ପୁରୀ,୦୧/୧୦: ଚଳିତ ବର୍ଷ ପବିତ୍ର କାର୍ତ୍ତିକ ମାସରେ ସରକାର ପ୍ରାୟ ୨୫୦୦ ମହିଳାଙ୍କୁ ହବିଷ୍ୟ କରିବାକୁ ମାଗଣାରେ ସବୁ ସୁବିଧା ଯୋଗାଇଦେବେ । କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ହବିଷ୍ୟାଳିଙ୍କୁ ପୁରୀରେ ମାଗଣାରେ ସବୁ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଦେଇଥିବା ପ୍ରସ୍ତାବକୁ ସରକାର ମଂଜୁର କରିଛନ୍ତି । ଏନେଇ ସୋମବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ତାଙ୍କ ଆବାସିକ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ବ୍ରତ ।
ହବିଷ୍ୟାଳିଙ୍କ ରହଣି, ପରିବହନ, ଶ୍ରୀମନ୍ଦିରରେ ଠାକୁର ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ପରିମଳ, ସ୍ୱାସ୍ଥ୍ୟ ସେବା, ମହାପ୍ରସାଦ ସେବନ, ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ସମସ୍ତ ବିଷୟରେ ପ୍ରଶାସନ ସୋମବାର ପ୍ରସ୍ତୁତି ବୈଠକରେ ଠୋସ୍ ପଦକ୍ଷେପ ନେଉଛି । ବୃନ୍ଦାବତୀ ନିବାସ ବ୍ୟତୀତ, ପୌରସଂସ୍ଥାର କଲ୍ୟାଣ ମଣ୍ଡପମାନଙ୍କରେ ହବିଷ୍ୟାଳିଙ୍କ ରହଣି ବ୍ୟବସ୍ଥା କରିବାକୁ ପ୍ରାଥମିକ ନିଷ୍ପତ୍ତି ହୋଇଛି । ବାଗେଡ଼ିଆ ଧର୍ମଶାଳାକୁ ହବିଷ୍ୟାଳି ଶିବିର କରିବା ନିଷ୍ପତ୍ତିକୁ ବାଦ୍ ଦିଆଯାଇଛି ।
ଅକ୍ଟୋବର ପ୍ରଥମ ସପ୍ତାହରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ସରକାରଙ୍କ ଏହି ସୁବିଧା ନେବାକୁ ଚାହୁଁଥିବା ମହିଳାମାନେ ଅନ୍ଲାଇନ୍ରେ ଆବେଦନ କରିବେ । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ଖୁବ୍ଶୀଘ୍ର ଇମେଲ୍ ଆକାଉଣ୍ଟ ଓ ଯୋଗାଯୋଗ ମୋବାଇଲ ନମ୍ବର ଜାରି ହେବ । ଆବେଦନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା ନିମନ୍ତେ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯିବ । ଯାହା ଆସନ୍ତା ୧୦ ଦିନ ଭିତରେ ପ୍ରଶାସନ ସ୍ପଷ୍ଟ କରିବ ।
ହବିଷ୍ୟାଳିଙ୍କୁ ମହାପ୍ରସାଦ ଯୋଗାଇ ଦେବା ନିମନ୍ତେ ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗ ସହ ବୈଠକ କରାଯାଇ ଦର ନିର୍ଦ୍ଧାରିତ କରାଯିବ । ସେହିପରି ଯେପରି ହବିଷ୍ୟାଳିଙ୍କୁ ମହାପ୍ରଭୁଙ୍କ ଦର୍ଶନ ଠିକ୍ ଭାବେ ମିଳିବ ସେଥିନିମନ୍ତେ ସ୍ୱେଚ୍ଛାସେବୀଙ୍କୁ ମୁତୟନ କରାଯିବ । ସ୍ୱେଚ୍ଛାସେବୀମାନେ ହବିଷ୍ୟାଳିଙ୍କୁ ବସ୍ କିମ୍ବା ଅନ୍ୟ ବ୍ୟାଟେରି ଗାଡ଼ିରେ ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବେ । କାର୍ତ୍ତିକ ମାସରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବହୁ ସଂଖ୍ୟାରେ ବଢ଼ିବା ଆଶଙ୍କା ଥିବାରୁ ଭିଡ଼ ନିୟନ୍ତ୍ରଣ ନିମନ୍ତେ ପୁଲିସ ଓ ଜେଟିପିମାନଙ୍କୁ ଆବଶ୍ୟକତା ମୁତାବକ ସ୍ଥାନରେ ମୁତୟନ କରାଯିବ ।
ପ୍ରତିବର୍ଷ ପ୍ରଶାସନ ୩ରୁ ୪ ହଜାର ହବିଷ୍ୟାଳିଙ୍କ ରହଣି, ମହାପ୍ରସାଦ ସହ ଆନୁସଙ୍ଗିକ ସମସ୍ତ ବ୍ୟବସ୍ଥା କରୁଥିବା ବେଳେ ଚଳିତ ବର୍ଷ ଏଥିରେ କାଟଛାଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷମାନଙ୍କରେ ହବିଷ୍ୟ ବ୍ରତ କରିବାକୁ ଆସୁଥିବା ମା’ମାନଙ୍କ ଅପେକ୍ଷା ନୂଆ ହବିଷ୍ୟାଳିଙ୍କୁ ପ୍ରାଥମିକ ଭିତରେ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସରକାର ବଦଳି ଥିବାରୁ ନୂଆ ହିତାଧିକାରୀଙ୍କୁ ସୁଯୋଗ ଦେବାକୁ ଚିନ୍ତା କରାଯାଉଛି । ସେପଟେ ଗତବର୍ଷ ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ପାଳନରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।