ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

ସାଇରନ୍‌ ବାଜିଲେ, ପଦାକୁ ବାହାରିବେନି

Published By : Prameya | May 7, 2025 7:42 AM

ଭୁବନେଶ୍ୱର, ୦୭/୦୫ : ପହଲଗାମରେ ଆତଙ୍କବାଦୀଙ୍କ ନରସଂହାର ପରେ ସାରା ଦେଶ ଏବେ ପ୍ରତିଶୋଧ ନିଆଁରେ ଜଳୁଛି । ପ୍ରାକ୍‌ ଯୁଦ୍ଧ ପ୍ରସ୍ତୁତି ସ୍ୱରୂପ ଆଜିଠୁ ଆରମ୍ଭ ହେଉଛି ‘ସିଭିଲ୍‌ ଡିଫେନ୍ସ ମକ୍‌ଡ୍ରିଲ୍‌’ । ୧୦ ତାରିଖ ଯାଏଁ ଓଡ଼ିଶାର ୧୨ଟି ସମ୍ବେଦନଶୀଳ ସ୍ଥାନରେ ପ୍ରତିରକ୍ଷା ପୂର୍ବାଭ୍ୟାସ ଚାଲିବ । ଏୟାର ରେଡ୍‌ ସାଇରନ୍‌ ଗର୍ଜିବ । ଚର୍ତୁଦିଗ କମ୍ପାଇବ । ସମ୍ଭାବ୍ୟ ଆକାଶମାର୍ଗ ଆକ୍ରମଣ ବେଳେ ଆତ୍ମରକ୍ଷାର କୌଶଳ ଶିଖିବେ ରାଜ୍ୟବାସୀ । ବୋମାବର୍ଷଣରୁ କେମିତି ବର୍ତ୍ତିବେ? ଏନେଇ ସଭିଏଁ ମନରେ ଆଶଙ୍କା ଓ ଉତ୍କଣ୍ଠା ଜାଗିଛି । 

ଅଗ୍ନିଶମ ଡିଆଇଜି ଡ. ଉମାଶଙ୍କର ଦାଶ କହିଛନ୍ତି, ଆଜି ଅପରାହ୍ଣ ୪ଟାରୁ ଅଧଘଣ୍ଟା ଧରି ମକ୍‌ଡ୍ରିଲ ଚାଲିବ । ୧୨ଟି ସମ୍ବେଦନଶୀଳ ସ୍ଥାନରେ ଏୟାର ରେଡ୍‌ ସାଇରନ୍‌ ବାଜିବ । ଗୃହ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ- ୫ ମିନିଟ୍‌ ଧରି ଏହି ସାଇରନ୍‌ ଗର୍ଜିବ । ଚତୁର୍ଦିଗ କମ୍ପାଇବ । ସାଇରନ୍‌ ବାଜିବାର ୫ରୁ ୧୦ ମିନିଟ୍‌ ଭିତରେ ସମସ୍ତେ ସୁରକ୍ଷିତ ସ୍ଥାନକୁ ପଳାଇବେ । କେହି ଖୋଲାରେ ନ ବୁଲି କଂକ୍ରିଟ୍‌ ଛାତ ଘରକୁ ଚାଲିଯିବେ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତିବାସିନ୍ଦାଙ୍କ ପାଇଁ ନିକଟସ୍ଥ ସରକାରୀ ସ୍କୁଲ ଓ ଆଶ୍ରୟସ୍ଥଳ ଭାବେ ଚିହ୍ନଟ କରାଯାଇଛି । ସଭିଏଁ ସେଠାକୁ ଧାଇଁବେ । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳର ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ରହିପାରିବେ । ଯଦି କୌଣସି ବ୍ୟକ୍ତିଙ୍କ ଆଖପାଖରେ କୌଣସି କଂକ୍ରିଟ୍‌ ଛାତ ଘର କିମ୍ବା ଆଶ୍ରୟସ୍ଥଳୀ ନାହିଁ, ତେବେ ଯେଉଁଠି ଅଛନ୍ତି, ସେହିଠାରେ ଅଟକିଯାଇ ୨ ହାତରେ କାନକୁ ଜୋର୍‌ରେ ଚାପି ତଳେ ଶୋଇରହିବେ । ପ୍ରଥମ ସାଇରନ୍‌ ବାଜିବାର ୨୦ମିନିଟ୍‌ରୁ ଅଧଘଣ୍ଟା ପରେ ଆଉ ଥରେ ଲମ୍ବା ସାଇରନ୍‌ ବାଜିବ । ଶତ୍ରୁଦେଶର ଫାଇଟର ବିମାନଗୁଡି଼କ ବୋମାବର୍ଷଣ କରି ଫେରିଯାଉଛି ବୋଲି ଏହି ସାଇରନ୍‌ ସଂକେତ ଦେବ । ଏହି ସାଇରନ୍‌ ଶୁଣିବା ପରେ ସମସ୍ତେ ସୁରକ୍ଷିତ ଭାବେ ପୁଣି ପଦାକୁ ବାହାରି ପାରିବେ । 

