ଭୁବନେଶ୍ୱର: ତ୍ରେତା ଯୁଗରେ ଶାସ୍ତ୍ରଜ୍ଞ ତଥା ଋଷି ବିଶ୍ରବା ଧର୍ମଜ୍ଞାନରେ ପରିପୂର୍ଣ୍ଣ, ଭଗବତ୍ ସତ୍ତା ଲାଭକରି ପୂର୍ଣ୍ଣତା ଲାଭ କରିଥିଲେ । ବ୍ରାହ୍ମଣ ହୋଇଥିବାରୁ ସେ ସମସ୍ତ ବ୍ରାହ୍ମଣକର୍ମରେ ନିପୁଣ ଥିଲେ । ତାଙ୍କ ପୁତ୍ର ଦଶାନନ ଜଣେ ମହାଜ୍ଞାନୀ, ଜ୍ୟୋତିଷ ବିଶାରଦ, ଶାସ୍ତ୍ରଜ୍ଞ, ବଳଶାଳୀ, ତ୍ରିପୁର ବିଜୟୀ ଥିଲେ । କୁବେରଙ୍କ ନିକଟରେ ଥିବା ପୁଷ୍ପକ ବିମାନକୁ ବ୍ୟବହାର କରିବା ଓ ସମଗ୍ର ଲଙ୍କାକୁ ସ୍ୱର୍ଣ୍ଣଲଙ୍କାରେ ପରିଣତ କରିବା ଭଳି କାର୍ଯ୍ୟ ଅଦ୍ୟାବଧି ପରିଲକ୍ଷିତ ହୁଏନାହିଁ । ଶିବଙ୍କର ପରମଭକ୍ତ ଦଶାନନ, ଶିବଙ୍କ ଠାରୁ ରାବଣ ନାମପ୍ରାପ୍ତ ପରେ, ମହାଯୋଗୀ ଶିବଙ୍କୁ କୈଳାସ ପର୍ବତ ସହ ଲଙ୍କାକୁ ଉଠାଇ ଆଣିବାକୁ ପ୍ରଚେଷ୍ଟା କରି ବିଫଳ ହେବାରୁ ବୃଥା ସ୍ୱାଭିମାନ ତାଙ୍କୁ ଏକ ଅହଂକାରୀ ରୂପେ ଗଢ଼ିତୋଳିଲା । ଅହଂକାର ଏପରି ଏକ ସର୍ବଗ୍ରାସୀ ଅଗ୍ନି, ଯାହା ଅନ୍ୟର କ୍ଷତି କରିବା ପୂର୍ବରୁ ନିଜକୁ ଜାଳିଦିଏ । ରାବଣର ମନମୁଖୀ ଅନ୍ୟାୟ କାର୍ଯ୍ୟ ଦିନକୁଦିନ ବଢ଼ିବାକୁ ଲାଗିଲା । ପଞ୍ଚବଟୀ ଅରଣ୍ୟରେ ଛଦ୍ମ ସନ୍ନ୍ୟାସୀ ବେଶ ଧାରଣ କରି ମା' ସୀତାଙ୍କୁ ଅପହରଣ କରି ଆଣିବା, ସାନଭ୍ରାତା ବିଷ୍ଣୁଭକ୍ତ ବିଭୀଷଣଙ୍କ ବାରଣ କାରଣରୁ ତାଙ୍କୁ ପଦାଘାତ କରି ନିର୍ବାସିତ କରିଦେବା, ଫଳରେ ସୁବର୍ଣ୍ଣ ଲଙ୍କା ଧ୍ୱସ୍ତବିଧ୍ୱସ୍ତ ହେବା, ନିଜର ପୁତ୍ର, ସେନାସାମନ୍ତ ତଥା ଅନେକ ରାକ୍ଷସଙ୍କ ମୃତ୍ୟୁ ପରେ ପ୍ରଭୁ ରାମଚନ୍ଦ୍ରଙ୍କ ଦ୍ୱାରା ନିହତ ହୋଇଥିଲେ । ଜଣେ ମହାନ୍ ବ୍ରାହ୍ମଣ, ଜ୍ଞାନୀ ତଥା ବିଶ୍ରବା ଋଷିଙ୍କ ପୁତ୍ର ହୋଇ ଓ ଶିବଙ୍କ ଭକ୍ତ ହୋଇ ମଧ୍ୟ ଗର୍ବ ଓ ଅହଂକାର ତାଙ୍କ ପତନର କାରଣ ହେଲା । ବିଭୀଷଣ ଲଙ୍କାର ରାଜା ହେଲେ ।
