ଭୁବନେଶ୍ୱର,୦୩/୦୫: ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ । ଘରପୋଡିରେ ମନୋରଞ୍ଜନ ଦାସଙ୍କ ଘରେ ଥିବା ନଗଦ୍ ଟଙ୍କା, ଅଳଙ୍କାର, ମୁଲ୍ୟବାନ୍ କାଗଜପତ୍ର ସମେତ ସମସ୍ତ ନଥିପତ୍ର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ବାଂଶବାଗ ଗାଁରେ ଏଭଳି ଘଟଣା ଘିଟିଛି ।
ସୂଚନା ମୁତାବକ, ବାଂଶବାଗ ଗାଁର ନିଶାକର ଦାସଙ୍କର ୩ ପୁଅ । ଘରବାଡି ଭାଗବଣ୍ଟାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଛି । ସାନ ଓ ମଝିଆଁ ଭାଇଙ୍କ ସହିତ ବଡଭାଇ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହିଥାଏ । ଗତ ଦୁଇଦିନ ତଳେ ଗାଳି ଗୁଲଜ ଓ ମାରପିଟକୁ ନେଇ ଥାନାରେ ଉଭୟ ପକ୍ଷରୁ ୨ ଟି ଅଭିଯୋଗ ହୋଇଥଲା । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଶୁକ୍ରବାର ରାତିରେ ଶୋଇଥିବା ବେଳେ ସାନ ଭାଇ ମନୋରଞ୍ଜନ ଦାସଙ୍କର ଘରକୁ କେହି ପୋଡି ଦେଇଥିବା ଅଭିଯୋଗ ହୋଇଛି । ନିଜ ସମ୍ପର୍କୀୟ ଏପରି କରିଥିବା ଥାନାରେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଉକ୍ତ ଘରପୋଡିରେ ମନୋରଞ୍ଜନଙ୍କର ଘରେ ଥିବା ନଗଦ୍ ଟଙ୍କା, ଅଳଙ୍କାର, ମୁଲ୍ୟବାନ୍ କାଗଜପତ୍ର ସମେତ ସମସ୍ତ ନଥିପତ୍ର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତଦନ୍ତ କରି ଘରପୋଡି ଦେଇଥିବା ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବି କରାଯାଇଛି ।