ଭୁବନେଶ୍ବର, ୧୮।୨ : କିଟ୍ରେ ଛାତ୍ରୀ ଆତ୍ମହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଘଟଣାର କାରଣ ଖୋଜିବ ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। କମିଟିରେ ଗୃହ ବିଭାଗର ଅତିରିକ୍ତ ସଚିବ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ସଚିବ, ଉଚ୍ଚଶିକ୍ଷା ସଚିବ କମିଟିର ସଦସ୍ୟ ରହିଛନ୍ତି । ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚ ସ୍ତରୀୟ ତଥ୍ୟ ଅନୁସନ୍ଧାନ କମିଟିର ରିପୋର୍ଟକୁ ଆଧାର କରି ଉପଯୁକ୍ତ ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।
କିଟରେ ଦୁର୍ଭାଗ୍ୟ ଜନକ ସ୍ଥିତ ଘଟିଛି। ନେପାଳ ଛାତ୍ରଛାତ୍ରୀ ଆମର ଅତିଥି । ଏଭଳି ଏକ ଘଟଣା କିଭଳି ବେସରକାରୀ ବିଶ୍ୱ ବିଦ୍ୟାଳୟରେ ଘଟିଲା । ଗୃହବିଭାଗ ଅତିରିକ୍ତ ସଚିବଙ୍କ ତତ୍ୱବଧାନରେ ନିରପେକ୍ଷ କମିଟି ଗଠନ କରାଯାଇଛି । ଜଣେ ମହିଳା ମଧ୍ୟ ଏହି କମିଟିରେ ରହିଛନ୍ତି । କେଉଁ କାରଣରୁ ସାଇନ ଡାଏ କରାଗଲା । କାହିଁକି କଟକ ରେଲୱେ ଷ୍ଟେସନରେ ଛାଡିଲେ । ସେ ସମୟରେ ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ପାଖକୁ କାହିଁକି ଖବର ଦିଆଗଲା ନାହିଁ। ସମ୍ବେଦନଶୀଳ ଘଟଣା ଉପରେ ପୋଲିସ ନଜର ରଖିଛି । ବହୁ ନେପାଳ ଛାତ୍ରଛାତ୍ରୀ ଫେରି ଆସିଲେଣି ଯେଉଁ ଛାତ୍ରଛାତ୍ରୀ ଅନ୍ୟ ଜାଗାରେ ଅଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ବିଶ୍ୱ ବିଦ୍ୟାଳୟକୁ ନିର୍ଦେଶ ଦିଆଯଇଛି । ଘଣ୍ଟାକୁ ଥରେ ରିପୋର୍ଟ ମଗା ଯାଉଛି । କାଉଁନସେଲିଂ ପାଇଁ ଟିମ ଗଠନ ହୋଇଛି । ଉପ ଜିଲ୍ଲାପାଳ ମୃତ ଛାତ୍ରୀଙ୍କ ପରିବାର ସହ ଅଛନ୍ତି । ଏଡିଏମଙ୍କୁ କିଟ ପରିସରରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାରେ ୫ ଜଣଙ୍କୁପୋଲିସ ଗିରଫ କରିଛି। ଦୁଇଜଣ ସିକ୍ୟୁରିଟି ଗାର୍ଡ ଏବଂ ତିନିଜଣ ନିର୍ଦ୍ଦେଶକଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଡାଇରେକ୍ଟର ଜେନେରାଲ କିଟ୍ ୟୁନିଭରସିଟି ଶିବାନନ୍ଦ ମିଶ୍ର, ଡାଇରେକ୍ଟର ଆଡମିନିଷ୍ଟ୍ରେସନ୍ ପ୍ରତାପ କୁମାର ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର କୁମାର ରଥ, ସିକ୍ୟୁରିଟି ଗାର୍ଡ ରମାକାନ୍ତ ନାୟକ ଓ ସିକ୍ୟୁରିଟି ଗାର୍ଡ ଯୋଗେନ୍ଦ୍ର ବେହେରା । କୋର୍ଟରୁ ୩ ନିର୍ଦେଶକଙ୍କ ସମତେ ୫ ଜଣଙ୍କୁ ଜାମିନ ମିଳିଛି।