ଦ୍ୱାପର ଯୁଗରେ ବିଷ୍ଣୁଭକ୍ତ ଉଗ୍ରସେନ, ଯିଏ ମଥୁରାର ରାଜା ଥିଲେ । ତାଙ୍କ ପୁତ୍ରୀ ଦେବକୀଙ୍କୁ ବସୁଦେବଙ୍କ ସହିତ ବିବାହ ପରେ ତାଙ୍କ ବଳଶାଳୀ ପୁତ୍ର କଂସ ଖୁସି ମନାଇବା ପାଇଁ ଭଉଣୀ ଓ ଭିଣୋଇଙ୍କୁ ରଥରେ ବସାଇ ମଥୁରା ପରିଭ୍ରମଣ ସମୟରେ ଶୂନ୍ୟବାଣୀ ହେଲା ଯେ, ଦେବକୀର ଅଷ୍ଟମ ସନ୍ତାନ ଦ୍ୱାରା ସେ ନିହତ ହେବେ । ଯୁବରାଜ ଭାବରେ ଏହି ଗର୍ବୀ ବହୁ ଅନ୍ୟାୟ କାର୍ଯ୍ୟରେ ଲିପ୍ତ ଥିଲେ । ଶୂନ୍ୟବାଣୀ ଶୁଣିଲା ପରେ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମଥୁରା ରାଜସିଂହାସନ ଆରୋହଣ ପରେ ଭଉଣୀ ଓ ଭିଣୋଇଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ ଓ ପିତା ଉଗ୍ରସେନଙ୍କୁ ରାଜନବରରେ ପ୍ରହରୀ କାର୍ଯ୍ୟରେ ନିଯୁକ୍ତି ଦେଲେ । ବିଧିର ବିଧାନ ଥିଲା ଭିନ୍ନ । ଦେବକୀଙ୍କ ସାତପୁତ୍ରଙ୍କୁ ହତ୍ୟା କରିବା ପରେ ଅଷ୍ଟମ ସନ୍ତାନ ସ୍ୱୟଂ ଭଗବାନ କୃଷ୍ଣ ନିଶାର୍ଦ୍ଧ ଓ ମୂଷଳ ବର୍ଷା ରାତ୍ରିରେ ପିତା ବସୁଦେବଙ୍କ ଦ୍ୱାରା ଯମୁନା ପାର ହୋଇ ଗୋପପୁରୀରେ ନନ୍ଦ ଓ ଯଶୋଦାଙ୍କ କୋଳମଣ୍ଡନ କଲେ । କୃଷ୍ଣ ଗୋପରେ ଥିବା ଜାଣି କଂସ ତାର ଅଷ୍ଟମଲ୍ଲଙ୍କ ସମେତ କେତେକ ଦୁର୍ଦ୍ଧର୍ଷ ରାକ୍ଷସକୁ କୃଷ୍ଣ ବଧ କରିବାକୁ ପଠାଇଲେ, ପରନ୍ତୁ ସମସ୍ତେ କୃଷ୍ଣଙ୍କ ଦ୍ୱାରା ନିହତ ହେଲେ । ବଳରାମ ଓ କୃଷ୍ଣ ମାମୁଙ୍କ ଆତିଥ୍ୟ ଗ୍ରହଣ କରିବାକୁ ମଥୁରା ଯାଇ କଂସବଧ କଲେ । ଉଗ୍ରସେନଙ୍କୁ ମଥୁରା ସିଂହାସନରେ ଉପବେଶନ କରାଇଲେ ।
ମୋଗଲ ସମ୍ରାଟ ଶାହାଜାହାନ, ଯିଏ କିତୀଙ୍କ ପ୍ରିୟତମା ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଯମୁନା ନଦୀକୂଳ ଆଗ୍ରାଠାରେ ତାଜମହଲ ନିର୍ମାଣ କରିଥିଲେ । ଯେଉଁ ସ୍ମୃତି ଆଜି ଭାରତର ଗର୍ବ ଓ ଗୌରବ । ସପ୍ତାଶଯ୍ୟା ମଧ୍ୟରେ ସ୍ଥାନ ପାଇଥିବା ଏହି ତାଜମହଲ ପ୍ରେମର ମହାନ ଉପାସକ ଶାହାଜାହାନଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ବଖାଣେ । ସିଂହାସନ ଲୋଭରେ ଅନ୍ଧ ହୋଇ ତାଙ୍କର ଚତୁର୍ଥ ତଥା କନିଷ୍ଠ ପୁତ୍ର ଆଉରଙ୍ଗଜେବ ପିତା ଶାହାଜାହାନଙ୍କୁ ବନ୍ଦୀ କରି ଯେଉଁ କାରାଗାରରେ ରଖିଥିଲେ, ତାହାଠାରୁ ଅନତି ଦୂରରେ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା ତାଜମହଲ । ଆଉରଙ୍ଗଜେବ ସୁନ୍ନି ମୁସଲମାନ ଭାବରେ କୁରାନର ସମସ୍ତ ନୀତିନିୟମ ମାନିବା ଓ କୁରାନ ତାଙ୍କର ମୁହଁରେ ଥିଲା । ପରନ୍ତୁ ତାଙ୍କ ବଡ଼ ତିନି ଭାଇ ଦାରା, ସୁଜା ଓ ମୁରାଦଙ୍କୁ ସେ ନିର୍ମମ ଭାବେ ହତ୍ୟା କରିଥିଲେ । ବଡ଼ଭାଇ ଦାରା ଧର୍ମପରାୟଣ ଥିଲେ, ସିଂହାସନ ପ୍ରତି ତାଙ୍କର ଆଗ୍ରହ ନଥିଲା । ତାଙ୍କୁ ଲଣ୍ଡାକରି ମୁଣ୍ଡ ଓ ମୁହଁରେ ଚୂନ କାଳି ବୋଳି ଦିଲ୍ଲୀର ରାଜରାସ୍ତାରେ ଗଧ ଉପରେ ବସାଇ ବୁଲାଇବା ପରେ ହତ୍ୟା କରିଥିଲେ । ରାଜରାସ୍ତାରେ ହଜାର ହଜାର ପ୍ରଜା ଏହା ଦେଖି ବିକଳରେ ଅଶ୍ରୁତର୍ପଣ କରିବା ଛଡ଼ା କିଛି ଉପାୟ ନଥିଲା । ସୁଜା ଭୟରେ ପଳାୟନ ସମୟରେ ଗୁପ୍ତଚରମାନେ ତାଙ୍କ ସମେତ ତାଙ୍କ ପରିବାରକୁ ହତ୍ୟା କରିଥିଲେ । କାରାଗାରରେ ଭୋକରେ ଚିତ୍କାର କରି କିଛି ଖାଦ୍ୟ ମାଗୁଥିବା ବେଳେ ଆଉରଙ୍ଗଜେବ ମୁରାଦଙ୍କ କଟାମୁଣ୍ଡ ଏକ ଥାଳିରେ ରଖି ତା’ ଉପରେ କପଡ଼ା ଘୋଡ଼ାଇ ରନ୍ଧା ହାତରେ ପଠାଇଥିଲେ । ନିଜ ପୁତ୍ରର କଟାମୁଣ୍ଡ ଦେଖି ଜଣେ ପୁତ୍ରବତ୍ସଳ ପିତାର ଅବସ୍ଥା କ’ଣ ହୋଇଥିବ? ତାଜମହଲକୁ ଅପଲକ ନୟନରେ ଚାହିଁ ସେ ଭୋକଶୋଷରେ ପ୍ରାଣତ୍ୟାଗ କଲେ । ସିହା ମୁସଲମାନଙ୍କୁ ହତ୍ୟା କରିବା ସହିତ ଅନେକ ହିନ୍ଦୁଙ୍କୁ ଜୋର ଜବରଦସ୍ତ ମୁସଲମାନ ଧର୍ମରେ ଦୀକ୍ଷିତ କରାଇଥିଲେ । ଶେଷ ଜୀବନରେ ନୈରାଶ୍ୟ ଓ ଭଗ୍ନ ହୃଦୟରେ ପ୍ରାଣତ୍ୟାଗ କରିଥିଲେ ।
