ଗୋଲାମୁଣ୍ଡା,୨୨|୫(ଆପ୍ର): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଗାଁରେ ପୁଣି ପାଣି ପାଇଁ ରାଜ ରାସ୍ତାକୁ ଓହ୍ଲେଇଲେ ଶତାଧିକ ମହିଳା। ପାନୀୟ ଜଳ ଯୋଗାଣ ଦାବୀରେ ବୃନ୍ଦାବାହାଲରୁ ଜାରିଙ୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରି ଦଶପୁରଠାରେ ରାସ୍ତାରେ ଗରା, ମାଠିଆ, ବାଲ୍ଟି ପାଣି ଡବା ରଖି ରାସ୍ତା ରୋକ କରିଥିବାର ଦେଖିବାକୁ ମିଳିଛି। ଦିନ ୧୧ଟା ସମୟରୁ ରାସ୍ତା ଅବରୋଧ କରିବା ଫଳରେ ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ମୋଟର ଅଟକି ରହିପଡିଥିବା ବେଳେ ଯାତାୟାତ ଠପ୍ ହୋଇଯାଇଥିଲା। ଏହି ସମସ୍ୟା କିଛି ନୁଆଁ ନୁହଁ ଦୀର୍ଘ ୨ବର୍ଷ ଧରି ଗ୍ରାମବାସୀ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି।
ସ୍ଥାନୀୟ ସରପଞ୍ଚଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ବିଧାୟକ ପର୍ଯ୍ୟନ୍ତ ଅଭିଯୋଗ କଲେ ହେଁ କୌଣସି ସୁଫଳ ମିଳିପାରିନାହିଁ। ଯାହାଫଳରେ ସ୍ଥାନୀୟ ଲୋକେ ବର୍ତ୍ତମାନ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହୋଇଛନ୍ତି। ପୂର୍ବରୁ କିଛି ଦିନ ତଳେ ମଧ୍ୟ ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ଘଟଣାସ୍ଥଳକୁ ଜଳ ଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ରିତାରାଣୀ କିଷାନ ପହଞ୍ଚି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଠିକ ସେହିପରି ଆଜି ମଧ୍ୟ ଶତାଧିକ ମହିଳାଙ୍କ ତରଫରୁ ରାସ୍ତା ରୋକ ହୋଇଥିବା ବେଳେ ଦୀର୍ଘ ୫ଘଣ୍ଟା ରାସ୍ତା ଅବରୋଧ ହେବା ପରେ ମଧ୍ୟ କୌଣସି ଅଧିକାରୀ ଆସିନଥିବା ହେତୁ ଆନ୍ଦୋଳନକାରୀ ନିରାଶ ହୋଇଥିବା ଜଣାପଡିଛି। ଯାହା ଫଳରେ ପୁଣି ଆନ୍ଦୋଳନକୁ ବ୍ୟାପକ କରାଯିବା ନେଇ ଆନ୍ଦୋଳନକାରୀମାନେ ସୂଚନା ଦେଇଛନ୍ତି।