ନବରଙ୍ଗପୁର,୨୮/୭ (ଆପ୍ର): ନବରଙ୍ଗପୁର ଜିଲ୍ଲା ଓ ଦୌରାଜଜ୍ ଏକ ହତ୍ୟା ମାମଲାର ବିଚାର କରି ପୁତ୍ରହନ୍ତା ପିତାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କ ନାଁ ଜଗେଶ୍ଵର ନାୟକ । ତାଙ୍କ ଘର ତେନ୍ତୁଳିଖୁଣ୍ଟିଥାନା ଧଣ୍ଡରା ଗାଁ । ତାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।ଜରିମନା ଅନାଦେୟ ହେଲେ ଆହୁରି ୧ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାକୁ ପରିଚାଳନା କରୁଥିବା ପବ୍ଲିକ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କାଙ୍କ ସୂଚନା ଅନୁଯାୟୀ, ୨୦୨୪ ଅପ୍ରିଲ ୨୭ ତାରିଖ ରାତି ୮ଟା ସମୟରେ ଜଗେଶ୍ଵର ମଦ୍ୟପାନ କରି ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ମଦ ନିଶାରେ ପରିବାର ଲୋକଙ୍କ ସହିତ ପାତିଟୁଣ୍ଡ କରିଥିଲେ । ଏହି ସମୟରେ ଜଗେଶ୍ଵରଙ୍କ ବଡ ପୁଅ ଦେବନାୟକ ବାପାକୁ ବୁଝାସୁଝା କରୁଥିବା ବେଳେ ଜଗେଶ୍ୱର ମଦନିଶାରେ ଚୂର ହୋଇ ହିତାହୀତ ଜ୍ଞାନ ହରାଇ କୁକୁଡା କାତିରେ ନିଜ ପୁଅ ଦେବଙ୍କ ଛାତିରେ ଭୁସି ଦେଇଥିଲେ । ବାପାର ହାତରୁ କାତି ଛଡେଇବାକୁ ଉଦ୍ୟମ କରୁଥିବା ବେଳେ ସାନପୁଅ ଅଭିମନ୍ୟୁ ନାୟକଙ୍କୁ ମଧ୍ୟ କୁକୁଡା କାତିରେ ବାପା ଆକ୍ରମଣ କରିଥିଲା।
ପରେ ଦୁଇଜଣ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଜଗେଶ୍ଵରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ସାନ ପୁଅ ଅଭିମନ୍ୟୁର ଗୋଡରେ ଆଘାତ ହୋଇଥିଲା । ଏହା ପରେ ଜଗେଶ୍ୱରଙ୍କ ତୃତୀୟ ପୁଅ ପାର୍ଥ ନାୟକ ବାପାଙ୍କ ନାଁରେ ହତ୍ୟା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୁଲିସ୍ ଅଭିଯୁକ୍ତ ବାପା ଜଗେଶ୍ୱରଙ୍କୁ ଗିରଫ କରିଥିଲା । ଏହି ମାମଲାରେ ୨୩ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଦାଲାତ ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।