ନବରଙ୍ଗପୁର,୧୦୮( ଆପ୍ର) : ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାଇଘର ନର୍ସିଙ୍ଗ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ ରାତିରେ ମଧ୍ୟ ଶବ ବ୍ୟବଚ୍ଛେଦ କରାଯାଇପାରିଥାନ୍ତା। କିନ୍ତୁ ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ପରିବାରକୁ କୁହାଯାଇଥିଲା। ସେଭଳି ବ୍ୟବଚ୍ଛେଦ ପରେ ଛାତ୍ରୀଙ୍କ ଜନ୍ମମାଟିକୁ ଶବକୁ ଅଣାଯିବ ନାହିଁ । ପୁରୀରେ ଅନ୍ତେଷ୍ଟିକ୍ରୀୟା କରିବାକୁ ଷଡଯନ୍ତ୍ର କରାଯାଉଛି । ତେଣୁ ମୃତଛାତ୍ରୀଙ୍କ ଶବକୁ ବ୍ୟବଚ୍ଛେଦ ପରେ ତୁରନ୍ତ ତାଙ୍କ ଜନ୍ମ ମାଟିରେ ଅନ୍ତେଷ୍ଟିକ୍ରୀୟା କରିବାକୁ ସୁଯୋଗ ଦିଆଯାଉ ବୋଲି ବିଜେଡି ନେତା ପ୍ରଦୀପ ମାଝୀ ଦାବି କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ କହିଛନ୍ତି ଯେ, ମୃତଦେହ ଅନ୍ତେଷ୍ଟିକ୍ରୀୟା ପାଇଁ ତାଙ୍କ ପରିବାର ଓ ବଙ୍ଗୀୟସମାଜ ଅପେକ୍ଷା କରିଛନ୍ତି। ସେଭଳି ପୀଡିତାଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦେବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି । ଗତ ୧୩ ତାରିଖରେ ନର୍ସିଂ ଛାତ୍ରୀଙ୍କୁ ଜୟପୁର ମୁଖ୍ୟ ରାସ୍ତାରେ ନିର୍ଯାତନ ଦେଇଥିଲା ଅଭିଯୁକ୍ତ । ଥାନାରେ ଏତଲା ଦେବା ପରେ ମଧ୍ୟ ପୁଲିସ ଏହି ଘଟଣାକୁ ହାଲୁକା ଭାବେ ନେଇଥିଲା। ସେତେ ଵେଳେ ଘଟଣାକୁ ଗୁରୁତ୍ବର ସହିତ ନେଇଥିଲେ ଅଭିଯୁକ୍ତ ଫଟୋ ଭାଇରାଲ କରିପାରିନଥାନ୍ତା ଓ ଛାତ୍ରୀ ଜଣକ ଆତ୍ମହୁତି ଉଦ୍ୟମ କରିନଥାନ୍ତା , ଛାତ୍ରୀଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ପ୍ରଦୀପ କହିଛନ୍ତି।ତେଣୁ ଏହି ଘଟଣାକୁ ବିଜେଡି ଗୁରୁତ୍ବର ସହିତ ନେଇଛି । ଏହି ସାମ୍ବାଦିକ ସମ୍ମଳନୀରେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, କୌଶଲ୍ୟା ପ୍ରଧାନୀ, ସରୋଜପାତ୍ର, ରବି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେଡି ପକ୍ଷରୁ ନର୍ସିଂ ଛାତ୍ରୀଙ୍କ ଅକାଳ ବିୟୋଗରେ ଶୋକସଭା କରାଯାଇଥିଲା।
ସୂଚନାଯୋଗ୍ୟଯେ, ଏକତରଫା ପ୍ରେମ କରୁଥିବା ଜଣେ ଯୁବକଙ୍କ ଶାରୀରିକ ଓ ମାନସିକ ନିର୍ଯାତନାର ଶୀକାର ହୋଇଥିଲେ ନର୍ସିଂ ପଢୁଥିବା ଛାତ୍ରୀ । ଏକତରଫା ପ୍ରେମିକ ନର୍ସିଂ ଛାତ୍ରୀଙ୍କ ସହ ଅନ୍ୟ ଏକ ଯୁବକଙ୍କ ଆପତ୍ତିଜନକ ଫଟୋକୁ ଭାଇରାଲ କରିବା ପରେ ଛାତ୍ରୀ ଜଣକ ଲୋକ ଲଜ୍ୟା ପାଇଁ ଜୁଲାଇ ୧୭ରେ ଘାସମରା କୀଟନାଶକ ପିଈ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ରାୟପୁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିଥିଲେ । ଦୁଇ ଦିନ ଚିକିତ୍ସା ପରେ ଛାତ୍ରୀଙ୍କ ଏକାଧିକ ଅଙ୍ଗ ଉପରେ ପ୍ରଭାବ ପଡିଥିବା କହି ରାୟପୁର ଘରୋଇ ଡାକ୍ତରଖାନା ଫେରାଇ ଦେଇଥିଲେ । ଏହା ପରେ ରାଇଘର ଥାନାରେ ପରିବାରଲୋକ ଏତଲା ଦେବା ପରେ ଜୁଲାଇ ୨୩ରେ ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରେ ଭୂବନେଶ୍ୱର ଏମସ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସତ୍ୟଜିତ ସର୍କାରଙ୍କୁ ଦଶପଲା ଠାରୁ ୨୩ ଜୁଲାଇରେ ଗିରଫ କରାଯାଇଥିବା ବେଳେ ଯୁବତୀଙ୍କ ସହିତ ଫଟୋ ଭାଇରାଲ ହୋଇଥିବା ଯୁବକ ଉଦ୍ଧବ ଗଡନାୟକଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା । ଅନ୍ୟପକ୍ଷରେ ଏମସ୍ରେ ୧୬ ଦିନ ଚିକିତ୍ସା ପରେ ଶନିବାର ସନ୍ଧ୍ୟାରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ଏମସ୍ କର୍ତ୍ତୃପକ୍ଷ ।