ନୂଆଦିଲ୍ଲୀ,୫।୮: ‘ଅପରେସନ୍ ସିନ୍ଦୂର’ ବେଳେ ଭାରତର ଆକ୍ରମଣରେ ପାକିସ୍ତାନର ବହୁ ସାମରିକ ଆଡ୍ଡାର କ୍ଷୟକ୍ଷତି ହୋଇଥିଲା। ଭାରତୀୟ ସେନା ଏବେ ଭାରତ-ରୁଷ ଜଏଣ୍ଟ ଭେଞ୍ଚର ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ ମିସାଇଲ ପାଇଁ ବଡ଼ ଅର୍ଡର କରିଛି। ଏଏନ୍ଆଇର ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଖୁବ୍ ଶୀଘ୍ର ହାଇଲେବଲ ମିଟିଂରେ ଭାରତୀୟ ନୌସେନା ଯୁଦ୍ଧପୋତ ପାଇଁ ବହୁ ସଂଖ୍ୟାରେ ବ୍ରହ୍ମୋସ ମିସାଇଲ କିଣିବାକୁ ମଞ୍ଜୁରୀ ଦେଇପାରେ। ଏହା ସହ ଭାରତୀୟ ବାୟୁସେନା ପାଇଁ ମଧ୍ୟ ଏହି ମିସାଇଲ ସ୍ଥଳ ଓ ଆକାଶମାର୍ଗର ଭାରିଆଣ୍ଟ କିଣାଯିବ।
ପାକିସ୍ତାନର ବାୟୁସୀମା ଆଡ୍ଡା ଓ ସେନାର କ୍ୟାମ୍ପ ଉପରେ ଆକ୍ରମଣ ପାଇଁ ଏହି ମିସାଇଲର ବ୍ୟବହାର ବହୁ ପରିମାଣରେ କରାଯାଇଛି। ନୌସେନା ଏହି ମିସାଇଲକୁ ନିଜରଯୁଦ୍ଧପୋତରେ ମୁତୟନ କରିବାକୁ ଯାଉଛି। ସେଭଳି ବାୟୁସେନା ଏହାକୁ ନିଜର ରୁଷର ସୁଖୋଇ-୩୦ଏମ୍କେଆଇ ଯୁଦ୍ଧ ବିମାନରେ ଲଗାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ଦିନ ହେବ ସ୍ବଦେଶୀ ହତିଆରକୁ ଖୁବ୍ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ଅପରେସନ୍ ସିନ୍ଦୂର’ରେ ଦୁନିଆ ଆମର ସ୍ବଦେଶୀ ହତିଆରର ଶକ୍ତି ଦେଖିଛି। ଆମର ଏୟାର ଡିଫେନ୍ସ ସିଷ୍ଟମ, ମିସାଇଲ ଓ ଡ୍ରୋନ୍ ଆତ୍ମନିର୍ଭର ଭାରତର ଶକ୍ତି ଦେଖାଇଛି। ବିଶେଷ ଭାବରେ ବ୍ରହ୍ମୋସ ମିସାଇଲ।
ଭାରତ ପକ୍ଷରୁ ପକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଯେପରିକି ଜୈଶ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବାର ପଞ୍ଜାବ ପ୍ରଦେଶରେ ଥିବା ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲା। ଭାରତୀୟ ବାୟୁସେନା ଏଥିପାଇଁ ବ୍ରହ୍ମୋସ ମିସାଇଲର ବ୍ୟବହାର କରିଛି। ଏହାର ଟାର୍ଗେଟକୁ ଖୁବ୍ ସଠିକ୍ ଭାବରେ ନଷ୍ଟ କରିଦେଇଛି। ବ୍ରହ୍ମୋସ ପାକିସ୍ତାନର ବିମାନ ଆଡ୍ଡାକୁ କ୍ଷତି କରିଛି। ଏହାପରେ ପାକିସ୍ତାନୀ ସେନା ଆତଙ୍କବାଦୀ ଓ ଏହାର ଆଡ୍ଡାକୁ ନଷ୍ଟ କରିବା ଚେଷ୍ଟାରେ ପାଲଟା ଆକ୍ରମଣ କରିଥିଲା।