ଭୁବନେଶ୍ୱର ୧୫/୧୧: ରାତି ପାହିଲେ ଟେବଲ୍ ଉପରେ ସକାଳ ଚା’ ସହ ୨/୩ଟି ବିସ୍କୁଟ୍ ନିଶ୍ଚୟ ରହିଥାଏ । ହାଲ୍କା ଫୁଲ୍କା ଭୋକକୁ ଦୂର କରିବା ପାଇଁ ପ୍ରାୟ ସମସ୍ତେ ପାଖରେ ସବୁବେଳେ ବିସ୍କୁଟ୍ ପ୍ୟାକେଟ୍ଟିଏ ରଖିଥାନ୍ତି । ଘରକୁ ଅତିଥି ଆସିଲେ ଚା’ ସହ ୨/୪ଟି ବିସ୍କୁଟ୍ ଦେବା ଆମର ପରମ୍ପରା ହୋଇସାରିଛି । କିଛି ଲୋକ ତ ଚା’-ବିସ୍କୁଟ୍ରେ ସକାଳର ଜଳଖିଆ ସାରି ଦେଇଥାନ୍ତି । ପିଲା ହୁଅନ୍ତୁ ଅବା ବଡ଼ ସମସ୍ତଙ୍କର ପସନ୍ଦର ଜଳଖିଆ ହେଉଛି ଏହି ବିସ୍କୁଟ୍ । କିନ୍ତୁ କେବେ ଭାବିଛନ୍ତି ବିସ୍କୁଟ୍ ଆମ ଶରୀର ପାଇଁ କେତେ କ୍ଷତିକାରକ? ନିୟମିତ ବିସ୍କୁଟ୍ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢିଥାଏ । ଚାଲନ୍ତୁ ଜାଣିବା ମଣିଷ ଶରୀର ପାଇଁ ବିସ୍କୁଟ୍ କେମିତି ହାଲ୍କା ବିଷର କାମ କରୁଛି । ଯଦି ନିୟମିତ ବିସ୍କୁଟ୍ ଖାଉଥାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ନଚେତ୍ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ । କ’ଣ ସମସ୍ୟା...
ମଇଦାରୁ ତିଆରି ହୁଏ ବିସ୍କୁଟ୍ ଆମେ ସମସ୍ତେ ଜାଣିଛୁ ଯେ ପ୍ରାୟତଃ ବିସ୍କୁଟ୍ ମଇଦାରେ ତିଆରି ହୋଇଥାଏ, ଯାହା ଅନ୍ତଃନଳୀ ପାଇଁ ଆଦୌ ଭଲ ନୁହେଁ । ତେଣୁ ନିୟମିତ ବିସ୍କୁଟ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପଡିପାରେ । ମଇଦା ଯୋଗୁ ଓଜନ ବଢିବା, ରକ୍ତରେ ଶର୍କରା ସ୍ତର ବଢିବା, ପ୍ରଦାହ, ହୃଦ୍ଘାତ ଓ ବଦ୍ହଜମୀ ପରି ସମସ୍ୟା ଉପୁଜିପାରେ ।
ପାମ୍ ତେଲର ବ୍ୟବହାର :
ଯେଉଁ ବିସ୍କୁଟ୍କୁ ସ୍ୱାସ୍ଥ୍ୟକର ଭାବି ଆମେ ନିୟମିତ ଖାଇବାରେ ଲାଗିଛେ, ସେଗୁଡିକର ତିଆରିରେ ପାମ୍ ତେଲର ବ୍ୟବହାର କରାଯାଉଛି । ଏଥିରେ ଶତ ପ୍ରତିଶତ ଫ୍ୟାଟ୍ ରହିଥାଏ, ଯାହାର ନିୟମିତ ବ୍ୟବହାର ହୃଦ୍ଘାତର ଆଶଙ୍କାକୁ ବଢାଇ ଚାଲେ । ସେହିପରି ପାମ୍ ତେଲର ପୁନଃ ବ୍ୟବହାର ଯୋଗୁ ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କ୍ଷମତା କ୍ରମଶଃ କମିଚାଲେ । ଫଳରେ ବିଭିନ୍ନ ପ୍ରକାରର ହୃଦୟ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ବଢିଚାଲେ ।
ମାତ୍ରାଧିକ ସୋଡିୟମ୍ :
ସାଧାରଣତଃ ବିସ୍କୁଟ୍ ଖାଇବାକୁ ମିଠା ଲାଗିଥାଏ । କିନ୍ତୁ ଏହାକୁ ତିଆରି କରିବାରେ ଅଧିକ ଲୁଣର ବ୍ୟବହାର ହୋଇଥାଏ । ମିଠା ବିସ୍କୁଟ୍ର ୨୫ ଗ୍ରାମ୍ ପ୍ୟାକେଟ୍ରେ ୦.୪ ଗ୍ରାମ୍ ଲୁଣ ରହିଥାଏ । ତେଣୁ ଏହାକୁ ଅଧିକ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ଏବଂ ହାର୍ଟ ଫେଲିୟୋର ପରି ସମସ୍ୟା ଦେଖା ଦେଇଥାଏ ।
ଉଗ୍ର ସଂରକ୍ଷକ :
ଦୋକାନରୁ କିଣୁଥିବା ବିସ୍କୁଟ୍ ଓ କୁକିଜ୍ରେ ବ୍ୟୁଟାଇଲେଟେଡ୍ ହାଇଡ୍ରୋକ୍ସିନ୍ସୋଲ୍ (ବିଏଚ୍ଏ) ଏବଂ ବ୍ୟୁଟାଇଲେଟେଡ୍ ହଇଡ୍ରୋକ୍ସିଟୋଲୁଏନ୍(ବିଏଚ୍ଟି) ପରି ହାଇ-ପ୍ରିର୍ଜରଭେଟିଭ୍ ବା ଉଗ୍ର ସଂରକ୍ଷକ ରହିଥାଏ । ଗବେଷଣାରୁ ଜଣାପଡିଛି ଯେ ଉଭୟ ସଂରକ୍ଷକ ମଣିଷର ରକ୍ତ ପାଇଁ ଖୁବ୍ ହାନିକାରକ । ଏହାବ୍ୟତୀତ ବିସ୍କୁଟ୍ରେ ସୋଡିୟମ୍ ବୋଜୋଏଟ୍ ରହିଥାଏ, ଯାହା ଡିଏନ୍ଏକୁ କ୍ଷତି ପହଞ୍ଚାଇଥାଏ ।