ଦଶହରା-କଟକର ଗଣପର୍ବ । ଏହା ଏଇଥିପାଇଁ ଗଣପର୍ବ ଯେ, ଏ ପର୍ବରେ ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ନଥାଏ । ସବୁ ସଂପ୍ରଦାୟର ଲୋକେ ସଚ୍ଚା ମନରେ ଏ ମହୋତ୍ସବରେ ସାମିଲ୍ ହୁଅନ୍ତି' ମା’ଙ୍କ ଆରାଧନା କରନ୍ତି' ଆଶିଷ ଭିକ୍ଷା କରନ୍ତି । ସେଇଥିପାଇଁ ତ’ କଟକର ଦଶହରା ପର୍ବ ସହ ଯୋଡ଼ି ହୋଇଯାଇଛି ଭାଇଚାରାର ଏ ଅନନ୍ୟ ପରମ୍ପରା । ଉକ୍ତ ପବିତ୍ର ପରମ୍ପରାର ଜୟଗାନ ସ୍ୱରୂପ ‘ପ୍ରମେୟ’ର ଏହି ସ୍ୱତନ୍ତ୍ର ପ୍ରତିବେଦନ ।
ଆଲେଖ୍ୟ: ହାରୁନ୍ ରସିଦ୍ ଖାନ
କଟକ ୦୯/୧୦: ଇଚାରା, ସାଂପ୍ରଦାୟିକ ସଦ୍ଭାବ ଓ ଆପଣାପଣର ପ୍ରମାଣ ଦିଏ କଟକ-ଦଶହରା । କଟକ ଦଶହରା ଏମିତି ଏକ ମହୋତ୍ସବ ଯେଉଁଠି ଧର୍ମ, ଜାତି କି ସଂପ୍ରଦାୟର ଭେଦଭାବ ନଥାଏ । କଟକ ଯେମିତି ସବୁ ଧର୍ମର ଓ ସବୁ ବର୍ଗର ଲୋକଙ୍କୁ କୋଳେଇ ନେଇଛି, ଠିକ୍ ସେମିତି କଟକ ଦଶହରା ମଧ୍ୟ ସମସ୍ତଙ୍କୁ ଏକାକାର କରି ରଖିଛି ଶହ ଶହ ବର୍ଷ ଧରି । କଟକର ବିଭିନ୍ନ ମଣ୍ଡପରେ ଯେଉଁ ଆକର୍ଷଣୀୟ, ଆଖି ଝଲସା ପୂଜା ଆୟୋଜିତ ହୁଏ ସେଥିରେ ଥାଏ ସବୁ ବର୍ଗର ଲୋକଙ୍କ ସହଯୋଗ । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍, ଶିଖ, ଜୈନ ସବୁ ଧର୍ମର ଲୋକେ ଏକାଠି ହୁଅନ୍ତି ମା’ଙ୍କ ପୂଜାରେ ।
କେବଳ ସେତିକି ନୁହେଁ, ଓଡ଼ିଆ, ବଙ୍ଗାଳି, ମାରୱାଡି, ଗୁଜରାଟି, ତେଲୁଗୁ ସମେତ ବିଭିନ୍ନ ଭାଷାଭାଷୀ ଓ ଭିନ୍ନ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିବିଶେଷ କଟକ ଦଶହରା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଅନେକ ପୂଜା କମିଟିରେ ପ୍ରମୁଖ କର୍ମକର୍ତ୍ତା ପଦରେ ବି ରହିଥାନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ।
