ଭୁବନେଶ୍ୱର,୦୬/୦୬: ଖୋଲିଛି ୨୪ ଘଣ୍ଟିଆ ବାର୍ । ବିକ୍ରି ହେଉଛି ଦେଶୀ ମଦ । ଗ୍ଲାସ୍ ପିଛା ୩୦ ଟଙ୍କା । ପୁଲିସ୍ କି ଅବକାରୀ ବିଭାଗର ଚଢ଼ଉ ଭୟ ନାହିଁ । ରାସ୍ତା କଡ଼ରେ ଚାଲିଛି ଏହି ଖୋଲା ବାର୍ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କ୍ୟାପିଟାଲ୍ ହସ୍ପିଟାଲ୍ ପଛ ପଟେ । ଏ ସଂପର୍କରେ ପୁଲିସ୍ ଓ ଅବକାରୀ ବିଭାଗ ଜାଣିଛି । ହେଲେ ଚୁପ୍ ବସିଛନ୍ତି । ଯେଉଁଥି ପାଇଁ ହସ୍ପିଟାଲ୍ରେ ପଛରେ ରୋଗୀଙ୍କ ସମ୍ପର୍କୀୟ ଓ ନର୍ସମାନେ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
କ୍ୟାପିଟାଲ୍ ହସ୍ପିଟାଲ୍ ପଛ ପଟ (ଓମସା ଭବନ ପାର୍ଶ୍ୱ) ଡ୍ରେନ୍ ପାଖରେ ରହିଛି ଏକ ଚାଳ ଘର । ପାଖରେ ଏକ କ୍ୟାବିନ୍ । ସେଠାରେ ଥୁଆ ହୋଇଛି ଏକ ରେଫ୍ରିଜେରେଟର୍ । ସକାଳ ୬ଟାରୁ ଦୋକାନ ମାଲିକ ଦେଶି ମଦ ବେପାର ଆରମ୍ଭ କରନ୍ତି । ଏହା ରାତି ୧୧ଟା ପର୍ଯ୍ୟନ୍ତ ଚାଲେ । ପାଣି ବୋତଲ ଛଡ଼ା ଉକ୍ତ ଦୋକାନରେ ଅନ୍ୟ କୌଣସି ଜିନିଷ ନାହିଁ । ସେହି ରାସ୍ତାରେ ସବୁଦିନ ଯିବା ଆସିବା କରୁଛନ୍ତି ଟ୍ରେନିଂ ନେଉଥିବା ୨ ଶହରୁ ଅଧିକ ନର୍ସ । ଦେଶୀ ମଦ ଦୋକାନ ପାଇଁ ସେଠାରେ ନାହିଁ ନଥିବା ଭିଡ଼ ହେଉଛି । ନିଶା ଖାଇବା ପରେ ମଦୁଆମାନେ ନର୍ସମାନଙ୍କୁ ଅଶ୍ଳୀଳ ଇଙ୍ଗୀତ କରିବା ସହ କମେଣ୍ଟ ମାରୁଥିବା ଅଭିଯୋଗ ମଧ୍ୟ ହେଉଛି । ଦେଢ଼ ମାସ ଭିତରେ ୨୦ରୁ ଅଧିକ ନର୍ସ ସୁରକ୍ଷା କର୍ମୀ ଓ ଫାଣ୍ଡି ଅଧିକାରୀଙ୍କୁ ଅଭିଯୋଗ କରିସାରିଛନ୍ତି । ହେଲେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉନାହିଁ ।
ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ବିଷୟରେ ଅନେକ ଲୋକ ଅଭିଯୋଗ ମଧ୍ୟ କରିଛନ୍ତି । ହେଲେ ଫଳ ଶୂନ । ଏ ରାସ୍ତାରେ ସବୁବେଳେ ପିସିଆର ଭ୍ୟାନ୍ ଯିବା ଆସିବା କରୁଛି । ଦୋକାନ ପାଖକୁ ନ ଯାଇ, କିଛି ଦୂରରେ ଠିଆ ହେଉଛି । ମଦ ବିକ୍ରି କରୁଥିବା ବ୍ୟକ୍ତି ଜଣଙ୍କ ଦୋକାନ ବନ୍ଦ କରି ତାଙ୍କ ପାଖକୁ ଯାଉଛନ୍ତି । କିଛି ସମୟ କଥା ହେଲା ପରେ ପିସିଆର ସେଠାରୁ ପଳାଇ ଯାଉଛି । ପିସିଆର୍ ଗଲା ପରେ ପୁଣି ବେପାର ଜମୁଛି । ସବୁଠାରୁ ବଡ଼ କଥା ହେଲା ପାଖରେ ଥିବା ବସ୍ତିର ଯଦି କେହି ଥାନାରେ ଅଭିଯୋଗ କରେ ତେବେ ବାର ଖୋଲିଥିବା ବ୍ୟକ୍ତି ତାକୁ ଫୋନ କରି ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଖାଲି ମଦ ନୁହେଁ । ହସ୍ପିଟାଲ୍ ଚାରିପଟେ ବିଭିନ୍ନ ପ୍ରକାରର ନିଶା ବେପାର ହେଉଛି । ରାତି ୧୨ରୁ ଭୋର ୫ ଟା ପର୍ଯ୍ୟନ୍ତ ୟୁନିଟ୍-୬ ସ୍କୁଲ୍ ପଡ଼ିଆରେ ବ୍ରାଉନ୍ସୁଗର ବି ମିଳୁଛି । ଆଉ ପାଖରେ ଥିବା ବସ୍ତିରେ ଗଞ୍ଜେଇ ବି ମିଳୁଛି ।