ବୌଦ୍ଧ ଧର୍ମରେ ଦୀକ୍ଷିତ ପ୍ରଜାବତ୍ସଳ ରାଜା ସୁଖରେ ରାଜ୍ୟ ଶାସନ କରୁଥିବାବେଳେ ତାଙ୍କର ପୁତ୍ର ଯୁବରାଜ ଅଜାତ ଶତ୍ରୁ ସିଂହାସନ ମୋହରେ ବିମ୍ବିସାରଙ୍କୁ ବନ୍ଦୀକରି ମଗଧ ରାଜସିଂହାସନ ଆରୋହଣ କଲେ । ଅନ୍ଧକାରମୟ, ମଶା, ଡାଆଁସପୂର୍ଣ୍ଣ ଆବର୍ଜନା କୋଠରି, ଯାହାକି ଏତେ କ୍ଷୁଦ୍ର ଥିଲା ଜଣେ ଶୋଇପାରିବ ନାହିଁ । ସିଂହାସନ ଆରୋହଣ କରି ରାଜନବରରେ ଖୁସିରେ ମପ୍ଲିରେ ରଖିଥିବାବେଳେ ପିତା ବିମ୍ବିସାର ଖାଦ୍ୟ ଓ ପାନୀୟ ପାଇଁ କଙ୍କାଳସାର ଶରୀରରେ ଚିତ୍କାର କରୁଥିଲେ । ଦିନେ ତାଙ୍କ ମାଆ ଅଶ୍ରୁ ଝରାଇ କହିଲେ “ପୁତ୍ର! ତୁମେ ଯେବେ ପାଞ୍ଚବର୍ଷର ହୋଇଥିଲ, ତୁମ ଗୋଡ଼ରେ ହୋଇଥିବା ଘାଆ ଶୁଖିଲା ନାହିଁ । ବୈଦ୍ୟମାନଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା, ଭଗବାନ ବୁଦ୍ଧ ହୁଏତ ବୈଦ୍ୟ ରୂପରେ ଆସି କହିଲେ, କେହି ଜଣେ ଏହି ଘାଆର ପୂଜକୁ ଓଠ ଲଗାଇ ଟାଣି ଆଣିଲେ ଘାଆ ଶୁଖିଯିବ । ଏକଥା ଶୁଣି ତୁମର ପିତା କାଳବିଳମ୍ବ ନକରି ପାଟି ଲଗାଇ ତୁମ ଘା'ର ପୂଜ ବାହାର କରିଦେଲେ । ସ୍ନେହ, ପ୍ରେମରେ ସେ ଏତେ ବୁଡ଼ିଯାଇଥିଲେ ଯେ ଟିକିଏ ବି ଘୃଣାଭାବ ଆଖିରେ ନଥିଲା । ପ୍ରାଣଠାରୁ ଭଲପାଉଥିବା ପିତା ଭୋକ ଉପାସରେ କାଳକୋଠରିରେ କଙ୍କାଳ ବନ୍ଦୀ” । ପାଗଳ ପ୍ରାୟ ଧାଇଁ ଗଲେ ଅଜାତ ଶତ୍ରୁ ପିତା ବିମ୍ବିସାରଙ୍କୁ କ୍ଷମା ମାଗି କାରାମୁକ୍ତ କରିବାପାଇଁ । ହାୟ! ସେତେବେଳକୁ ବିମ୍ବିସାର ପାଣି ପାଣି ଚିତ୍କାର କରି ନିଜ ବାହୁକୁ କାମୁଡ଼ି ଧରି ନିସ୍ତେଜ ହୋଇ ପଡ଼ି ରହିଥିଲେ ଅନ୍ଧକାର କୋଠରିରେ । ଅଜାତ ଶତ୍ରୁ ପହଞ୍ଚିଲା ବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଅଜାତ ଶତ୍ରୁଙ୍କ ପୁତ୍ର ଉଦୟନ ସେହିପରି ପିତାଙ୍କୁ ବନ୍ଦୀ କରି ରାଜା ହୋଇଥିଲେ । ତିନିପୁରୁଷ ଧରି ଏପରି ଚାଲିବାରୁ ପ୍ରଜାମାନେ ଉତ୍କ୍ଷିପ୍ତ ହୋଇ ତାଙ୍କ ବଂଶଧରଙ୍କୁ ଗାଦିଚ୍ୟୁତ କରାଇଥିଲେ ।
