ଫୁଲବାଣୀ,୧୮/୨ : ଫୁଲବାଣୀର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ବ୍ରହ୍ମପୁର ଠାରେ ଚିକିତ୍ସିତ ହେଉଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ଦୁଇ ଦିନ ତଳେ ତାଙ୍କୁ ଭୂବନେଶ୍ୱର ଏମସରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଡ. ମିନତୀ ପାଣିଗ୍ରାହୀ, ଵଡପୁଅ ସ୍ନିଗ୍ଧ ଅଭିଳାଷ ଓ ଝିଅ ଶୀତଲ ପୂର୍ଣ୍ଣିମା ଉପସ୍ଥିତ ଥିଲେ।
ସ୍ବର୍ଗତ ନାୟକ କଂଗ୍ରେସ ଦଳର ବରିଷ୍ଠ ନେତା ଥିଲେ। ସେ ୧୯୮୦,୧୯୯୧ ଓ ୧୯୯୬ରେ କଂଗ୍ରେସ ଦଳ ଟିକଟରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହ ସେ ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୫୨ ମସିହା ଜୁଲାଇ ୧ ତାରିଖରେ ମୃତ୍ୟୁଞ୍ଜୟ ଜନ୍ମଗ୍ରହଣ କରିଥିଲେ। ସେ ମୂଳରୁ ଛାତ୍ର ରାଜନୀତି ସହିତ ସମ୍ପୃକ୍ତ ଥିଲେ। ବ୍ରହ୍ମପୁର ଖଲିକୋଟ କଲେଜରେ ଉଚ୍ଚଶିକ୍ଷା ହାସଲ କରିବା ପରେ ଜାନକୀ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ।
କନ୍ଧମାଳ ଜିଲ୍ଲାର ଜଣେ ଟାଣୁଆ ନେତା ହିସାବରେ ତାଙ୍କର ଖ୍ୟାତି ରହିଥିଲା। ତାଙ୍କର ବିୟୋଗ ଜିଲ୍ଲା କଂଗ୍ରେସରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡା। ମୃତ୍ୟୁଞ୍ଜୟଙ୍କ ପରଲୋକରେ କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ,ପୁର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା,ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ବରିଷ୍ଠ କଂଗ୍ରେସ ନେତା ଅମୀରଚାନ୍ଦ ନାୟକ, ଘନକୁମାର ଶବର, ଗୌରଚରଣ ବେହେରା, ବଳଦେବ ବେହେରାଙ୍କ ସମେତ ଜିଲ୍ଲା କଂଗ୍ରେସର ବହୁ ନେତା ଶୋକ ପ୍ରକାଶ କରିଛନ୍ତି। ବୁଧବାର ଫୁଲବାଣୀ ଠାରେ ତାଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ।