ରାୟଗଡ଼ା, ୦୫/୦୭ : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଗୁନାଖାଲ ଛକରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରେଲର। ଗାଡ଼ି ତଳେ ଚାପିହୋଇ ମହିଳା କନେଷ୍ଟବଳଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଲେ ଖେଦାପଡ଼ା ଗ୍ରାମର ଲାବଣ୍ୟ ଗାଣ୍ଟା (୨୪ ବର୍ଷ)। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବିଷମକଟକ ବ୍ଲକ ବେଥିଆପଡ଼ା ପଞ୍ଚାୟତ ମୁନିଗାଁର କାନ୍ତାରାଓ କାଡ୍ରାକା(୪୦ ବର୍ଷ) ଓ ସୁବାରାଓ କାଡ୍ରାକା (୪୦ ବର୍ଷ)।
ସୂଚନାନୁଯାୟୀ, ଲାବଣ୍ୟ ଶନିବାର ସକାଳୁ ଘରୁ ବାହାରି ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ର ବାହୁଡା ଯାତ୍ରା ଡ୍ୟୁଟି କରିବାକୁ ଆସୁଥିଲେ। ଗୁନାଖାଲ ଛକରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ ଆସୁଥିବାରୁ ହମ୍ପସ୍ ଠାରେ ଲାବଣ୍ୟ ବ୍ରେକ୍ ମାରିଥିଲେ। ଏହି ସମୟରେ ଏକ ଟ୍ରେଲର ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଲାବଣ୍ୟ ସ୍କୁଟିରୁ ପଡିଯିବାରୁ ତାଙ୍କ ଉପରେ ଟ୍ରକ୍ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଲାବଣ୍ୟଙ୍କ ମୃତ୍ୟୁ ହୋଇଥିଲା। ବାଇକରେ ଆସୁଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲରକୁ ଜବତ କରିଛି। ଲାବଣ୍ୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।