କେଉଁ ମଣ୍ଡପରେ ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମୁସଲମାନ ସଂପ୍ରଦାୟର ଲୋକେ ନଡ଼ା ଦେବାର ପରମ୍ପରା ଥାଏ ତ’ ଆଉ କେଉଁଠି ମେଢ ତିଆରି କରନ୍ତି ସେହି ସଂପ୍ରଦାୟର କାରିଗର । ସେହିପରି ଖ୍ରୀଷ୍ଟିଆନ୍ଠାରୁ ଆରମ୍ଭ କରି ସବୁ ଧର୍ମର ଲୋକେ ପୂଜା କମିଟି କର୍ମକର୍ତ୍ତା ଭାବେ ପୂଜା ଆୟୋଜନରେ ସହଯୋଗ କରିଥାନ୍ତି । ସେହିପରି ସାମୂହିକ ଭାବେ ବି ସବୁ ବର୍ଗର ଲୋକେ ପୂଜା ପରମ୍ପରା ପାଳନ କରିଥାନ୍ତି । ଉଦାହରଣ ସ୍ୱରୂପ ପ୍ରତିବର୍ଷ ଭସାଣିରେ ମଙ୍ଗଳାବାଗରୁ ଦରଘାବଜାର ପର୍ଯ୍ୟନ୍ତ ବିଭିନ୍ନ ମୁସଲିମ୍ ମହଲା ଓ ନୌଯବାନ କମିଟି ପକ୍ଷରୁ ଦଶହରା ମେଢ ଓ କମିଟିକୁ ସମ୍ବର୍ଦ୍ଧିତ କରିବାର ପରମ୍ପରା ରହିଛି । ବିଶେଷ କରି ବକ୍ସିବଜାର ମସ୍ତାନ ରୋଡ୍ ଓ ଦରଘାବଜାରରେ ସବୁ ପୁଜା କମିଟିକୁ ମୁସଲିମ୍ ଲୋକମାନେ ସମ୍ବର୍ଦ୍ଧିତ କରି ଭାଇଚାରାର ବାର୍ତ୍ତା ଦେଇଥାନ୍ତି ।
ହରିପୁରର ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ନଗର ପରିକ୍ରମା କରିବା ସମୟରେ ସେମିନାରୀ ଛକରେ ଚାନ୍ଦ କ୍ଲବ୍ ଓ ମହଲା କମିଟି ତରଫରୁ ମା’ଙ୍କୁ ଭୋଗ ଦିଆଯାଏ । ପୂଜା କମିଟିର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯିବାର ପରମ୍ପରା ରହିଛି । ମଙ୍ଗଳାବାଗରେ ଦୀର୍ଘ ଦିନରୁ ମୁସଲିମ୍ ଲୋକମାନେ ସାମିଲ୍ ହୋଇ ପୂଜା ଆୟୋଜନ କରିବାର ପରମ୍ପରା ବଜାୟ ରହିଛି ।
ମୂର୍ତ୍ତି ତିଆରି ପାଇଁ ନଡ଼ା ଦିଅନ୍ତି
ଆଜି କି କାଲି ନୁହଁ, ବରଂ ଦୀର୍ଘ ବର୍ଷ ହେବ ସ୍ୱତନ୍ତ୍ର ପରମ୍ପରା ବଜାୟ ରଖିଛି ଅଲିଶାବଜାର ପୂଜା କମିଟି । ଅଲିଶାବଜାରରେ ମୁସଲମାନ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମୂର୍ତ୍ତି ପାଇଁ ନଡ଼ା ବନ୍ଧା ପୂର୍ବରୁ ଅଲିଶାବଜାରର ଲାଲବନ୍ଧ ସାହିର ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିମାନେ ପୂଜା କମିଟିକୁ ନଡ଼ା ଆଣି ଦିଅନ୍ତି । ଏ ପରମ୍ପରା ଦୀର୍ଘ ବର୍ଷ ଧରି ଚାଲିଆସିଛି । ପୂଜା କମିଟି ତରଫରୁ ମୂର୍ତ୍ତି ପାଇଁ ନଡ଼ା ଆଣିବାକୁ ମୁସଲମାନ ସମ୍ପ୍ରଦାୟର ଭାଇମାନଙ୍କୁ ଦାୟିତ୍ୱ ଦିଆଯାଏ । ସେହିପରି ଅନ୍ୟାନ୍ୟ କାର୍ଯ୍ୟ ଯେପରିକି ସାଜସଜ୍ଜା, ମାଛ ଭୋଗ ବାଣ୍ଟିବା ଏବଂ ଭସାଣି ଶୋଭାଯାତ୍ରାରେ ସେମାନଙ୍କ ସହଯୋଗ ରହିଥାଏ।
ସମସ୍ତେ ଏକାଠି ହେବାର ପର୍ବ..
