ଭୁବନେଶ୍ୱର,୨୬/୬ : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଗୁରୁବାର ଏହା ଲଘୁଚାପ ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୫ ଓ ୨୬ ତାରିଖରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ କୁହାଯାଇଛି ।
ଗୁରୁବାର ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଶୁକ୍ରବାର (୨୭ ତାରିଖ) ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଝାରସୁଗୁଡ଼ା ଓ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ । ତେବେ ଶୁକ୍ରବାର ରଥଯାତ୍ରାରେ ପୁରୀରେ ବର୍ଷା ହେବା ସମ୍ଭାବନା କମ୍ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ି ବାକି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ । ପୁରୀ ସମେତ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି । ଶନିବାର (୨୮ ତାରିଖ) ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ରେ ଭାରି ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବୁଧବାର କିଛି ଘଣ୍ଟା ଭିତରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ଅପରାହ୍ନରେ ୫୦.୧ ମିମି ବର୍ଷା ରେକର୍ଡ ହୋଇଛି । ବଲାଙ୍ଗୀରରେ ୪୬.୫, ବାଲେଶ୍ୱରରେ ୪୦.୪, ଜଗତସିଂହପୁରରେ ୩୨.୨, ନବରଙ୍ଗପୁରରେ ୩୧.୨, କୋରାପୁଟରେ ୨୦, କେନ୍ଦୁଝରରେ ୧୪.୨, ପାରଳାଖେମୁଣ୍ଡିରେ ୧୦ମିମି ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ବୁଧବାର ସୁଦ୍ଧା ରାଜ୍ୟରେ ୧୫୨.୯ ମିମି ମୌସୁମୀ ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ଭାବେ ୧୬୩.୬ ମିମି ବର୍ଷା ହେବା କଥା । ପ୍ରାୟ ୭% ନିଅଣ୍ଟିଆ ବର୍ଷା ହୋଇଛି । ଦେବଗଡ଼ରେ ଅତ୍ୟଧିକ ବା ୬୦%ରୁ ଅଧିକ ବର୍ଷା ହୋଇଛି । ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ତଥ୍ୟ ଦେଇଛି ।