କଟକ,୦୬/୦୬: ପରିବାରର ସହମତିରେ ଗର୍ଭପାତ କରିବାକୁ ଆସିଥିଲେ । ଗର୍ଭପାତ କଲାବେଳେ ପେଟରେ ଥିବା ମଳ ନଳୀକୁ କାଟିଦେଲେ ଡାକ୍ତର । ପେଟ ସଂକ୍ରମିତ ହୋଇଗଲା । ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆସାମ ରାଇଫଲ୍ସ୍ର ଜଣେ ଯବାନଙ୍କ ପତ୍ନୀ । କଟକ ରାଣୀହାଟସ୍ଥିତ ଏକ ଘରୋଇ ନର୍ସିଂହୋମ୍ରେ ଚିକିତ୍ସା ଜନିତ ତ୍ରୁଟି କାରଣରୁ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ମାହାଙ୍ଗା ଜଳେଶ୍ୱରପୁର ଅଞ୍ଚଳର ସଂପୃକ୍ତ ମହିଳାଙ୍କ ପକ୍ଷରୁ ମଙ୍ଗଳାବାଗ୍ ଥାନାରେ ଏନେଇ ଏତଲା ଦାଏର କରାଯାଇଛି । ଏତଲା ଆଧାରରେ ପୁଲିସ୍ ଡାକ୍ତରଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ବି ରୁଜୁ କରିଛି ।
ଜମ୍ମୁ-କାଶ୍ମୀର ସୀମାରେ ଏବେ ମୁତୟନ ଥିବା ସମର କୁମାର ସାମଲଙ୍କ ପତ୍ନୀ ଦୀପ୍ତିମୟୀ ବାରିକ ଏବେ ଚିକିତ୍ସା ଜନିତ ତ୍ରୁଟି କାରଣରୁ ଗୁରୁତର ସ୍ୱାସ୍ଥ୍ୟ ସଂକଟରେ ପଡିଛନ୍ତି । ପୂର୍ବରୁ ସେମାନଙ୍କର ଦୁଇଟି ସନ୍ତାନ ରହିଛନ୍ତି । ମେ’ ୧ ତାରିଖରେ ଦୀପ୍ତିମୟୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ସେ ରାଣୀହାଟର ଘରୋଇ ନର୍ସିଂହୋମ୍ରେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଜଣେ ବିଶେଷଜ୍ଞଙ୍କୁ ଦେଖା କରିଥିଲେ। ସେଠି ସବୁ ରିପୋର୍ଟ ଯାଞ୍ଚ୍ ହେବା ପରେ ସେ ୧୧ ସପ୍ତାହର ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ । ପୂର୍ବରୁ ଦୁଇଟି ସନ୍ତାନ ଥିବାରୁ ପରିବାରର ସହମତିରେ ଗର୍ଭପାତ କରିବାକୁ ଡାକ୍ତରଙ୍କୁ କହିଥିଲେ । ଡାକ୍ତର ମଧ୍ୟ ଏଥିରେ ରାଜି ହୋଇଥିଲେ । ପରଦିନ ତାଙ୍କର ଗର୍ଭପାତ କରାଯାଇଥିଲା ଏବଂ ଦୀପ୍ତିମୟୀ ଡିସ୍ଚାର୍ଜ ବି ହୋଇଥିଲେ । କିନ୍ତୁ ଘରକୁ ଯିବା ପରେ ପେଟରେ ଯନ୍ତ୍ରଣା ଅନୁଭବ କଲେ ଏବଂ ପେଟ ଫୁଲିବାକୁ ଲାଗିଲା । ଯାବତୀୟ ଟେଷ୍ଟ କରିବା ପରେ ତାଙ୍କୁ କୁହାଯାଇଥିଲା, ଗର୍ଭପାତ ପରେ କୌଣସି ଅଂଶ ରହିଯାଇଥିବାରୁ ଏଭଳି ସମସ୍ୟା ଉପୁଜିଛି । ପୁନର୍ବାର ଅପରେସନ୍ କରାଯାଇଥିଲା । ତଥାପି ଦୀପ୍ତିମୟୀଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସିନଥିଲା । ପରିବାର ଲୋକେ ଚିନ୍ତାରେ ପଡିଯାଇଥିଲେ । ସ୍ୱାମୀ ସମର କୁମାର ସାମଲ ଛୁଟି ନେଇ କଟକରେ ପହଞ୍ଚିଥିଲେ । ଏସ୍ସିବିର ଜଣେ ସର୍ଜନଙ୍କୁ ସାକ୍ଷାତ କରିବାରୁ ସେ ମଳ ନଳୀରେ ସଂକ୍ରମଣ ହୋଇଥିବା କହିଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡି ଚାଲିଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦୀପ୍ତିମୟୀଙ୍କୁ ଭର୍ତ୍ତି କରାଯାଇଥିଲା ।
ସେଠାରେ ଡାକ୍ତର ଯାଞ୍ଚ୍ କରି ଦେଖିଥିଲେ ଯେ, ଦୀପ୍ତିମୟୀଙ୍କ ମଳ ନଳୀ ପ୍ରାୟ ୩ ସେଣ୍ଟିମିଟର କଟିଯାଇଛି । ଯାହାଫଳରେ ମଳ ପେଟରେ ଏଣେ ତେଣେ ବ୍ୟାପି ସଂକ୍ରମଣ ହେଉଛି । ପୁଣିଥରେ ଅପରେସନ୍ କରାଯିବା ପରେ ଷ୍ଟୁଲ୍ ବ୍ୟାଗ୍ ସହାୟତାରେ ଏବେ ସେ ମଳତ୍ୟାଗ କରୁଛନ୍ତି । ସାଧାରଣ ମଣିଷ ଭଳି ସେ ମଳତ୍ୟାଗ କରିବାକୁ ଅସମର୍ଥ । ଏ ସମ୍ପର୍କରେ ଦୀପ୍ତିମୟୀଙ୍କ ସ୍ୱାମୀ ସମର ଓ ତାଙ୍କ ଭାଇ ରାଣୀହାଟ ସ୍ଥିତ ସଂପୃକ୍ତ ନର୍ସିଂହୋମ୍କୁ ଅଭିଯୋଗ କରିଥିଲେ । ତାଙ୍କୁ ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଚୁପ୍ ରହିବାକୁ ଓ କଥା ଚାପିଦେବାକୁ କୁହାଯାଇଥିବା ଅଭିଯୋଗ ଆଣିଛନ୍ତି ଦୀପ୍ତିମୟୀ । ଏମିତିକି ତାଙ୍କୁ ନକଲି ଡିସ୍ଚାର୍ଜ ପେପର୍ ଦିଆଯାଇଥିବା ମଧ୍ୟ ସେ ପୁଲିସକୁ ଜଣାଇଛନ୍ତି । ଏ ବାବଦରେ ଦୀପ୍ତିମୟୀ ଗତ ୪ ତାରିଖ ରାତିରେ ମଙ୍ଗଳାବାଗ୍ ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୁଲିସ୍ ଡାକ୍ତରଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।