ଦୀର୍ଘ ୪ ବର୍ଷ ହେଲା ମୁଁ ପୂଜା କମିଟି ସହିତ ଜଡିତ ରହିଛି । ଆମ କମିଟିର ଯେଉଁ ପରମ୍ପରା ରହିଛି ତାହାକୁ ପାଳନ କରିବାରେ ସାହିର ସବୁ ମୁସଲିମ୍ ଲୋକ ଅଂଶଗ୍ରହଣ କରିଥାନ୍ତି । ମା’ଙ୍କ ପୂଜା ମାନେ ସମସ୍ତେ ଏକାଠି ହେବାର ସମୟ ଆସିଥାଏ । ପ୍ରତିବର୍ଷ ମୁଁ ଓ ସାହି ଲୋକ ପୂଜା ଆରମ୍ଭରୁ ଭସାଣି ପର୍ଯ୍ୟନ୍ତ ସହଯୋଗ କରିଥାଉ ।
ରାଜନୈତିକ ଭାଇଚାରା
ଦଶହରାରେ ସାଧାରଣ ଲୋକଙ୍କ ସମେତ ରାଜନୈତିକ କ୍ଷେତ୍ରରେ ମଧ୍ୟ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥାଏ । ମା’ଙ୍କ ଭସାଣିରେ ସବୁ ଦଳର ନେତୃବର୍ଗ ଏକାଠି ହୋଇ ଘଣ୍ଟ ବଜାଇବା ଏକ ନିଆରା ପରିବେଶ ସୃଷ୍ଟି କରିଥାଏ । ସେହିପରି ଭସାଣି ଉତ୍ସବରେ ଦରଘା ବଜାର ଓ ପୁରୀଘାଟ ନିକଟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମ୍ବର୍ଦ୍ଧନା ପାଇଁ ମଞ୍ଚ ପ୍ରସ୍ତୁତ ହୋଇଥାଏ । ଏଥିରେ ବିଜେପି, କଂଗ୍ରେସ ଓ ବିଜେଡି ଭଳି ସବୁ ଦଳର ଲୋକ ସାମିଲ୍ ହୋଇଥାନ୍ତି । ଚାନ୍ଦିନୀଚୌକରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସବୁ ବର୍ଗର, ସବୁ ଦଳର ଲୋକେ ଏକଜୁଟ୍ ହୋଇ ମା’ଙ୍କୁ ମେଲାଣି ଦେଉଥିବା ଦେଖିବାକୁ ମିଳିଥାଏ ।
ସମୂହ ଭୋଜିରେ ଏକାଠି ହୁଅନ୍ତି ହିନ୍ଦୁ-ମୁସଲମାନ
ଭାଇଚାରାର ଆଉ ଏକ ଅପୂର୍ବ ଉଦାହରଣ ହେଉଛି ସାହେବଜାଦା ବଜାର ସ୍ଥିତ ଗଣେଶ ଘାଟ ଭାଗବତ ପୂଜା କମିଟି । ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲୋକେ ଏକାଠି ପୂଜା ପାଳନ କରନ୍ତି । ଏମିତିକି ଗୋଟିଏ ଦିନ ସାହିର ହିନ୍ଦୁ ଓ ମୁସଲିମ୍ ଲୋକମାନେ ଏକାଠି ହୋଇ ଭୋଜି କରନ୍ତି । ଇନ୍ଦୁ ପୂର୍ଣ୍ଣିମାରେ ଭାଗବତ ଜନ୍ମଠାରୁ ଉକ୍ତ କମିଟି ପକ୍ଷରୁ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ତେଣୁ ପୂଜା ଆରମ୍ଭରୁ ଦଶହରା ଶେଷ ପର୍ଯ୍ୟନ୍ତ ସାହିର ସବୁ ଲୋକମାନେ ଏକଜୁଟ୍ ହୋଇ କାମ କରନ୍ତି । ସାହିରେ ରହୁଥିବା ପାଖାପାଖି ୨ଶହ ମୁସଲିମ୍ ପରିବାର ଭୋଜିରେ ସାମିଲ୍ ହୋଇଥାନ୍ତି ।
ମଣ୍ଡପରେ ଶୋଭାପାଉଛି ଜାହିର୍ଙ୍କ ମେଢ଼