ଏହାସହ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି, କେହି ଭୟଭୀତ ହେବେ ନାହିଁ । ଏହା ଏକ ଯୁଦ୍ଧ ପୂର୍ବାଭ୍ୟାସ । ଭୁବନେଶ୍ୱରର କିଛି ବଛା ବଛା ସ୍ଥାନରେ ଏହି ମକ୍‌ଡ୍ରିଲ କରାଯିବ । ସମସ୍ତ ରାଜଧାନୀବାସୀ ଏଥିରେ ଭାଗ ନେବେ ନାହିଁ । ସେମାନେ ଏହି ମକ୍‌ଡ୍ରିଲ୍‌କୁ ଦେଖି ନିଜକୁ ସମ୍ଭାବ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ କରିପାରିବେ । ଟିଭି, ରେଡିଓ ଏବଂ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦେବେ । କୌଣସି ଗୁଜବକୁ ଆଦୌ ଧ୍ୟାନ ଦେବେନି । କେବଳ ସରକାରୀ ଅଧିକାରୀଙ୍କ ସୂଚନା ଉପରେ ଭରସା ରଖିବେ । ପ୍ରଶାସନ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବେ । ବ୍ୟସ୍ତ ବିବ୍ରତ ନହୋଇ ଶାନ୍ତ ରହିବେ । 

୫୪ ବର୍ଷ ପରେ ଯୁଦ୍ଧ ପାଇଁ ସତର୍କତା 

ଇତିହାସ କହୁଛି, ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ପରେ ଆଉ ସାଇରନ୍‌ ବାଜିନାହିଁ । କିମ୍ବା ଏଭଳି ସିଭିଲ ଡିଫେନ୍ସ ମକ୍‌ ଡ୍ରିଲ୍‌ ହୋଇନାହିଁ । ଏହା ପୂର୍ବରୁ ୧୯୬୨ ମସିହାର ଭାରତଚୀନ ଯୁଦ୍ଧରେ ସାଇରନ୍‌ ବ୍ୟବହାର ହୋଇଥିଲା । ୧୯୬୫ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ସହ ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧ ବେଳେ ଜମ୍ମୁ ଓ କଶ୍ମୀରର କିଛି ସମ୍ବେଦନଶୀଳ ଜାଗାରେ ବି ଏଭଳି ସାଇରନ୍‌ ବାଜିଥିଲା । ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସମ୍ଭାବ୍ୟ ଯୁଦ୍ଧକୁ ଆଖିରେ ରଖି ପ୍ରାୟ ୫୪ ବର୍ଷ ପରେ ଏଭଳି ସାଇରନ୍‌ ବାଜିବ । 

ଏୟାର ରେଡ୍‌ ସାଇରନ୍‌ କ’ଣ? 

ଏୟାର ରେଡ୍‌ ସାଇରନ୍‌ ହେଉଛି, ଏହା ଏକ ଆଲାର୍ମ ପ୍ରଣାଳୀ । ଯାହାକି ଯୁଦ୍ଧ ବିଶେଷକରି ଏୟାର ଷ୍ଟ୍ରାଇକ୍‌ ବେଳେ ଲୋକଙ୍କୁ ସଚେତନ ଓ ସତର୍କ କରିବାକୁ ବ୍ୟବହାର କରାଯାଇଥାଏ । ଏହି ସାଇରନ୍‌ର ଶବ୍ଦ ଖୁବ୍‌ ତୀବ୍ର । ଏହା ଅନେକ ଦୂର ଯାଏଁ ଶୁଣାଯାଏ । ଶଦ୍ଦର ତୀବ୍ରତା ୧୨୦ରୁ ୧୪୦ ଡେସିବଲ୍‌ ପର୍ଯ୍ୟନ୍ତ ହୋଇଥାଏ । ଏହା ପ୍ରାୟ ୨ରୁ ୫ କିମି ପର୍ଯ୍ୟନ୍ତ ଲୋକଙ୍କୁ ସତର୍କ କରାଇପାରେ । 

