ନୂଆଦିଲ୍ଲୀ: ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରଠାରୁ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆ ଯାଇଥିବା ଅଶ୍ବିନ୍ ଅବସର ଘୋଷଣା କରିବା ପରେ ଘରକୁ ଫେରି ଆସିଛନ୍ତି । ଏବେ ଅଶ୍ବିନଙ୍କ ଇସ୍ତଫା ଦେବାର କାରଣ ଏବଂ ପରବର୍ତ୍ତୀ କାର୍ଯ୍ୟ ଶୈଳୀ କଣ ହେବ ତାକୁ ନେଇ ଖେଳପ୍ରେମୀଙ୍କ ମହଲରେ ବିଭିନ୍ନ ଆଲୋଚନା ଜାରି ରହିଛି । ଏହାରି ମଧ୍ୟରେ କଂଗ୍ରେସ ସାଂସଦ ବିଜୟ ବସନ୍ତ, ରବିଚନ୍ଦ୍ର ଅଶ୍ବିନଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିବା ଦରକାର ବୋଲି କହିଛନ୍ତି ।
କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିବା ନେଇ ‘ଏକ୍ସ’ରେ ପୋଷ୍ଟ କରି ଜଣାଇଛନ୍ତି ବିଜୟ ବସନ୍ତ । ଭାରତୀୟ କ୍ରିକେଟ ପ୍ରତି ତାଙ୍କର (ଅଶ୍ବିନ) ଉଲ୍ଲେଖନୀୟ ଅବଦାନ ଦୃଷ୍ଟିରୁ ସେ ଉଚିତ ସମ୍ମାନ ପାଇବାକୁ ହକଦାର ବୋଲି ସେ ଲେଖିଛନ୍ତି । ବୁଧବାର ଭାରତୀୟ ଟିମ୍ର ଅଧିନାୟକ ରୋହିତ ଶର୍ମାଙ୍କ ସହ ଅଶ୍ବିନ ସାମ୍ବାଦିକ ସମ୍ମିଳନୀରେ ନିଜର ଅବସର ଘୋଷଣା କରିଥିଲେ । ବ୍ରିସବେନ ଟେଷ୍ଟ ପରେ ହଠାତ ଅଶ୍ବିନ ଅବସର ନେଇ ଘୋଷଣା କରିବା, ଖେଳପ୍ରେମୀଙ୍କୁ ଆନ୍ଦୋଳିତ କରିଛି । ଅଶ୍ବିନଙ୍କ ଅବସର ପଛରେ କଣ ରହସ୍ୟ ରହିଛି ତାହା ମଧ୍ୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ଅଶ୍ବିନଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଉପରେ ନଜର ପକାଇଲେ, ସେ ୧୦୬ ଟେଷ୍ଟରେ ୫୩୭ ଓ୍ବିକେଟ ନେଇଛନ୍ତି । ସେ ୩୭ ଥର ୫ଟି ଲେଖଏଁ ଓ୍ବିକେଟ ନେଇ ରେକର୍ଡ କରିଛନ୍ତି । ଏହା ସହ ଅଶ୍ବିନ ୩୫୦୩ ରନ୍ ମଧ୍ୟ କରିଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ଅଶ୍ବିନ ସପ୍ତମ ସର୍ବାଧିକ ଓ୍ବିକେଟ ଟେକର ଏବଂ ଭାରତରେ ତାଙ୍କର ସ୍ଥାନ ଦ୍ବିତୀୟ । ୬୧୯ ଟେଷ୍ଟ ଓ୍ବିକେଟ ସହ ପ୍ରଥମ ସ୍ଥାନରେ ଅଛନ୍ତି ଅନିଲ କୁମ୍ବଲେ । ୫ଟି ଲେଖାଏଁ ଓ୍ବିକେଟ ନେବା ମାମଲାରେ ଶ୍ରୀଲଙ୍କାର ମୁଥୟା ମୂରଲିଧରନଙ୍କ ପରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଆର. ଅଶ୍ବିନ । ସେହିଭଳି ସୀମିତ ଓଭର କ୍ରିକେଟରେ ଅଶ୍ବିନଙ୍କ ପ୍ରଦର୍ଶନ ମଧ୍ୟ ଖୁବ ଭଲ ରହିଛି । ସେ ଭାରତର ୨୦୧୧ ବିଶ୍ବକପ୍ ଚାମ୍ପିଅନ ସ୍କ୍ବାଡ୍ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ରେ ସାମିଲ ଥିଲେ । ଅଶ୍ବିନଙ୍କ ଅବସର ପରେ ଏକ ଯୁଗର ଅବସାନ ଘଟିଛି ଏବଂ ତାଙ୍କର ଉଲ୍ଲେଖନୀୟ ଅବଦାନ ଚିର ଦିନ ପାଇଁ ଖେଳ ପ୍ରେମୀଙ୍କ ହୃଦୟରେ ରହିବ ।