ପ୍ରମୂଖ ଖବର
  • ମୋହନା : ଶାଗୁଆନ କାଠ ବୋଝେଇ ପିକଅପ୍ ଗାଡ଼ି ଜବତ, ଜଣେ ଗିରଫ
  • ||
  • ଭରତପୁର ଥାନା ବିବାଦ ଘଟଣା: ନୋଟିସ ପରେ କମିଶନଙ୍କ ନିକଟରେ ହାଜର ହେଲେ ସମସ୍ତେ
  • ||
  • ଜୟରାମପୁର ଗାଁରେ ଅଘଟଣ, ବୃଦ୍ଧାଙ୍କୁ କାମୁଡ଼ି ମାରିଦେଲା ପାଗଳ କୁକୁର
  • ||
  • ନୂଆପଡ଼ା:ପାଳଗଦାରେ ନିଆଁ ଲଗାଇ ଦେଲା ବୋଲି ୭ ବର୍ଷର ନାବାଳକଙ୍କୁ ମାଡ ମାରି ଜାଳନ୍ତି ନିଆଁରେ ଫିଙ୍ଗି ଦେଲା ମାଲିକ
  • ||
  • ବୌଦ୍ଧ ପୋଲିସର ବଡ଼ ସଫଳତା: ଦୁଇଟି ଥାନା ଅଞ୍ଚଳରୁ ୧ ଲକ୍ଷ ୨୦ ହଜାର ଗଞ୍ଜେଇ ଗଛ ନଷ୍ଟ
  • ||
  • ଘଟଗାଁ : ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ଜୟପୁର : ରାଣୀଗଡର ତେଲିଙ୍ଗିରି ଡ୍ୟାମରୁ ପାଣି ଲିକ୍‌, ରବି ଫସଲ ପ୍ରଭାବିତ ହେବାର ଆଶଙ୍କା
  • ||
  • ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ତ୍ରିବିକ୍ରମ ବେଶ, ଶ୍ରୀକ୍ଷେତ୍ରରେ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
  • ||
  • ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଲାଗି ହେଲା ଗଜଭୋଗ ଓ ତରଣ
  • ||

ପଥରଗାଡିଆ ବାଣ ବିସ୍ଫୋରଣ ଘଟଣା, ଗୋଦାମରେ ଥିଲା ବାରୁଦ ଗଦା

ଭୁବନେଶ୍ଵର, ୧୨/୧୧ : ଇନଫୋସିଟି ଥାନା ଅନ୍ତର୍ଗତ ପଥରଗାଡିଆ ଅଞ୍ଚଳରେ ବାଣ ବିସ୍ଫୋରଣ ଘଟଣା। ବାଣ ଗୋଦାମ ସାମ୍ନା ଘରେ ରହିଛି ବାରୁଦ ଗଦା। ଏହି ବାରୁଦ ଘରେ ନିଆଁ ଲାଗିଥିଲେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥାନ୍ତା। ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥାନ୍ତା। ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହା ଏକ ବାଣ ଗୋଦାମ ହୋଇଥିବା ନେଇ ପୂର୍ବରୁ ପୋଲିସ ପାଖରେ ଖବର ଥିଲା। ତଥାପି ପୋଲିସ କାହିଁକି ଚୁପ୍ ବସିଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଇନଫୋସିଟି ପୋଲିସ ସୋମବାର ରାତିରେ ଏକ ଟ୍ରକ୍ ଲଗାଇ ବାଣ ନେଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଅନ୍ୟପଟେ ଏହି ଘରେ ଭଡ଼ାରେ ରହୁଥିବା ଯୁବତୀମାନେ ସେମାନଙ୍କ ଜିନିଷପତ୍ର ସ୍ଥାନାନ୍ତର କରୁଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ସେମାନଙ୍କର କ୍ଷୟକ୍ଷତି ହୋଇଥିବାରୁ ସେମାନେ କ୍ଷତିପୂରଣ ଦାବି କରିଛନ୍ତି। ବାଣ କାରଖାନାକୁ ଇନଫୋସିଟି ଥାନା ପୋଲିସ ସିଲ୍ କରିଦେଇଛି। ଘର ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ସେପଟେ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାର ଯାଞ୍ଚ ଆରମ୍ଭ କରିଛି। ବାଣ କାରଖାନା ଭିତରେ କେମିତି ଲେଡିଜ୍ ହଷ୍ଟେଲ ଚାଲିଥିଲା ସେନେଇ ପୋଲିସ ତଦନ୍ତ କରୁଛି। 

