ନୂଆଦିଲ୍ଲୀ: ଫାଇନାଲରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ହରାଇ ପୁରୁଷ ଜୁନିୟର ଏସିଆ କପ୍ ୨୦୨୪ର ଚାମ୍ପିଅନ ହୋଇଛି ଭାରତ । ମସ୍କଟରେ ଖେଳା ଯାଇଥିବା ଫାଇନାଲରେ ଭାରତ ୫-୩ରେ ପାକିସ୍ତାନକୁ ହରାଇ ଏସିଆ କପରେ ଲଗାତାର ତୃତୀୟ ଥର ଲାଗି ଚାମ୍ପିଅନ ହୋଇଛି । ଭାରତ ପକ୍ଷରୁ ଅରିଜିତ ସିଂହ ଦମଦାର ପ୍ରଦର୍ଶନ କରି ଏକାକୀ ୪ଟି ଗୋଲ୍ ଦେଇଥିବା ବେଳେ ଦିଲରାଜ ସିଂହ ଗୋଟିଏ ଗୋଲ୍ ଦେଇଛନ୍ତି । ପାକିସ୍ତାନ ପକ୍ଷରୁ ସୁଫୟାନ ଖାନ ଦୁଇଟି ଓ ହନ୍ନାନ ଶାହିଦ ଗୋଟିଏ ଗୋଲ୍ ସ୍କୋର କରିଛନ୍ତି । ଜୁନିୟର ବିଭାଗରେ ଭାରତର ଏହା ପଞ୍ଚମ ଏସିଆ କପ୍ ଟାଇଟଲ୍ ।
ଫାଇନାଲ୍ ମୁକାବିଲାରେ ପାକିସ୍ତାନ ପ୍ରଥମ ଗୋଲ୍ ସ୍କୋର କରିଥିଲା । ପ୍ରଥମ କ୍ଵାର୍ଟରର ତୃତୀୟ ମିନିଟରେ ହନ୍ନାନ ଶାହିଦ ଗୋଲ୍ ଦେଇ ନିଜ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଏହା ପରେ ପରେ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଭାରତ ପକ୍ଷରୁ ଚତୁର୍ଥ ମିନିଟରେ ଅରିଜିତ ସିଂହ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ଗୋଲରେ ପରିଣତ କରିଥିଲେ । ପ୍ରଥମ କ୍ଵାର୍ଟର ଶେଷ ସୁଦ୍ଧା ମ୍ୟାଚ୍ ୧-୧ରେ ବରାବର ରହିଥିଲା ।
ଭାରତୀୟ ଦଳ ଦ୍ଵିତୀୟ କ୍ଵାର୍ଟରରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ଅରିଜିତ ପୁଣି ଥରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ । ଦ୍ଵିତୀୟ କ୍ଵାର୍ଟରର ୧୯ତମ ମିନିଟରେ ଦିଲରାଜ ସିଂହ ଗୋଲ୍ ଦେବାରୁ ଭାରତ ୩-୧ରେ ଅଗ୍ରଣୀ ରହିଥିଲା । ତେବେ ପାକିସ୍ତାନ ପକ୍ଷରୁ ୩୦ ତମ ମିନିଟରେ ସୁଫିୟାନ ଖାନ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ । ଦ୍ଵିତୀୟ କ୍ଵାର୍ଟର ଖେଳ ସୁଦ୍ଧା ଭାରତ ୩-୨ରେ ଆଗୁଆ ରହିଥିଲା ।
ତୃତୀୟ କ୍ଵାର୍ଟରରେ ସୁଫିୟାନ ୩୯ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ସଫଳ କରିଥିଲେ। ଆଉ ତୃତୀୟ କ୍ଵାର୍ଟର ଖେଳ ଶେଷ ସୁଦ୍ଧା ମ୍ୟାଚ୍ ୩-୩ରେ ବରାବର ସ୍ଥିତିରେ ରହିଥିଲା। କିନ୍ତୁ ଚତୁର୍ଥ କ୍ଵାର୍ଟରରେ ଭାରତର ଅରିଜିତ ୪୭ତମ ମିନିଟରେ ଗୋଲ୍ ଦେଇ ଥିଲେ । ଏହା ପରେ ୫୪ ତମ ମିନିଟରେ ପୁଣି ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇଥିଲେ । ଏହା ପରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫-୩ରେ ହରାଇ ଚାମ୍ପିଅନ ହୋଇଛି ।