ନୂଆଦିଲ୍ଲୀ, ୦୪/୦୮ : ମାର୍କେଟ୍କୁ ଆସିଲା ଏମିତି ଜଣେ ଇଞ୍ଜିନିୟର... ଯିଏ ଖାଇବନି କି ଶୋଇବନି, ଯେତେ କାମ କଲେବି ଦରମା ନେବନି। ଉନ୍ନତ କାର୍ଯ୍ୟ ଦକ୍ଷତା ଥିଲେ ବି ପଦୋନ୍ନତି ମାଗିବନି। ଏହା ପୁରୁଣା କୋଡ୍କୁ ଅପଡେଟ୍ କରିଦେବ, ବଗ୍ସ ଫିକ୍ସ କରିବ ଏବଂ ଲଗାତର କାମକୁ ନୂଆ ରୂପ ଦେବ। ହେଲେ ଏହାର ପ୍ରତିବଦଳରେ କିଛି ନେବନି। ଜାଣିବାକୁ ଚାହୁଁଛନ୍ତି କି କିଏ ଏହି ଇଞ୍ଜିନିୟର ? ପଢନ୍ତୁ ଏହି ଖବର...
ଅତ୍ୟାଧୁନିକ ଯୁଗରେ ଏବେ ମାର୍କେଟ୍କୁ ଧସେଇ ପଶିଲାଣି ଏଆଇ। ସୀମିତ ସମ୍ବଳରେ ଉନ୍ନତମାନର କାର୍ଯ୍ୟ ଦକ୍ଷତା ପାଇଁ ବଢୁଛି ଏଆଇର ବ୍ୟବହାର। ଏହି କ୍ରମରେ ଏବେ ଇଞ୍ଜିନିୟରିଂ କ୍ଷେତ୍ରରେ ବି ପାଦ ରଖିଛି ଏଆଇ ଇଞ୍ଜିନିୟର୍। ଏହାର ନାମ 'ଦେବିନ୍'। ଏହା ଏକ ସ୍ଵୟଂଚାଳିତ ଏଆଇ ସଫ୍ଟୱେୟାର ଇଞ୍ଜିନିୟର। ଏହାକୁ ଲଣ୍ଡନର ଏକ ଷ୍ଟାର୍ଟଅପ୍ କମ୍ପାନୀ ବିକଶିତ କରିଛି। ଆମେରିକାର ବହୁରାଷ୍ଟ୍ରୀୟ ନିବେଶ ବ୍ୟାଙ୍କ ଗୋଲ୍ଡମ୍ୟାନ୍ ସାକ୍ସରେ ଏହା କାର୍ଯ୍ୟ କରୁଛି। ଏହି ଇଞ୍ଜିନିୟର ନଖାଇ, ନଶୋଇ ଲଗାତାର କାମ କରିବ। ଏପରିକି ଦରମା ବି ନେବନି କି ପଦୋନ୍ନତି ମାଗିବନି। ଏହା ମଣିଷ ଭଳି ଉନ୍ନତ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବାକୁ ସକ୍ଷମ ହେବ।
ଗୋଲ୍ଡମ୍ୟାନ୍ ସାକ୍ସରେ ପ୍ରାୟ ୧୨ ହଜାର ସଫ୍ଟୱେୟାର ଡେଭଲପର କାମ କରୁଛନ୍ତି। ଏବେ ଏଠାରେ ଏଆଇ ଇଞ୍ଜିନିୟରଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ଵାରା କମ୍ ଖର୍ଚ୍ଚରେ ଅଧିକ ଓ ଉନ୍ନତମାନର କାର୍ଯ୍ୟ ହେବ, ସମୟ ବି ବଞ୍ଚିବ। ଏହି ଏଆଇ ଇଞ୍ଜିନିୟର ପୁରୁଣା କୋଡ୍କୁ ଅପଡେଟ୍ କରିବ, ବଗ୍ସ ଫିକ୍ସ କରିବ ଏବଂ ପୁରୁଣା କାମକୁ ନୂଆ ରୂପ ଦେବ। ତେବେ ଲେବଲ ଇଞ୍ଜିନିୟରଙ୍କ ଉପରେ ଏହି ଏଆଇର ପ୍ରଭାବ ପଡ଼ିପାରେ। ବିଶେଷକରି କୋଡିଂ, ରିସର୍ଚ୍ଚ ଏବଂ ଡାଟା ଆନାଲିସିସ୍ ପଦବୀରେ କାମ କରୁଥିବା ଲୋକଙ୍କ ପାଇଁ ଏଆଇ ଇଞ୍ଜିନିୟର ସମସ୍ୟା ସୃଷ୍ଟି କରିପାରେ। ଅନ୍ୟପଟେ ଏହା ଯୋଗୁଁ ଯୁବପିଢିଙ୍କ ପାଇଁ ଇଞ୍ଜିନିୟରିଂ କ୍ଷେତ୍ରରେ କମ୍ ଅବସର ସୃଷ୍ଟି ହୋଇପାରେ। ଏଭଳି ସ୍ଥିତିରେ ଟେକନିକ୍ ସହ ସନ୍ତୁଳନ ବନେଇବାର ଆବଶ୍ୟକତା ଅଛି ବୋଲି କୁହାଯାଉଛି।