ପାଟଣାଗଡ଼, ୩।୮(ଆ.ପ୍ର):ବଲାଙ୍ଗୀର ଜିଲ୍ଲା ପାଟଣଗଡ ବ୍ଲକ ତମିଆଁ ଗାଁକୁ ମଦ ମୁକ୍ତ କରିବାକୁ ରବିବାର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ପ୍ରଥମେ ଗାଁରେ ଥିବା ଘସିଏନ ଦେବୀ ନିକଟରେ ପୂଜାର୍ଚ୍ଚନା କରି ପରେ ସ୍ଥାନୀୟ ହନୁମାନ ଛକ ନିକଟରେ ସଂଘର କର୍ମକର୍ତ୍ତାମାନେ ଏକତ୍ରିତ ହୋଇଥିଲେ । ପରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ନେତୃତ୍ବରେ ସେମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ଗାଁର ମୁଖ୍ୟ ରାସ୍ତାଦେଇ ସାପ୍ତାହିକ ବଜାର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ସଭାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ମାନେ ତମିଆଁ ଗାଁକୁ ମଦ ମୁକ୍ତ କରିବା ସହିତ ବ୍ଳକର ଗାଁ ମାନଙ୍କରେ ଥିବା ସମସ୍ତ ମଦଭାଟିକୁ ବନ୍ଦ କରିବା ସହିତ ମଦ ମୁକ୍ତ କରାଯାଉ ବୋଲି ସରକାର ଙ୍କୁ ନିବେଦନ କରିଥିଲେ । ଯଦି ଆଗାମୀ ଦିନରେ ଦାବି ପୂରଣ ନହେଲେ ଯୋରଦାର ଆନ୍ଦୋଳନ କରାଯିବା ସହ ପ୍ରତି ଗାଁ ଓ ପଞ୍ଚାୟତ ମାନଙ୍କରେ ଯୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।
ପାଟଣାଗଡ ତହସିଲଦାର ରୁଦ୍ରମୋହନ ନାୟକ ସଭାସ୍ଥଳରେ ପହଞ୍ଚି ସଂଘର କର୍ମକର୍ତ୍ତା ମାନଙ୍କଠୁ ଦାବି ପତ୍ର ଗ୍ରହଣ କରିଥିଲେ । ତହସିଲଦାର ଶ୍ରୀ ନାୟକ ଦାବିପତ୍ର ଗ୍ରହଣ କରିବାପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ଆଦିବାସୀ କଲ୍ୟାଣ ସଂଘର ବ୍ଳକ ସଭାପତି ଭୁବନେଶ୍ୱର କୁଅଁର , ସମ୍ପାଦକ ସାରଥୀ ବାଗ, ଶେଷଦେବ ଭୋଇ,ସହଦେବ ଧରୁଆ,ଜଲ ଧରୁଆ, କୃଷ୍ଣ ବରିହା, ପ୍ରଦିପ ବରିହା, ଲଳିତ ମିର୍ଦ୍ଧା,ଭୁଲା ମଲ୍ଲିକ, ମଙ୍ଗଳୁ ବରିହା,ଯୋଗେଶ୍ଵର ଭୋଇ,ବିରଞ୍ଜି ବୁଡେକ,ହରିପ୍ରିୟା ବରିହା,ଉକିଲ ବରିହା, ପିଣ୍ଟୁ ବୁଡେକ,ମଦନ ମାଝୀ,ଧବଲେଶ୍ଵର ଭୋଇ,ରମେଶ କୁମୁରା ପ୍ରମୁଖ ଉପସ୍ଥିତ ଥିବାବେଲେ ସଂଘର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ ।