ମୁମ୍ବାଇ,୦୬/୧୧: ବଡ ପରଦାରେ ଏକ ଧମାକା କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ହରଭଜନ ସିଂ । ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ପୋଷ୍ଟର ସେୟାର କରି ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଯେଉଁଥିରେ ତାଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳିଛି । ଏହାକୁ ଫ୍ୟାନ୍ସ ପସନ୍ଦ କରିବା ସହ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ହରଭଜନ ସିଂ ଫିଲ୍ମ 'ସାଭିୟର'ରେ ନଜର ଆସିବେ । ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରି ଏହା ଘୋଷଣା କରିଛନ୍ତି ।
ଏହା ସେୟାର କରି ସେ ଲେଖିଛନ୍ତି, 'ନିର୍ଦ୍ଦେଶକ ଜନ୍ ଏବଂ ତାଙ୍କ ଟିମ୍ ସହ ପୁଣି ଥରେ କାମ କରିବାକୁ ଉତ୍ସାହିତ, ଏହି ଚଳଚ୍ଚିତ୍ର ସମସ୍ତଙ୍କ ପାଇଁ ଏକ ବଡ଼ ମନୋରଞ୍ଜନ ହେବ, ପ୍ରସ୍ତୁତ ରୁହ' । ଫିଲ୍ମର ନାମ 'ସାଭିୟର' ହୋଇଥିବା ବେଳେ ଏହି ଚଳଚ୍ଚିତ୍ରରେ ହରଭଜନ ଜଣେ ଡାକ୍ତର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କର ନାମ ଡକ୍ଟର ଜେମ୍ସ ମଲହୋତ୍ରା। ଯଦିଓ ଫିଲ୍ମଟି କେବେ ରିଲିଜ୍ ହେବ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ, ଖୁବ୍ ଶୀଘ୍ର ଏକ ଅପଡେଟ୍ ସେ ସେୟାର କରିବେ ବୋଲି ଆଶା କରାଯାଉଛି ।
ତେବେ ଘରୋଇ ଟି -20 ଲିଗରେ ଚେନ୍ନାଇ ପାଇଁ ଖେଳୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ତାମିଲ ଦର୍ଶକଙ୍କ ମଧ୍ୟରେ ପ୍ରିୟ ଷ୍ଟାର ହୋଇଥିଲେ। ହରଭଜନ ସିଂ ମଧ୍ୟ ଅନେକ ତାମିଲ କବିତା ଲେଖିଥିଲେ। ଏହା ପରେ ହରଭଜନ ସିଂ ତାମିଲ ଚଳଚ୍ଚିତ୍ରରେ କାମ କରିବାକୁ ଅଫର ପାଇଲେ ଏବଂ ସେ ତାଙ୍କ ଅଭିନୟ ସହିତ କୋଲିଉଡ ଦର୍ଶକଙ୍କ ହୃଦୟ ଜିତିଥିଲେ । ହରଭଜନ ସିଂ ତାମିଲ ଚଳଚ୍ଚିତ୍ର 'Friendship'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଯାହାର ନିର୍ଦ୍ଦେଶନା ଦେଇଥିଲେ ଜନ୍ ପଲ୍ ରାଜ ଏବଂ ଶ୍ୟାମ ସୂର୍ଯ୍ୟା । ତାମିଲ ଚଳଚ୍ଚିତ୍ର 'ଡିକ୍କିଲୋନା'ରେ ହରଭଜନ ସିଂ ମଧ୍ୟ ଏକ କ୍ୟାମିଓ ଭୂମିକା ଗ୍ରହଣ କରିଥିଲେ। ଯେଉଁଥିରେ ସନ୍ଥନମ୍ ମୁଖ୍ୟ ଭୂମିକାରେ ଥିଲେ । ହରଭଜନ ସିଂ କିଛି ହିନ୍ଦୀ ଚଳଚ୍ଚିତ୍ରରେ କ୍ୟାମିଓ ରୋଲରେ ଅଭିନୟ କରିଛନ୍ତି ।