ଭୁବନେଶ୍ୱର,୨୫/୦୧: ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ-୨୦୨୫ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ସମୟରେ ବିପୁଳ ମାତ୍ରାରେ ନିବେଶକୁ ସବୁଜ ପତାକା ଦେଖାଉଛନ୍ତି ରାଜ୍ୟ ସରକାର ।
ଶୁକ୍ରବାର ୩୯ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ) ବୈଠକରେ ଓଡ଼ିଶା ସରକାର ୮ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଦେଇଛନ୍ତି ଅନୁମୋଦନ, ଯାହା ମାଧ୍ୟମରେ ରାଜ୍ୟକୁ ଆସିବ ୩୨୭୩୬ କୋଟିର ନିବେଶ । ଏସବୁ ପ୍ରକଳ୍ପ କେମିକାଲ, ସବୁଜ ଶକ୍ତି ଉପକରଣ, ଜାହାଜ ନିର୍ମାଣ ଏବଂ ମରାମତି ଓ ଇସ୍ପାତ କ୍ଷେତ୍ର ସମ୍ବନ୍ଧୀୟ । ପ୍ରକଳ୍ପଗୁଡ଼ିକ ଜରିଆରେ ରାଜ୍ୟରେ ୧୮,୬୮୮ରୁ ଊଦ୍ଧ୍ୱର୍ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଅନୁମାନ କରାଯାଇଛି । ଓଡ଼ିଶାର ଶିଳ୍ପାୟନ ଏବଂ ଅର୍ଥନୈତିକ ମୂଳଦୁଆକୁ ଏହା ଆହୁରି ମଜଭୁତ କରିବ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ଯେ, ଉତ୍କର୍ଷ ଓଡ଼ିଶା-୨୦୨୫ ପୂର୍ବରୁ ଏଭଳି ବଡ଼ ବଡ଼ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ରାଜ୍ୟର ପରିବର୍ଦ୍ଧିତ ଶିଳ୍ପାୟନ କ୍ଷମତାକୁ ଦର୍ଶାଉଛି । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ସମ୍ବଲପୁର ଏବଂ ଭଦ୍ରକ ଭଳି ପ୍ରମୁଖ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ମଞ୍ଜୁରି ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସୋମା ଗ୍ରୀନ୍ ଏନର୍ଜି ଟେକ୍ନୋଲୋଜିଜ୍ର ଏକ ପ୍ରକଳ୍ପ ରହିଛି । କମ୍ପାନି ୬,୯୪୮ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ୬.୯ ଗିଗାୱାଟ୍ର ସୋଲାର ମଡ୍ୟୁଲ୍ ଏବଂ ୬.୯ ଗିଗାୱାଟ୍ର ସୋଲାର ଫୋଟୋଭୋଲ୍ଟାଇକ୍ ସେଲ୍ ଉତ୍ପାଦନ ୟୁନିଟ୍ କରିବ ।
ସେହିଭଳି ଧୁନ୍ସେରି ଭେଞ୍ଚର୍ସ ଲିମିଟେଡ୍ ୬,୨୫୦ କୋଟି ଟଙ୍କା ନିବେଶରେ ଜଗତସିଂହପୁରରେ ପଲିକାର୍ବୋନେଟ୍ ବିନିର୍ମାଣ ୟୁନିଟ୍ କରିବ। ୟୁନାଇଟେଡ୍ ପେଟ୍ରୋ ସିପିଂ ପିଟିଇ ୫୬୩୭.୫୦ କୋଟି ଟଙ୍କା ନିବେଶରେ ଜଗତ୍ସିଂପୁରରେ ସିପ୍ ବିଲ୍ଡିଂ, ସିପ୍ ରିପେୟାର ଏବଂ ଇଣ୍ଟିଗ୍ରେଟେଡ୍ ଅଫ୍ସୋର ଫ୍ୟାସିଲିଟି କରିବ । ସେହିପରି ୟୁପିଏଲ୍ ଲିମିଟେଡ୍ ଗଞ୍ଜାମରେ ଫସ୍ଫରସ୍ ଡେରିଭେଟିଭ୍ ଏବଂ ଗ୍ରୀନ୍ ଏଚ୍୨ ବେସ୍ଡ ଫୁଏଲ୍ରେ ୪୦୦୧ କୋଟି ଟଙ୍କା ନିବେଶ କରିବ । ଡିସିଏମ୍ ଶ୍ରୀରାମ ୫,୨୦୦ କୋଟି ଟଙ୍କା ନିବେଶରେ ଗଞ୍ଜାମରେ ୭,୧୫,୦୦୦ ଏମ୍ଟି ବାର୍ଷିକ କ୍ଷମତାଯୁକ୍ତ କେମିକାଲ କମ୍ପେ୍ଲକ୍ସ କରିବ । ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ର ଏକ ୨୦୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି । କମ୍ପାନି ସମ୍ବଲପୁରରେ ଲିଥିୟମ୍ ଇଭି ବ୍ୟାଟେରି ପାଇଁ ଆନୋଡ୍ ଉତ୍ପାଦନ ପାଇଁ ଇଲେକ୍ଟ୍ରୋ ଡିପୋଜିଟେଡ୍(ଇଡି) କପର୍ ଫଏଲ୍ ୟୁନିଟ୍ ବିକାଶ କରିବ । ଏଫ୍ଏସ୍ ଗ୍ରୀନ୍ ଏନର୍ଜିସ୍ ଗଞ୍ଜାମରେ ୧୫୦୦ କୋଟି ଟଙ୍କା ନିବେଶ କରିବ । ସେହିଭଳି ରତ୍ନମଣି ମେଟାଲ୍ସ ଆଣ୍ଡ୍ ଟ୍ୟୁବ୍ସ ଲିମିଟେଡ୍ ୧୨୦୦ କୋଟି ଟଙ୍କା ନିବେଶରେ ଭଦ୍ରକରେ ଷ୍ଟେନ୍ଲେସ୍ ଷ୍ଟିଲ୍ ରାଉଣ୍ଡ୍ ବାର୍ ମାନୁଫାକ୍ଚରିଂ ୟୁନିଟ୍ କରିବ ।