ଦମକଳ କେନ୍ଦ୍ର, ପୁଲିସ ଭ୍ୟାନ୍‌, ଟ୍ରାଫିକ୍‌ ପୋଷ୍ଟରେ ଗର୍ଜିବ ସାଇରନ୍‌ 

କଳ୍ପନା, ବରମୁଣ୍ଡା ଓଫଡ୍ରା, ସଚିବାଳୟ, ଚନ୍ଦ୍ରଶେଖରପୁର, ଜଟଣୀ, ବାଲିଅନ୍ତା, ପାହାଳ, ବାଲିପାଟଣା ଭଳି ସମସ୍ତ ଅଗ୍ନିଶମ କେନ୍ଦ୍ରରେ ଥିବା ସାଇରନ୍‌ ବାଜି ଉଠିବ । ମକ୍‌ଡ୍ରିଲ୍‌ ପାଇଁ ବଛା ଯାଇଥିବା ଜାଗାରେ ସଜାଗ ଥିବା ଦମକଳ ଗାଡି଼ରୁ ମଧ୍ୟ ସାଇରନ୍‌ ଗର୍ଜିବ । ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି) ଅଧୀନରେ ଥିବା ସମସ୍ତ ଥାନା ଓ ପିସିଆର ଭ୍ୟାନ୍‌ ସମେତ ପୁଲିସ ଗାଡି଼ ସାଇରନ୍‌ ବଜାଇବ । ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ଲାଗିଥିବା ମାଇକ୍‌ରୁ ମଧ୍ୟ ସାଇରନ୍‌ ବଜାଇ ସତର୍କ କରାଯିବାକୁ ଯୋଜନା ଚାଲିଛି ।

ବାପୁଜୀ ନଗରରେ ବଡ଼ ଡେମୋ

ଆକାଶମାର୍ଗରୁ ସମ୍ଭାବ୍ୟ ଆକ୍ରମଣ ବେଳେ କେମିତି ସାଧାରଣ ଲୋକେ ନିଜର ଆତ୍ମରକ୍ଷା କରିବେ? ଶତ୍ରୁ ଦେଶ ବିମାନର ବୋମାବର୍ଷଣ ବେଳେ କେଉଁଠି ରହିବେ? ଏନେଇ ବାପୁଜୀ ନଗର, ରାଜମହଲ, ମାଷ୍ଟରକ୍ୟାଣ୍ଟିନ, କଳ୍ପନା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ଛକକୁ ବଛାଯାଇଛି । ଜନପଥ ଓ ଅନ୍ୟ ରାସ୍ତାରେ ପୁଲିସ ଭ୍ୟାନ୍‌ ଓ ଦମକଳ ଗାଡି଼ ଦ୍ୱାରା ସାଇରନ୍‌ ବାଜିଉଠିବ । ଏହାଛଡ଼ା ରାଜମହଲ ଛକରୁ ବାପୁଜୀନଗର ରାସ୍ତାରେ ଏକ ବଡ଼ ଡେମୋ ଦେଖାଇବ ସିଭିଲ୍‌ ଡିଫେନ୍ସ ଓ ଅଗ୍ନିଶମ ବାହିନୀ । ଏକ ନିର୍ଦ୍ଧିଷ୍ଟ ଜାଗାରେ ଶତ୍ରୁ ବିମାନରୁ ବୋମାବର୍ଷଣ ପରେ କ୍ଷୟକ୍ଷତି ହେବା ଭଳି ଏକ ମାହୋଲ ପ୍ରସ୍ତୁତ ହେବ । ସେଠାରେ ଉଦ୍ଧାର ପ୍ରଣାଳୀର ପୂର୍ବାଭ୍ୟାସ କରିବେ ଆଗ୍ନିକ ଓ ସ୍ୱେଚ୍ଛାସେବୀ । ଆହତମାନଙ୍କୁ ହସ୍ପିଟାଲ ନିଆଯିବା ସହ ଭଗ୍ନାବଶେଷରୁ ଆହତଙ୍କୁ ଉଦ୍ଧାର କରାଯିବାର କୌଶଳ ଦେଖାଇବେ । ରାଜମହଲ ଛକରେ ୪ଟି ଦମକଳ ବାହିନୀ ଓ ଏକାଧିକ ସିଭିଲ ଡିଫେନ୍ସ ଦଳ ସଜାଗ ରହିବ । କମିଶନରେଟ ପୁଲିସ, ବିଏମ୍‌ସିର ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ରହିବେ । ଜିଲ୍ଳାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ୱାସନ ସମ୍ମିଳନୀ କକ୍ଷରେ ମକ୍‌ଡ୍ରିଲର ପ୍ରସ୍ତୁତି ବୈଠକରେ ଏନେଇ ଆଲୋଚନା କରାଯାଇଛି । 