ପ୍ରକାଶ ଥାଉକି, ଇନଫୋସିଟି ଥାନା ଅଧୀନ ଚୂନକୋଳି ଗାଁର ଶେଷ ମୁଣ୍ଡରେ ୨ ମହଲା ବିଶିଷ୍ଟ ବିଲ୍ଡିଂରେ ବାଣ କାରଖାନା ଚାଲିଥିଲା । ବିଲ୍ଡିଂ କଡ଼ରୁ ଚୂନକୋଳି ବସ୍ତି ଆରମ୍ଭ । ସୋମବାର ଅପରାହ୍ଣ ସାଢେ ୪ଟାରେ ବିଲ୍ଡିଂ ଭିତରୁ କିଛି ବାଣ ଫୁଟିଥିବା ଶଦ୍ଦ ଶୁଣାଯାଇଥିଲା । ପଞ୍ଚୁକ ପାଇଁ କିଏ ବାଣ ଫୁଟାଉଥିବ ଭାବି ପ୍ରଥମେ ସ୍ଥାନୀୟ ବାସିନ୍ଦା ଗୁରୁତ୍ୱ ଦେଇନଥିଲେ । କିଛି କ୍ଷଣ ବିତିଛି କି ନାହିଁ, ଅଚାନକ ବୋମା ଫୁଟିଲା ଭଳି ପ୍ରଚଣ୍ଡ ଶଦ୍ଦ ଶୁଣାଗଲା । ଢ଼ୋ ଢ଼ା ଶଦ୍ଦରେ ନିରବଚ୍ଛିନ୍ନ ଭାବେ ବାଣ ଫୁଟି ଚାଲିଲା । ସ୍କାଏ ସଟ୍‌, ସୁତୁଲି ବାଣ ବିଲ୍ଡିଂ ବାହାରକୁ ଛିଟିକି ପଡୁଥିଲା । ବିସ୍ଫୋରଣ ଯୋଗୁ ପ୍ରଥମ ମହଲାର ଛାତ ଉଡି଼ଗଲା । ସିଡି଼ ଘର ଛିନ୍‌ଛତ୍ର ହୋଇଯାଇ ଲୁହା ଛଡ଼ ବାହାରି ଯାଇଥିଲା । ପଡ଼ୋଶୀଙ୍କ ଘର ଓ ଏକାଧିକ ଅଫିସର ଆଜ୍‌ବେଷ୍ଟସ୍‌ ଏବଂ ଝରକା କାଚ ମଧ୍ୟ ଭାଙ୍ଗି ଯାଇଥିଲା । ୨ କିମି ଯାଏଁ ପ୍ରଚଣ୍ଡ ଶଦ୍ଦ ଶୁଣି ଅଞ୍ଚଳବାସୀ ଛାନିଆଁ ହୋଇପଡି଼ଥିଲେ । ଲେଡିଜ୍‌ ହଷ୍ଟେଲ ଭିତରୁ ଅନେକ ଅନ୍ତେବାସୀ ଚିତ୍କାର କରି ବାହାରକୁ ଧାଇଁବାକୁ ଲାଗିଲେ । କିନ୍ତୁ ୨ ଯୁବତୀ ଆହତ ହେବାରୁ ଘର ଭିତରେ ଫସିଗଲେ । ଶତ ଚେଷ୍ଟା ସତ୍ତ୍ଵେ ବାହାରି ପାରିଲେନି । ଗାଁ ଲୋକ ସାହାସ ଦେଖାଇ ଘର ଭିତରେ ପଶି ଉଭୟଙ୍କୁ ଉଦ୍ଧାର କରିଥିଲେ । ବିସ୍ଫୋରଣର କିଛି ମିନିଟ୍‌ ଭିତରେ ଦୁଇଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା । ସେତେବେଳକୁ ନିଆଁ ଉପର ମହଲାକୁ ବ୍ୟାପି ସାରିଥିଲା । ବିସ୍ଫୋରଣର କୋପ ଏତେ ଜୋର ଥିଲା ଯେ, ଅଗ୍ନିଶମ ବାହିନୀ ଭିତରକୁ ପଶିବା କାଠିକର ହୋଇ ପଡ଼ିଥିଲା । ଆଉ ଦୁଇ ଅଗ୍ନିଶମ ବାହିନୀ ପହଞ୍ଚି ଅକ୍ସିଜେନ୍‌ ମାସ୍କ ପିନ୍ଧି ଘର ଭିତରେ ପଶି ନିଆଁ ଲିଭାଇଥିଲେ । ଘର ଭିତରେ ଗଚ୍ଛିତ ବାଣକୁ ଦେଖି ଅଗ୍ନିଶମ କର୍ମଚାରୀ ତାଜୁବ୍‌ ହୋଇ ଯାଇଥିଲେ । 

ତନାଘନାରୁ ଜଣାପଡି଼ଛି, ଘର ମାଲିକ ତଳମହଲା ସାମ୍ନାରେ ଥିବା ଏକ ଛୋଟ ଆଜବେଷ୍ଟସ ଘରେ ବାଣ ତିଆରି କରୁଥିଲା । ସ୍କାଏ ସଟ୍‌, କୁମ୍ପି, ଝରଝରି, ଧପ୍‌ଧପୀ, ଚକୋଲେଟ ବମ୍‌ ଓ ଗଡ଼ମା ତିଆରିରେ ଘର ମାଲିକ ସିଦ୍ଧହସ୍ତ ଥିଲା । ଘରୁ ସେ ସବୁକୁ ନେଇ ଉପର ମହଲାରେ ବିକ୍ରି ପାଇଁ ଗଛିତ ରଖୁଥିଲା । ସିଡି ଘର ସହ ଡ୍ରଇଂ ରୁମ୍‌, ବେଡ୍‌ ରୁମ୍‌ ଓ ରୋଷେଇ ଘରେ ମଧ୍ୟ ବାଣ ଗଦାଯାଇଥିଲା । ଦୀର୍ଘ ଦିନ ହେବ ସେଠାରେ ବେଆଇନ୍‌ ଭାବେ ବାଣ ତିଆରି ହେଉଥିଲା । ଦୀପାବଳି ଓ ବିବାହ ସମୟରେ ବ୍ୟବସାୟୀମାନେ ଏଠାରୁ ବାଣ ନେଉଥିଲେ । ବିସ୍ଫୋରଣ ପରେ କାରଖାନା ମାଲିକ ସପରିବାରେ ଘର ଛାଡି଼ ଚମ୍ପଟ ମାରିଛି । ପୁଲିସ ଘଟଣାର ତଦନ୍ତ କରିବା ସହ ଉକ୍ତ ଘରକୁ ସିଲ କରିଦେଇଛି । ଫେରାର ମାଲିକଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.