ଆମ ସମୟରେ ଆଦର୍ଶ ପିତାଙ୍କ ମୁହଁରେ କେତେକ କୁଳାଙ୍ଗାର ତଥା ଅପରାଧୀ ପୁତ୍ର କାଳି ବୋଳିବା ଦେଖାଯାଏ । ଜଣେ ମନ୍ତ୍ରୀଙ୍କ ପୁତ୍ର ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ମାରିଦେବା, ଯେଉଁମାନେ ସମାଜ ପାଇଁ ଉତ୍ସର୍ଗୀକୃତ, ଉଚ୍ଚ ଆସନର ଅଧିକାରୀ, ବିତ୍ତଶାଳୀ, ସେମାନଙ୍କ ପୁତ୍ରମାନେ ରାବଣ ପରି ଗର୍ବ ଓ ଅହଂକାରରେ ବୁଡ଼ି ଅପରାଧ କରିବାକୁ ଦ୍ୱିଧା ବୋଧ କରୁନାହାଁନ୍ତି । ଦାଦାଗିରି ଦେଖାଇବା, ଚୋରି ଡକାୟତି, ଧର୍ଷଣ, ନରହତ୍ୟା କରିବାକୁ ପଛାଉ ନାହାଁନ୍ତି । ଯେଉଁମାନେ ସର୍ବଭାରତୀୟ ସ୍ତରରେ ସମ୍ମାନାସ୍ପଦ ଚାକିରି ପାଇ ଦେଶସେବାରେ ଉତ୍ସର୍ଗୀକୃତ, ଅର୍ଥାତ୍ ଆଇଏଏସ୍, ଆଇପିଏସ୍, ଆଇଏଫଏସ ଚାକିରି ପାଇବା ଏତେ ସହଜ ନୁହେଁ । ନିଜର ସମସ୍ତ ଜ୍ଞାନ ବିନିଯୋଗ, ଉଦ୍ୟମ ଫଳରେ ସେମାନେ ସମ୍ମାନର ଅଧିକାରୀ ହୋଇଥାନ୍ତି, ପରନ୍ତୁ କେତେକଙ୍କ ସନ୍ତାନ ନିଶାଗ୍ରସ୍ତ ସାଜି ନାନା ଅପରାଧ କରୁଛନ୍ତି । ପୁଲିସ ସହିତ ହଙ୍ଗାମା କରିବା ନିତିଦିନିଆ ଘଟଣା । କେତେକ ଅପରାଧୀ ପୁତ୍ର ପିତାଙ୍କ ଛତ୍ରଛାୟା ତଳେ ସୁରକ୍ଷା ପାଇଲେ ମଧ୍ୟ ସମାଜ ଆଖିରେ ସେମାନେ ଜଣେ ଜଣେ ଅପରାଧୀ ।
ପୁତ୍ର ଭଲ କାମ କଲେ ପ୍ରଥମେ ପ୍ରଶଂସା ଯାଏ ତାଙ୍କ ପିତାମାତାଙ୍କ ପାଖକୁ । ସେହିପରି ପୁତ୍ର ଖରାପ କାମ କଲେ ଅପବାଦ ଯାଏ ପ୍ରଥମେ ପିତାମାତାଙ୍କ ପାଖକୁ । ଆମ ପାଖରେ ପୁରାଣ ଓ ଇତିହାସର ଅନେକ ଉଦାହରଣ ରହିଛି । ପୁତ୍ରର କୁକର୍ମରେ ପିତା ଶିକାର ହେବା ସମୀଚୀନ ନୁହେଁ । ପୁତ୍ର ସେତେବେଳେ ସୁ-ପୁତ୍ରର ଆଖ୍ୟା ଲାଭ କରିଥାଏ, ଯେତେବେଳେ ପିତାଙ୍କୁ ଏକ ଆଦର୍ଶ ସ୍ଥାନରେ ସ୍ଥାନିତ କରିବାର ସୌଭାଗ୍ୟ ଲାଭ କରନ୍ତି । ପିତାଙ୍କ କୀର୍ତ୍ତି, ପଦବି, ରୋଜଗାରକୁ ନେଇ ପୁତ୍ର-ପୁତ୍ର ଅହଂକାରୀ ହେବା ଅନୁଚିତ୍ । ପ୍ରକାରାନ୍ତେ ତାହା ପିତାଙ୍କ ପାଇଁ ବୁମେରାଂ ହେବ ।