଖାଇବା କିମ୍ବା ଶରୀରରେ ଗର୍ଭନିରୋଧକ ଉପକରଣ ଫିଟ୍‌ କରିବା ସମ୍ଭବ ନ ଥିବାବେଳେ ଏହି ଉଦ୍ଭାବନର ଉତ୍ତମ ବିକଳ୍ପ ହେବାରେ ସାମର୍ଥ୍ୟ ରହିଛି ବୋଲି ଟ୍ରାଭର୍ସୋ କହିଛନ୍ତି । ସ୍ଲିମ୍‌ ଇଞ୍ଜେକ୍ସନ୍‌ ବର୍ତ୍ତମାନର ପରିବାର ନିୟୋଜନ ବିକଳ୍ପରେ ମହିଳାଙ୍କ ପାଇଁ ନୂଆ ବିକଳ୍ପ ହୋଇପାରେ । ଖାସ୍‌କରି ସୀମିତ ସଂସାଧନ ଓ ସୀମିତ ସ୍ୱାସ୍ଥ୍ୟସେବା ସୁବିଧା ପାଉଥିବା ଲୋକଙ୍କ ପାଇଁ ଏହା ସହାୟକ ହେବ । ଏଚ୍‌ଆଇଭି, ଯକ୍ଷ୍ମା, ସ୍କିଜୋଫ୍ରେନିଆ, ପୁରୁଣା ଯନ୍ତ୍ରଣା ଓ ମେଟାବଲିକ୍‌ ରୋଗ ଭଳି ଦୀର୍ଘକାଳୀନ ପ୍ରଭାବ ଆବଶ୍ୟକ କରୁଥିବା ଅନ୍ୟ ଔଷଧ ପାଇଁ ମଧ୍ୟ ଏହି ଇଞ୍ଜେକ୍ସନ୍‌କୁ ବ୍ୟବହାର କରାଯାଇ ପାରିବ । ଟ୍ରାଭର୍ସୋ କହିଛନ୍ତି, ଏହା ଅତ୍ୟନ୍ତ ସରଳ ପ୍ରଣାଳୀ । ଏହି ଔଷଧ ମୂଳତଃ ଏକ ଘୋଳ । ଏଥିରେ ଆପଣ ଅଳ୍ପ ବାୟୋରିସୋର୍ବେବଲ ପଲିମର ମିଶାଯାଇ ପାରିବେ । ସଫଳତା ପରେ ମଣିଷଙ୍କଠାରେ ଇଞ୍ଜେକ୍ସନ୍‌ର ପ୍ରଭାବ ଆକଳନ ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତି ଚଳାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.