କଟକ ଦଶହରାରେ ସୁନା, ଚାନ୍ଦିର ଭିଡ଼ରେ ଜରି ମେଢ଼ କିନ୍ତୁ ତାର ଚମକ ହରାଇନାହିଁ । ଏବେ ବି ଶତାଧିକ ପୂଜା ମଣ୍ଡପରେ ମା’ଙ୍କ ଶୋଭା ବଢ଼ାଉଛି ଜରି ମେଢ଼ । ପୁଣି କିଛି ମଣ୍ଡପରେ ଜରିର ଅଳଙ୍କାର ମଧ୍ୟ ଶୋଭା ପାଉଛି । କଟକ ସହରରେ ମା’ଙ୍କ ପାଇଁ ମେଢ଼ ଓ ଅଳଙ୍କାର ତିଆରି କରୁଥିବା ଅନେକ କାରିଗରଙ୍କ ଭିତରେ ଅଛନ୍ତି ବାଙ୍କାବଜାରର ଜାହିର ଖାଁ । ଭାଇଚାରାର ସହର କଟକର ଗୌରବର ଧ୍ୱଜା ଧରି ଆଗେଇ ଚାଲିଥିବା ଜାହିରଙ୍କ ପୂରା ପରିବାର ଏଇ କାମରେ ଅଛନ୍ତି । କେବଳ ଜାହିର ନୁହନ୍ତି ତାଙ୍କ ଜେଜେ ଓ ବାପା ମଧ୍ୟ ଏହି କାମରେ ଥିଲେ । ତିନି ପିଢି ଧରି ଜାହିରଙ୍କ ପରିବାର କଟକ ଦଶହରା ଆୟୋଜନରେ ଅଛନ୍ତି । ଅବଶ୍ୟ ଜାହିରଙ୍କ କାମ ଏବେ କେବଳ କଟକ ନୁହେଁ, ସାରା ଓଡ଼ିଶାର ବିଭିନ୍ନ ମଣ୍ଡପରେ ପହଞ୍ଚିଲାଣି । ଜାହିରଙ୍କ ନିଖୁଣ କାରିଗରି ପାଇଁ ତାଙ୍କ ହାତ ତିଆରି ଜରି ମେଢ ସୁନାରୁପା ସଦୃଶ ଦେଖାଯାଇଥାଏ । ଫଳରେ ତାଙ୍କ ଡିମାଣ୍ଡ ଦିନକୁ ଦିନ ବଢ଼ିଚାଲିଛି ।
କଟକ ସମେତ ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଆଦି ଅନେକ ସ୍ଥାନରୁ ଲୋକମାନେ ଆସି ଜରି ମେଢ ଓ ମା’ଙ୍କ ଅଳଙ୍କାର ପାଇଁ ଅର୍ଡର ଦେଉଛନ୍ତି । ପୂର୍ବରୁ ତାଙ୍କ ଜେଜେବାପା ରସିଦ୍ ଖାଁ, ପରେ ବାପା ଅମିର୍ ଖାଁ ଏହି ଜରି ମେଢ କରୁଥିଲାବେଳେ ଏବେ ଏହି ଦାୟିତ୍ୱ ସେ ତୁଲାଉଛନ୍ତି । ପୂରା ପରିବାର ଏକତ୍ରିତ ହୋଇ ଦଶହରା ପାଇଁ ବିଭିନ୍ନ ଆକର୍ଷଣୀୟ ମେଢ ଆଦି କାର୍ଯ୍ୟ କରିଥାନ୍ତି । ମେଢ ତିଆରି କୌଶଳ ସଂପର୍କରେ ଅନ୍ୟ କାରିଗରଙ୍କୁ ଶିକ୍ଷା ଦେଇ ସେମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇଛନ୍ତି ସେ । ଏ ନେଇ ଜାହିର୍ କହିଛନ୍ତି ଯେ, ଏ ବର୍ଷ ଦୈନିକ ୨୦ରୁ ଅଧିକ କାରିଗର କାମ କରୁଛନ୍ତି । ଏବେ ପାଖାପାଖି ୧୫ରୁ ୨୦ଟି ମେଢ ଅର୍ଡର ଅଛି । ବାଙ୍କାବଜାର ଅଞ୍ଚଳରେ କେବଳ ଜାହିର ନୁହନ୍ତି ସୟଦ ଅସ୍ଲମ୍ ଅଲ୍ଲି, ସାହିଦ୍ ଖାଁ, ତନବିର୍ ଖାଁଙ୍କ ଭଳି ଅନେକ ମୁସଲିମ୍ କାରିଗର ଏହି କାମ କରୁଛନ୍ତି ।