ଭୁବନେଶ୍ୱର, ୧୩/୧୧ (ମନୋରଞ୍ଜନ ମହାନ୍ତି): ଗୋଟିଏ ବର୍ଷ ମାର୍ଚ୍ଚରୁ ତହିଁ ଆର ବର୍ଷ ମାର୍ଚ୍ଚ । ବର୍ଷ ପରେ ବର୍ଷ ଏମିତି ଗଡ଼ି ଚାଲିଛି । କିନ୍ତୁ ବହୁ ପ୍ରତୀକ୍ଷିତ କଳାମଣ୍ଡଳ ପ୍ରକଳ୍ପ କାମ ସରୁନି । ଉଦ୍ଘାଟନ ଘୁଞ୍ଚି ଘୁଞ୍ଚି ଯାଉଛି । ଏଯାଏ ଶୁଭ ମୁହୂର୍ତ୍ତ ଆସିନାହିଁ ବୋଧେ । କୋଉ ତିଥିରେ ଭିତ୍ତି ପଡ଼ିଥିଲା ଯେ, ଲାଗୁଛି ସତେ ଯେମିତି ଏ ପ୍ରକଳ୍ପକୁ ଗ୍ରହଣ ଲାଗିଛି କି କାଳ ଗ୍ରାସିଛି । ଏବେ ପୁଣି ଡେଡ୍ଲାଇନ୍ ଦେଇଛନ୍ତି ସରକାର । ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
୨୦୨୫ ମାର୍ଚ୍ଚରେ ଉଦ୍ଘାଟନ ହେବ ଭୁବନେଶ୍ୱର ଗଜପତି ନଗରରେ ନିର୍ମାଣାଧୀନ ୨ ହଜାର ଦର୍ଶକ ଆସନ ବିଶିଷ୍ଟ ବୃହତ୍ ପ୍ରେକ୍ଷାଳୟ-କଳାମଣ୍ଡଳ । କିନ୍ତୁ ମୁଖ୍ୟ ପ୍ରେକ୍ଷାଳୟ ଅଧାଗଢ଼ା । ସାଧାରଣ ଶୌଚାଳୟ କାମ ବି ସରିନି । ଅଗ୍ନି ନିରାପତ୍ତା ବ୍ୟବସ୍ଥାଠୁ ନେଇ ଆଲୋକୀକରଣ, ତଳ ଚଟାଣ କାମ, କବାଟ, ଝରକା, ବିଭିନ୍ନ ସ୍ଥାନରେ କାଚ ଲାଗିବା, ଡ୍ରେନ୍, ଲ୍ୟାଣ୍ଡ୍ସ୍କେପିଂ, ରଙ୍ଗ କାମ, ପମ୍ପ ହାଉସ୍ କାମ କିଛି ହୋଇନି । ସମ୍ପ୍ରସାରିତ ବିଲ୍ଡିଂ କାମ ଏ ଯାଏ ଆରମ୍ଭ ହୋଇପାରିନି । ଏମିତି କେତେ କ’ଣ । ପାଖାପାଖି ୭୦ ପ୍ରତିଶତ କାମ ହୋଇନି । କେବଳ ବିରାଟ କୋଠା ଗଢ଼ା ହୋଇଛି ।
ଏହା ଆମେ କହୁନୁ, ବରଂ ଠିକା ସଂସ୍ଥାକୁ ତାଗିଦ୍ କରି ଇଡ୍କୋ ଦେଇଥିବା ଚିଠିରେ ଏହା ଉଲ୍ଲେଖ ରହିଛି । ଗତ ୨ ତାରିଖରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ଇଡ୍କୋ ପକ୍ଷରୁ ସ୍ଥିତି ପରଖିବାକୁ ଅଧିକାରୀବୃନ୍ଦ ନିର୍ମାଣ ସ୍ଥଳୀ ଗସ୍ତ କରିଥିଲେ । ଟିକିନିଖି କରି ପ୍ରେକ୍ଷାଳୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ପରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ କରି ତୁରନ୍ତ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ସବୁ କାମ ସାରି ପ୍ରେକ୍ଷାଳୟ ହସ୍ତାନ୍ତର ନ ହେଲେ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ । ଏ ନେଇ ଇଡ୍କୋ ପକ୍ଷରୁ ଠିକାସଂସ୍ଥା ବେଲଗାଁ, ବଲାଙ୍ଗିରର ଡିକେ ଇଞ୍ଜିନିୟରିଂ ଆଣ୍ଡ୍ କନ୍ଷ୍ଟ୍ରକ୍ସନ୍କୁ ଇମେଲ୍ କରାଯାଇଛି । ସେଥିରେ ଲେଖା ଅଛି, ଏବେ ନିର୍ମାଣ ସ୍ଥଳୀରେ କୌଣସି କାମ ଚାଲୁନି । ଯାହା ହୋଇଛି ବହୁତ ଧିମା । ପ୍ରେକ୍ଷାଳୟର କେଉଁ କେଉଁ ଅଞ୍ଚଳର କ’ଣ କ’ଣ କାମ ବାକି ପଡ଼ିଛି, ତା’ର ବି ତାଲିକା ଦିଆଯାଇଛି । ଏଥିସହ ଧାର୍ଯ୍ୟ ସମୟ ଏବଂ ମଞ୍ଜୁର ଅର୍ଥରେ ବଳକା କାମ ସାରିବାକୁ କୁହାଯାଇଛି । ନଚେତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଠିକା ସଂସ୍ଥାକୁ ତାଗିଦ୍ କରାଯାଇଛି ।
ରାଜ୍ୟ ରାଜଧାନୀରେ ସାଂସ୍କୃତିକ ମଣ୍ଡପର ଅଭାବ ପୂରଣ ଏବଂ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାକୁ ୭ ବର୍ଷ ତଳେ ଭୁବନେଶ୍ୱର ଛାତି ଉପରେ ଏହି ବିଶାଳ ପ୍ରେକ୍ଷାଳୟ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା । ୨୦୧୭- ୧୮ ମସିହାରେ ଟେଣ୍ଡର୍ ହେବା ସହ ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଠିକାଦାରଙ୍କୁ ସର୍ତ୍ତ ରହିଲା, ୨ ବର୍ଷରେ ପ୍ରେକ୍ଷାଳୟ ଛିଡ଼ା କରାଇବେ । କିନ୍ତୁ ଏ ଭିତରେ ୭ ବର୍ଷ ପୂରିଲାଣି, ତଥାପି ପ୍ରକଳ୍ପ ଆଣ୍ଠେଇଛି । ନୂଆ ସରକାର ଏହା ଉପରେ ତନାଘନା କଲା ପରେ ଯେତେବେଳେ ଠିକାଦାରଙ୍କ କାମ ସମୀକ୍ଷା ହେଲା ଦେଖାଗଲା ଆହୁରି ପ୍ରେକ୍ଷାଳୟର ୪୦ ପ୍ରକାର କାମ ବାକି ପଡ଼ିଛି । ନିକଟରେ ଏକ ବୈଠକରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି, ପ୍ରତି ସପ୍ତାହରେ ସମୀକ୍ଷା ହେଉଛି । ଆଶା, ସମୟ ଭିତରେ ସରିବ । ତେବେ ପ୍ରକଳ୍ପର ବାକି କାମ ସାରିବାକୁ ଆହୁରି ୨୫ କୋଟି ଆବଶ୍ୟକତା ଥିବା ଆକଳନ ହୋଇଛି । ଏହା ହେଲେ ପୂର୍ବରୁ ୧୧୫ କୋଟି ଥିବା ପ୍ରକଳ୍ପ ଖର୍ଚ୍ଚ ୧୪୦ କୋଟି ଛୁଇଁବ ବୋଲି ଇଡ୍କୋର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । କିନ୍ତୁ କଥା ସେଠି ନାହିଁ, ଘଟଣା ହେଲା ୭ ବର୍ଷରେ ସରିଲାନି, ଏବେ ଅନେକ କାମ ବାକି ଥାଇ ୫ ମାସରେ ସରିବ କିପରି? ଯଦି ବି ସରିଲା, ତାହା ଉତ୍କୃଷ୍ଟମାନର ହେବ ତ?
