ଭୁବନେଶ୍ୱର, ୩୦/୦୪ : ମାଟିପାତ୍ର ତିଆରି କରିବା ପାଇଁ ଆମ ରାଜ୍ୟରେ କାରିଗରଙ୍କର ଅଭାବ ନାହିଁ । ହେଲେ ମାଟି ଓ ଜାଳେଣିର ଅଭାବ କାରଣରୁ କୁମ୍ଭାର ପରିବାର ଏଥିପ୍ରତି ମୁହଁ ଫେରାଉଛନ୍ତି । ଫଳରେ ରାଜଧନୀରେ ଆସ୍ଥାନ ଜମାଇଛି ସିଲିଗୁଡ଼ି, ଦାର୍ଜିଲିଂ, ଅହମଦାବାଦ୍, ରାଜସ୍ଥାନରୁ ଆସୁଥିବା ମାଟିପାତ୍ର । ବାହାର ରାଜ୍ୟର ମାଟିପାତ୍ର ବଜାରରେ ଭଲ ଆଦର ପାଉଛି । ଏପଟେ ରାଜ୍ୟର କୁମ୍ଭାର ପରିବାର ନିରାଶ ହେଉଛି। କିଛି କୁମ୍ଭାର ପରିବାରଙ୍କ ଘରେ ଆଉ ସେ ଚକ ଦେଖୁବାକୁ ମିଳୁନି । ବର୍ତ୍ତମାନ ଖରାଦିନ ଚାଲିଥିବାରୁ ମାଟିପାତ୍ରର ଚାହିଦା ବଢିଯାଇଛି । ମାଟିପାତ୍ରରେ ପାଣି ଥଣ୍ଡା ରହିବା ସହିତ ସ୍ୱାସ୍ଥ୍ୟକର ହୋଇଥିବାରୁ ଲୋକମାନେ ମାଠିଆ, ମାଟି ଫିଲଟର ଆଦି ବହୁ ମାତ୍ରାରେ କିଣୁଛନ୍ତି । ରାଜଧାନୀର ବିଭିନ୍ନ ଛକ, ରାସ୍ତା କଡ଼ ଏବଂ ହାଟରେ ଏହି ପାତ୍ର ବିକ୍ରିହେଉଛି।
ବାହାର ରାଜ୍ୟରୁ ଆସୁଥିବା ପାତ୍ରଗୁଡ଼ିକରେ ରଙ୍ଗିନ୍ ଚିତ୍ର ଥିବା ସହିତ ବେଶ୍ ଚିକ୍କଣ ରହୁଛି । ଏହା ଖୁବ୍ ଅକର୍ଷଣୀୟ ଦେଖାଯାଉଥିବାରୁ ଲୋକମାନେ ମଧ୍ୟ ଏହାକୁ ବେଶ୍ ପସନ୍ଦ କରୁଛନ୍ତି । କେବଳ ପାଣି ରଖିବା ପାତ୍ର ନୁହେଁ, ତା ସହିତ ମାଟିରେ ତିଆରି ପ୍ରେସର କୁକର୍, କଡ଼େଇ, ଥାଳି, ଗିନା, ପିଠା ପାତିଆ ଭଳି ବିଭିନ୍ନ ପ୍ରକାର ପାତ୍ର ଦେଖାଯାଉଛି । ମାଟି ଫିଲଟର ଓ ମାଠିଆ ୫ ଲିଟରରୁ ଆରମ୍ଭକରି କରି ୨୦ ଲିଟର ପର୍ଯ୍ୟନ୍ତ ରହୁଛି । ଯାହାର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ । ସେହିପରି ମାଟି ପାଣି ବୋତଲର ମୂଲ୍ୟ ୧୦୦ ଟଙ୍କା, କଡ଼େଇ ୮୦ ଟଙ୍କା, ପିଠା ପାତିଆ ୫୦ ଟଙ୍କା, ଗିନା ୬୦ ଟଙ୍କା ରହୁଛି । ଖୁବ୍ କମ୍ ସ୍ଥାନରେ ଆମ ରାଜ୍ୟର କାରିଗରଙ୍କର ସାମଗ୍ରୀ ବିକ୍ରି ହେଉଛି । ହେଲେ ଲୋକମାନଙ୍କର ଆଦର ବାହାର ରାଜ୍ୟର ସାମଗ୍ରୀରେ ରହୁଛି । କୁମ୍ଭାରସାହିର ବେପାରୀ ଆଶିଷ ରାଉତ କୁହନ୍ତି, ମାଟି ପାତ୍ର ତିଆରି କରିବା ପାଇଁ ସବୁଠି ମାଟି ସମସ୍ୟା ଦେଖାଯାଉଛି ।
