ଜୟପୁର,୧୮/୦୫: ଚଳିତ ଆଇପିଏଲ୍ର ୫୯ତମ ଲିଗ୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଘରୋଇ ସୱାଇ ମାନସିଂ ଷ୍ଟାଡ଼ିୟମ୍ରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ । ୧୫ ପଏଣ୍ଟ ଅର୍ଜନ କରିସାରିଥିବା ପଞ୍ଜାବ କିଙ୍ଗ୍ସ ଆଜି ବିଜୟ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ । ରାଜସ୍ଥାନ ରୟାଲ୍ସ ପ୍ଲେ- ଅଫ୍ ଦୌଡ଼ରୁ ବାଦ ପଡ଼ି ସାରିଛି । ତଥାପି ଘରୋଇ ସମର୍ଥକଙ୍କ ଆଶା ପୂରଣ କରିବା ପାଇଁ ସବୁ ଶକ୍ତି ଲଗାଇବ ।
୩ ସପ୍ତାହର ବିଶ୍ରାମ ପରେ ସଞ୍ଜୁ ସାମସନ ଫିଟ୍ ହୋଇ ଫେରିଛନ୍ତି । ସେ ଆଜି ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ନେବେ । ମାତ୍ର ଓପନ୍ କରିବା ସମ୍ଭାବନା ନାହିଁ । ସାମସନଙ୍କ ଅନୁପସ୍ଥିତିରେ ୧୪ବର୍ଷିୟ ବୈଭବ ସୂର୍ଯ୍ୟବଂଶୀ ଦମ୍ଦାର ବ୍ୟାଟିଂ କରିଛନ୍ତି । ତେଣୁ ସେ ଓ ଯଶସ୍ୱୀ ଜୈସ୍ୱାଲ୍ ପାଳି ଆରମ୍ଭ କରିବା ନିଶ୍ଚିତ । ସାମସନ ୩ନଂ ସ୍ଥାନରେ ଓ ରିୟାନ ପରାଗ ୪ନଂ ସ୍ଥାନରେ ବ୍ୟାଟିଂ କରିବେ । ରାଜସ୍ଥାନ ରୟାଲ୍ସ ପେସ୍ ବୋଲର ଜୋଫ୍ରା ଆର୍ଚର ଆହତ ହୋଇ ବାଦ ପଡ଼ିଥିବାରୁ ତାଙ୍କ ସ୍ଥାନରେ ନାନ୍ଦ୍ରେ ବର୍ଗରଙ୍କୁ ଏକାଦଶରେ ସ୍ଥାନ ମିଳିବ ।
ପଞ୍ଜାବ କିଙ୍ଗ୍ସ ଦଳରେ ମଧ୍ୟ ପରିବର୍ତ୍ତନ ହେବ । ଜୋସ ଇଂଲିଶ ଓ ମାର୍କସ ଷ୍ଟଇନିସ୍ ଭାରତ ଫେରି ନାହାନ୍ତି । ତେଣୁ ପଞ୍ଜାବ କିଙ୍ଗ୍ସ ଆଜି ଇଂଲିଶଙ୍କ ସ୍ଥାନରେ ମିଚେଲ ଓଏନ ଓ ଷ୍ଟଇନିସଙ୍କ ସ୍ଥାନରେ କେଲି ଜାମିସନଙ୍କୁ ଖେଳାଇବା ଏକ ପ୍ରକାର ନିଶ୍ଚିତ । ଓଏନ ଓପନର ହୋଇଥିଲେ ହେଁ ମଧ୍ୟ କ୍ରମରେ ବ୍ୟାଟିଂ କରିବେ । ପ୍ରଭସିମରନ ଓ ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ଗଠିତ ଓପନିଂ ବିଭାଗ ପରିବର୍ତ୍ତନ କରିବାକୁ ପଞ୍ଜାବ କିଙ୍ଗ୍ସ ଚାହୁଁନାହିଁ । ଏହି ଯୋଡ଼ି ଚଳିତ ଟୁର୍ଣ୍ଣାମେଣ୍ଟରେ ୫୩୪ ରନ୍ର ଭାଗିଦାରୀ ଗଠନ କରିସାରିଛନ୍ତି ।
ଆଜି ଜୈସ୍ୱାଲ ଓ ଆର୍ଯ୍ୟଙ୍କ ବ୍ୟାଟିଂ ଉପରେ ଦର୍ଶକଙ୍କ ନଜର ରହିବ । ଉଭୟ ପାୱାର ପ୍ଲେ’ରେ ଯଥାକ୍ରମେ ୧୯ ଓ ୧୬ଟି ଲେଖାଏଁ ଛକା ମାରିଛନ୍ତି । ପାୱାର ପ୍ଲେ’ରେ ଆର୍ଯ୍ୟଙ୍କ ଷ୍ଟ୍ରାଇକ ରେଟ୍ ସର୍ବାଧିକ ୧୮୯ ରହିଛି ।
ସୱାଇ ମାନସିଂ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଛି । ପୂର୍ବରୁ କିଛି ମ୍ୟାଚ୍ ଖେଳ ହୋଇସାରିଥିବାରୁ ଆଜି ପିଚ୍ ସାମାନ୍ୟ ମନ୍ଥର ହେବ । ସ୍ପିନରମାନେ ପିଚ୍ର ଫାଇଦା ଉଠାଇବେ । ଦିନ ବେଳା ସ୍ଥାନୀୟ ତାପମାତ୍ରା ୪୨%ରେ ପହଞ୍ଚି ଯିବ । ତେଣୁ ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦ୍ୱାଦଶ
ରାଜସ୍ଥାନ ରୟାଲ୍ସ :- ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ୍, ସଞ୍ଜୁ ସାମସନ (ଅଧିନାୟକ), ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ ହେତମାୟର, ଶୁଭମ ଦୁବେ, ୱାନିଣ୍ଡୁ ହସରଙ୍ଗା, ମହୀଶ ତୀକ୍ଷଣା, ତୁଷାର ଦେଶପାଣ୍ଡେ, ନାନ୍ଦ୍ରେ ବର୍ଗର, ଆକାଶ ମଧୱାଲ ।
ପଞ୍ଜାବ କିଙ୍ଗ୍ସ :- ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଶ୍ରେୟାସ ଆୟର (ଅଧିନାୟକ), ମିଚେଲ ଓଏନ, ନେହାଲ ୱଧେରା, ଅଜମତୁଲ୍ଲା ଓମାରଜାଇ, ଶଶାଙ୍କ ସିଂହ, ହରପ୍ରୀତ ବ୍ରାର, ମାର୍କୋ ଜାନସେନ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ, କେଲି ଜାମିସନ ।