ନୂଆଦିଲ୍ଲୀ,୨୬/୦୮: ଆଜି ଜଳାବତରଣ କରିବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ ମଲ୍ଟି ମିସନ ଯୁଦ୍ଧପୋତ ଉଦୟଗିରି (ଏଫ ୩୫) ଓ ହିମଗିରି (ଏଫ ୩୪) । ଦେଶରେ ପ୍ରଥମଥର ପାଇଁ ଦୁଇଟି ସିପୟାର୍ଡରେ ନିର୍ମିତ ହୋଇଥିବା ଭିନ୍ନ ଭିନ୍ନ ଯୁଦ୍ଧପୋତ ଏକାଠି ଜଳାବତରଣ କରାଯାଉଛି । ଏହି ଅବସରରେ ବିଶାଖାପାଟଣାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ ।
ଉଦୟଗିରି ମୁମ୍ବାଇର ମାଝଗାଓଁ ଡକ୍ ୟାର୍ଡରେ ନିର୍ମାଣ କରାଯାଇଥିଲା ବେଳେ ଗତ ଜୁଲାଇ ୧ରେ ଏହାକୁ ନୌସେନାକୁ ହସ୍ତାନ୍ତର କରାଯାଇଥିଲା । ସେହିଭଳି ହିମଗିରିକୁ କୋଲକାତାର ଗାର୍ଡେନ ରିଚ ସିପ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସରେ ନିର୍ମାଣ କରାଯାଇଛି । ପ୍ରୋଜେକ୍ଟ ୧୭ଏ ଅଧୀନରେ ଏହି ଦୁଇଟି ଯୁଦ୍ଧପୋତ ନିର୍ମାଣ କରାଯାଇଛି । ଉଭୟ ଯୁଦ୍ଧପୋତ ଶିବାଲିକ୍ ଶ୍ରେଣୀର ଫ୍ରିଗେଟ । ଏଥିରେ ଅତ୍ୟାଧୁନିକ ସେନ୍ସର, ରାଡାର, ଯୁଦ୍ଧାସ୍ତ୍ର, ଜ୍ଞାନକୌଶଳ ଆଦି ସମାବେଶିତ ହୋଇଛି ।
ଉଦୟଗିରି ଓ ହିମଗିରି ପ୍ରତ୍ୟେକ ଯୁଦ୍ଧପୋତର ଓଜନ ୬,୬୭୦ ଟନ ଓ ଲମ୍ବ ୧୪୯ ମିଟର । ବେଗ ଘଣ୍ଟା ପ୍ରତି ୫୨ କି.ମି । ଥରେ ଇନ୍ଧନ ଭରିବା ପରେ ଏହା ୧୦ ହଜାର କି.ମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହି ଯୁଦ୍ଧପୋତରେ ସି-କିଙ୍ଗ ହେଲିକପ୍ଟର ନିୟୋଜିତ ହୋଇପାରିବ । ଏହି ଯୁଦ୍ଧପୋତ ଶତ୍ରୁପକ୍ଷର ଯୁଦ୍ଧଜାହାଜ ଓ ବୁଡାଜାହାଜକୁ ଖୋଜି ଧ୍ୱଂସ କରିବାରେ ମାହିର । ଏଥିରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ମୁତୟନ କରାଯିବ । ଏଥିରେ ସୋନାର ସିଷ୍ଟମ ରହିଛି, ଯାହାକି ବହୁ ଗଭୀରରେ ରହିଥିବା ଶତ୍ରୁପକ୍ଷର ବୁଡାଜାହାଜକୁ ଠାବ କରି ଧ୍ୱଂସ କରିବାରେ ସକ୍ଷମ ହୋଇପାରିବ । ତା’ଛଡା ଶତ୍ରୁପକ୍ଷର କୌଣସି ମିସାଇଲ, ଡ୍ରୋନ୍କୁ ମଧ୍ୟ ଠାବ କରି ନଷ୍ଟ କରିପାରିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ଦୁଇଟି ଯୁଦ୍ଧପୋତର ଜଳାବତରଣ ପରେ ଭାରତୀୟ ନୌସେନାର କ୍ଷମତା ବୃଦ୍ଧି ପାଇବ । ଉଭୟ ଯୁଦ୍ଧପୋତକୁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ୍ରେ ସାମିଲ କରାଯିବ । ଫଳରେ ଭାରତ ମହାସାଗରରେ କୌଣସି ପ୍ରକାର ଚାଲେଞ୍ଜ୍ର ମୁକାବିଲା କରିବାରେ ନୌସେନାକୁ ସଫଳତା ମିଳିବ । ବିଶେଷକରି ଏହି ଅଞ୍ଚଳରେ ଚୀନ୍ର ଗତିବିଧି ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ତା ଉପରେ ଉଭୟ ଯୁଦ୍ଧପୋତ ତୀକ୍ଷ୍ଣ ନଜର ରଖିପାରିବେ ।