ଷ୍ଟେସନରେ ଉଦ୍ଧାର ଅଭିଯାନ

ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ରେଳଷ୍ଟେସନରେ ରେଳବାଇ ସୁରକ୍ଷା ବାହିନୀ (ଆର୍‌ପିଏଫ୍‌) ଏକ ବଡ଼ ରେସ୍କ୍ୟୁ ଅପରେସନର ଡେମୋ ଦେଖାଇବେ । ରେଳଷ୍ଟେସନରେ ସମ୍ଭାବ୍ୟ ଆତଙ୍କୀ ହମ୍‌ଲାର କେମିତି ମୁକାବିଲା କରିବେ? ଆହତ ଯାତ୍ରୀମାନଙ୍କୁ କେମିତି ଉଦ୍ଧାର କରାଯିବ? ଆର୍‌ପିଏଫ୍‌ ସୁରକ୍ଷାକର୍ମୀମାନେ ତାହାର କୌଶଳ ପ୍ରଦର୍ଶନ କରିବେ । 

ଓଫଡ୍ରାରେ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ

ବରମୁଣ୍ଡାସ୍ଥିତ ଓଫଡ୍ରାରେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀମାନେ ସମ୍ଭାବ୍ୟ ଆକାଶମାର୍ଗ ଆକ୍ରମଣ ବେଳେ ଆତ୍ମରକ୍ଷାର କୌଶଳ ପ୍ରଦର୍ଶନ କରାଯାଇଥିଲା । ବୋମା ବର୍ଷଣ ବେଳେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ତଳେ ଶୋଇରହି ନିଜକୁ ବର୍ତ୍ତିବା ନେଇ କୌଶଳ ଶିଖିଥିଲେ । ଅଗ୍ନିଶମ ଡିଆଇଜି ଶ୍ରୀ ଦାଶଙ୍କ ସମେତ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ମହାନ୍ତି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । 

୨ ମାଇଲ୍‌ ଯାଏ ଶୁଭିବ ଶବ୍ଦ

ଅଗ୍ନିଶମ ବାହିନୀ ନିକଟରେ ଡାଇନାମିକାଲି ବାଲାନ୍ସଡ୍‌ ସାଇରନ୍‌ ଅଛି । ଯାହାକି ବିଦ୍ୟୁତ ଦ୍ୱାରା ପରିଚାଳିତ । ୨୨୦/୨୫୦ ଭୋଲ୍ଟ ବିଦ୍ୟୁତଯୁକ୍ତ ଏହି ସାଇରନ୍‌ଟି ୬୦୦୦ ଆର୍‌ପିଏମ୍‌ କ୍ଷମତାବିଶିଷ୍ଟ । ଏହା ଗର୍ଜିଲେ, ୨ ମାଇଲ୍‌ ଯାଏ ଶଦ୍ଦ ଶୁଣାଯିବ । ସେହିପରି ହ୍ୟାଣ୍ଡ ସାଇରନ୍‌ ମଧ୍ୟ ଅଛି । ଯାହାକି, ବିଦ୍ୟୁତ୍‌ କଟିଯିବା ବେଳେ ବି ହାତରେ ଚଳାଇ ଲୋକଙ୍କୁ ସତର୍କ କରାଇପାରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.