ମୁନିଗୁଡ଼ା,୦୯/୧୨: ଅଳଙ୍କାର ବ୍ୟାଗ୍ ଧରି ଦୋକାନ ଖୋଲୁଥିଲେ ମାଲିକ । ଏହି ସମୟରେ ସୁନା ବ୍ୟାଗ୍ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଉକ୍ତ ବ୍ୟାଗ୍ରେ ଅଧକିଲୋ ସୁନା ଥିବା ଥାନାରେ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ଅଞ୍ଚଳରେ ଏଭଳି ଡକାୟତି ଘଟଣା ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ସୋମବାର ସକାଳୁ ସାହୁ ଜୁଏଲାରୀ ମାଲିକ ଅଳଙ୍କାର ବ୍ୟାଗ୍ ଧରି ଦୋକାନର ସଟର ଖୋଲୁଥିଲେ । ଏହି ସମୟରେ ଦୁର୍ବୃତ୍ତ ତାଙ୍କ ଉପରେ ନଜର ରଖିଥିଲେ । ମଉକା ପାଇ ବାଇକ୍ରେ ଆସି ଦୁର୍ବୃତ୍ତ ମାନେ ସୁନା ବ୍ୟାଗ୍ଟିକୁ ଝାମ୍ପି ନେଇଥିଲେ । ଦୋକାନର ମାଲିକ ସୋମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଦ୍ରୁତ ଗତିରେ ବାଇକ୍ ଚଲାଇ ଫେରାର ହୋଇଥିଲେ । ପରେ ଏନେଇ ଦୋକାନ ମାଲିକ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ଅମ୍ବାଦୋଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଜାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଉକ୍ତ ବ୍ୟାଗ୍ରେ ଅଧକିଲୋ ସୁନା ଅଳଙ୍କାର ରହିଥିବା ଜଣା ପଡ଼ିଛି ।