ବିଶେଷକରି ଭୁବନେଶ୍ୱରରେ ମାଟିର ଅଭାବ ଅଧିକ ରହୁଛି । ପୂର୍ବରୁ ଯେଉଁ ମାଟିକୁ ଆମେ ୧୦୦୦ ଟଙ୍କା ୧୨୦୦ ଟଙ୍କା ଟ୍ରିପ୍ରେ କିଣୁଥିଲୁ ବର୍ତ୍ତମାନ ତାହା ଏବେ ସାଢ଼େ ୪ ହଜାରରୁ ୫୨୦୦ ଟଙ୍କା ହୋଇଗଲାଣି । ମାଟି କିଣି ତିଆରି କରି ବିକିଲା ବେଳକୁ ଭଲ ଲାଭ ମିଳୁନି । ତା ଅପେକ୍ଷା ମାଟିପାତ୍ର କିଣି ବିକିଲେ ଲାଭ ଅଧିକା ରହୁଛି । ସେଥିପାଇଁ ମାଟିସାମଗ୍ରୀ ତିଆରିକରିବା ଛାଡ଼ିଦେଇଛୁ । ବିଶେଷକରି ସିଲିଗୁଡ଼ି, ଦାର୍ଜିଲିଂ, ରାଜସ୍ଥାନ, ଅହମଦାବାଦ୍ ଭଳି ବାହାର ସ୍ଥାପରୁ ମାଟିପାତ୍ରଗୁଡ଼ିକ ଆମଦାନୀ ହେଉଥିବା ବେଳେ ଓଡ଼ିଶାର ସୋନପୁର, ନୟାଗଡ଼, ବାରଙ୍ଗରୁ ଆସୁଛି । ବାହାର ରାଜ୍ୟରୁ ଆସୁଥିବା ପାତ୍ରଗୁଡ଼ିକ ଆଖିକୁ ସୁନ୍ଦର ଓ ଚିକ୍କଣ ଦେଖାଯାଉଥିବାରୁ ଲୋକମାନଙ୍କର ଆଦର ଅଧିକ ରହୁଛି । କିନ୍ତୁ ଆମ କୁମ୍ଭକାର ଦ୍ୱାରା ପ୍ରସ୍ତୁତ ମାଠିଆ ପାଣି ଅଧିକ ଥଣ୍ଡା ରହୁଛି ।
ଅନେକ କୁମ୍ଭାର ପରିବାର ଦୁଃଖ ପ୍ରକାଶ କରି କହିଛନ୍ତି, ରାଜ୍ୟରେ କୁମ୍ଭାରମାନଙ୍କ ବୃତ୍ତି ବଞ୍ଚାଇବା ତଥା ତାଙ୍କ ଦକ୍ଷତାର ବିକାଶ ଦିଗରେ କୌଣସି କାମ କରାଯାଉ ନାହିଁ । ଫଳରେ ଅନ୍ୟ ରାଜ୍ୟର କାରିଗର ଓ ଶିଳ୍ପୀମାନଙ୍କ ତୁଳନାରେ ଆମେ ବହୁତ ପଛରେ ପଡ଼ିଯାଇଛୁ । ଏପରିକି ନିଜ କୌଳିକ ବୃତ୍ତି ବଦଳାଇବାକୁ ବାଧ୍ୟ ହେଉଛୁ । ଯେଉଁ ମାଟିପତ୍ରଗୁଡ଼ିକ ବାହାର ରାଜ୍ୟରୁ ଅସୁଛି ଏଠି ସେଗୁଡ଼ିକ ତିଆରି ହେଲେ ତାହାର ମୂଲ୍ୟ କମିଯିବ । ଲୋକମାନେ ଶସ୍ତାରେ ପାଇପାରିବେ । ଆମ କାରିଗରମାନେ ବି ଏଥିରୁ ଉପକୃତ ହେବେ ।
ଏହି ଖବରଟିକୁ ପଢନ୍ତୁ-