ଦୋହା,୧୭/୦୫: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା ଭାରତୀୟ ଜାଭେଲିନ ଥ୍ରୋରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ୯୦ ମିଟର ଥ୍ରୋ କ୍ଲବ୍ରେ ସାମିଲ ହୋଇଛନ୍ତି । ଆଜି ଦୋହା ଡାଏମଣ୍ଡ ଲିଗ୍ରେ ସେ ସିଜନ ଆରମ୍ଭ କରିଥିଲେ । ନିଜର ତୃତୀୟ ପ୍ରୟାସରେ ୯୦.୨୩ ମିଟର ଥ୍ରୋ କରିଥିଲେ । ଏହା ତାଙ୍କ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଏଥିସହ ନୀରଜ ନିଜର ପୂର୍ବ ଜାତୀୟ ରେକର୍ଡ ଭଙ୍ଗ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ ।
ପଞ୍ଚମ ଥ୍ରୋ ପର୍ଯ୍ୟନ୍ତ ନୀରଜ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ଦାବିଦାର ରହିଥିଲେ । ମାତ୍ର ଜର୍ମାନୀର ଜୁଲିଆନ ୱେବର ଷଷ୍ଠ ପ୍ରୟାସରେ ୯୧.୦୬ ମିଟର ଥ୍ରୋ କରି ସ୍ୱର୍ଣ୍ଣ ହାସଲ କରିଥିଲେ । ନୀରଜ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଏବଂ ଜର୍ମାନୀର ଆଣ୍ଡରସନ ପିଟର୍ସ (୮୫.୬୪ ମିଟର) ବ୍ରୋଞ୍ଜ ପଦକ ଜିତିଥିଲେ । ଫାଇନାଲ ତାଲିକାରେ ଥିବା ଦ୍ୱିତୀୟ ଭାରତୀୟ କିଶୋର କୁମାର ଜେନା ଦ୍ୱିତୀୟ ଥ୍ରୋରେ ସିଜନରେ (୭୮.୬୦ ମିଟର) ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଅଷ୍ଟମ ସ୍ଥାନରେ ରହିଥିଲେ । ମୋଟ୍ ୧୧ ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ସାମିଲ ରହିଥିଲେ ।
ନୀରଜ ପ୍ରଥମ ଥ୍ରୋରେ ୮୮.୪୪ ମିଟର ଫିଙ୍ଗିଥିଲେ । ଦ୍ୱିତୀୟ ଥ୍ରୋ ଫାଉଲ ଯାଇଥିଲା । ତୃତୀୟ ପ୍ରୟାସରେ ୯୦ ମିଟର ମାର୍କ ଅତିକ୍ରମ କରିଥିଲେ । ପରବର୍ତ୍ତୀ ୩ଟି ପ୍ରୟାସରେ ଗୋଟିଏ ଫାଉଲ ଥିଲା ଏବଂ ଅନ୍ୟ ୨ଟି ୮୦.୫୬ ଓ ୮୮.୨୦ ମିଟର ଥିଲା । ୱେବର ୮୩.୮୨ ମିଟରରୁ ଥ୍ରୋ ଆରମ୍ଭ କରିଥିଲେ । ପଞ୍ଚମ ପ୍ରୟାସ ପର୍ଯ୍ୟନ୍ତ ସେ ୯୦ ମିଟର ଅତିକ୍ରମ କରିବା ନେଇ ସଂଘର୍ଷ ଜାରି ରଖିଥିଲେ । ଶେଷରେ ଅନ୍ତିମ ଥ୍ରୋରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ସ୍ୱର୍ଣ୍ଣ ଜିତି ନେଇଥିଲେ ।
୨୦୨୦ ଅଲିମ୍ପିକ୍ସରେ ନୀରଜ ୮୭.୫୮ ମିଟର ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ । କିନ୍ତୁ ୨୦୨୪ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ବଜାୟ ରଖିବାରେ ବିଫଳ ହୋଇଥିଲେ । ପାକିସ୍ତାନର ଅର୍ଶଦ ନଦୀମଙ୍କ ସହ ତାଙ୍କର କଡ଼ା ଟକ୍କର ହୋଇଥିଲା ।
ଶେଷରେ ନଦୀମ ୯୨.୯୭ ମିଟର ଥ୍ରୋ କରି ସ୍ୱର୍ଣ୍ଣ ଓ ନୀରଜ ୮୯.୪୫ ମିଟର ସହ ରୌପ୍ୟ ପଦକ ଜିତିଥିଲେ । ୨୦୨୨ ଜୁନ ୩୦ ତାରିଖରେ ସେ ଷ୍ଟକହୋଲ୍ମରେ ୯୦ ମିଟର (୮୯.୯୪) ନିକଟତର ହୋଇଥିଲେ । କିନ୍ତୁ ନୀରଜ ଅଳ୍ପକେ ବଞ୍ଚିତ ହୋଇଥିଲେ ।