ଭୁବନେଶ୍ୱର, ୩୦/୦୪: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିଆରି ହୋଇଥିବା କମାରଶାଳରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ମଙ୍ଗଳବାର ରାତିରେ କାଳବୈଶାଖୀ ଯୋଗୁ ନିର୍ମାଣ ହୋଇଥିବା ଚାଳ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ କଣ୍ଟା କମାରଶାଳରେ କମାର ସେବକ ନିର୍ମାଣ କରିଥାନ୍ତି । ଦୋଳବେଦୀ ପରିସରରେ ପ୍ରତ୍ୟେକ ବର୍ଷ ସ୍ବତନ୍ତ୍ର କମାରଶାଳ ନିର୍ମାଣ କରାଯାଇଥାଏ । କମାର ଶାଳରେ ସ୍ୱତନ୍ତ୍ର ଚୂଲି ନିର୍ମାଣ ହୋଇ ତିନି ରଥ ପାଇଁ କଣ୍ଟା ପ୍ରସ୍ତୁତ କରାଯାଏ ।
ଆଜି ପବିତ୍ର ଅକ୍ଷୟ ତୃତୀୟରେ ତିନି ରଥର ମୁଖ୍ୟ କମାର ସେବକ ଶାଢୀ ବାନ୍ଧିବା ପରେ ଗୁରୁବାର ଠାରୁ ବିଧିବଦ୍ଧ ଭାବେ କମାରଶାଳରେ କଣ୍ଟା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ମଙ୍ଗଳବାର ରାତିରେ କାଳବୈଶାଖୀ ଯୋଗୁ କମାରଶାଳ ପାଇଁ ଚାଞ୍ଛ ଓ ଛାମୁଣ୍ଡିଆ ବର୍ଷା, ପବନ ପ୍ରଭାବରେ ସମ୍ପୂର୍ଣ୍ଣ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ପୁଣି ଥରେ ନିର୍ମାଣ କରାଯିବ ।