କ’ଣ ରହିଛି କଳାମଣ୍ଡଳର ରୂପରେଖ
୨୦୦୩ରୁ କଳାମଣ୍ଡଳର ପରିକଳ୍ପନା କରାଯାଇଥିଲା । ଏଥିପାଇଁ କେନ୍ଦ୍ର ସରକାର ୨ କୋଟି ୩୦ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ରାଜ୍ୟ ସରକାର ସୈନିକ ସ୍କୁଲ ପାଖ ଗଜପତି ନଗରରେ ୧୦ ଏକର ଜମି ସହ ନିର୍ମାଣ ଦାୟିତ୍ୱ ଇଡ୍କୋକୁ ଦେଇଥିଲେ । କିନ୍ତୁ ଜମି ବିବାଦ ଲାଗି ଏହା କୋର୍ଟକୁ ଯିବା ପରେ ସବୁକିଛି ଅଟକି ରହିଲା । ଏହାର ସମାଧାନ ହେବା ପରେ ୯.୬୩୮ ଏକର ଜମିରେ କାମ ଆରମ୍ଭ ହେଲା । ସେଥିରୁ ୬ ଏକର ନିର୍ମାଣ ପ୍ରକଳ୍ପରେ ୨ ହଜାର ଦର୍ଶକ ଆସନ ବିଶିଷ୍ଟ ବୃହତ୍ ପ୍ରେକ୍ଷାଳୟ, ୫୦୦ ଆସନ ବିଶିଷ୍ଟ ଆମ୍ପିଥିଏଟର, ୩ଟି ଫ୍ଲୋର୍ ହେବାକୁ ଥିବା ବେଳେ ୬୨ହଜାର ବର୍ଗଫୁଟ୍ ଗ୍ରାଉଣ୍ଡ୍ ଫ୍ଲୋର୍ରେ ପାର୍କିଂ ସୁବିଧା ଲାଗି ଡିଜାଇନ୍ ହୋଇଥିଲା । ପ୍ରବେଶ ପଥ ଲବି ୯ ମିଟର ଦୀର୍ଘ ଏବଂ ୩୦ ମିଟର ଉଚ୍ଚ ବିଶିଷ୍ଟ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବ । ଏଥିସହ କଳାଗ୍ରାମ, ସଂଗ୍ରହାଳୟ, ମୁକ୍ତାକାଶ ମଞ୍ଚ ଓ ଅତିଥି ଭବନ ରହିବ । ଲଳିତ ଓ ସଙ୍ଗୀତ କଳା ମଣ୍ଡଳ ସାଙ୍ଗକୁ ଐତିହ୍ୟ ପାର୍କ, କାଫେଟେରିଆ ଖୋଲିବ । ପ୍ରତିଷ୍ଠିତ ଶିଳ୍ପୀଙ୍କ କଳାକୃତି ସ୍ଥାପନ ଓ ପ୍ରଦର୍ଶନୀ ପାଇଁ ୩ ଏକର ଜମିରେ ଲଳିତ କଳାମଣ୍ଡଳ ବି ହେବ । ଏହି ବିଶାଳ ପ୍ରେକ୍ଷାଳୟ ହେଲା ପରେ ଅନ୍ତର୍ଜାତୀୟ ସ୍ତରର ସମ୍ମିଳନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହେବ ।
ସୂଚନାଯୋଗ୍ୟ, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଗତ ଫେବ୍ରୁଆରୀ ୨ ତାରିଖ ସନ୍ଧ୍ୟାରେ ଏହା ପରିସରରେ ‘ଅକ୍ଷର ଭୂମି’ ମଧ୍ୟ ଲୋକାର୍ପିତ ହୋଇଛି । ଆଗକୁ ‘ଅକ୍ଷର ଭୂମି’ ଆଗରେ ସାଢ଼େ ୪ ଏକର ଜମିରେ ‘ଓଡ଼ିଆ ଅସ୍ମିତା ଭବନ’ ନିର୍ମାଣ ହେବାକୁ ଯାଉଛି । ସବୁକିଛି ଏହି କଳାମଣ୍ଡଳକୁ ଲାଗି ରହିବ । କଳାମଣ୍ଡଳ କଳା, ସଂସ୍କୃତି ଦୁନିଆର କୁନି ନଗର ଅଥବା ୱାନ୍ ଷ୍ଟପ୍ ଡେଷ୍ଟିନେସନ୍ ହେବ ଯେଉଁଠି ମନୋରଞ୍ଜନର ସବୁ ଖୋରାକ ମିଳିବ ।