ମୁମ୍ବାଇ,୧୭/୦୭: ଭାରତୀୟ କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର । ବିଶ୍ୱ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଆସନ୍ତା ମାସରେ ଭାରତ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଗାମୀ ଏଏଫ୍ସି ଚାମ୍ପିଅନ୍ସ ଲିଗ୍-୨ ପାଇଁ ଗ୍ରୁପ୍ ଘୋଷଣା କରାଯାଇଛି ।
ରୋନାଲ୍ଡୋଙ୍କ କ୍ଲବ୍ ଅଲ୍ ନାସର ଓ ଭାରତର ଏଫ୍ସି ଗୋଆ ଗୋଟିଏ ଗ୍ରୁପ୍ରେ ସ୍ଥାନ ପାଇଛନ୍ତି । ଫର୍ମାଟ୍ ଅନୁଯାୟୀ ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ୨ଥର ଲେଖାଏଁ ଭେଟିବେ । ଉଭୟ ଦଳ ନିଜ ନିଜ ଘରୋଇ ଗ୍ରାଉଣ୍ଡ୍ରେ ସାମ୍ନା ସାମ୍ନି ହେଉଥିବାରୁ ଅଲ୍ ନାସର ଏକ ମ୍ୟାଚ୍ ଖେଳିବା ପାଇଁ ଏଫ୍ସି ଗୋଆର ଘରୋଇ ଗ୍ରାଉଣ୍ଡକୁ ଆସିବ ।
ସେପ୍ଟେମ୍ବର ୨୨ ତାରିଖରେ ଗୋଆର ଜବାହରଲାଲ ନେହରୁ ଷ୍ଟାଡ଼ିୟମ୍ରେ ଏହି ମ୍ୟାଚ୍ ଖେଳାଯିବ । ରୋନାଲ୍ଡୋ ଉକ୍ତ ମ୍ୟାଚ୍ ଖେଳିଲେ ତାଙ୍କର ଏହା ପ୍ରଥମ ଭାରତ ଆଗମନ ହେବ । ଖାଲି ସେତିକି ନୁହେଁ ରୋନାଲ୍ଡୋ ପ୍ରଥମ ଥର ପାଇଁ କୌଣସି ଭାରତୀୟ କ୍ଲବ୍ ବିପକ୍ଷରେ ଖେଳିବେ । ମାତ୍ର ସବୁକିଛି ରୋନାଲ୍ଡୋଙ୍କ ଉପରେ ନିର୍ଭର କରୁଛି ।
ଅଲ୍ ନାସର ସହ ଚୁକ୍ତି ଅନୁଯାୟୀ କ୍ଲବ୍ର ଘରୋଇ ଗ୍ରାଉଣ୍ଡ ବ୍ୟତୀତ କୌଣସି ବାହାର ଗ୍ରାଉଣ୍ଡର ମ୍ୟାଚ୍ ଖେଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ରୋନାଲ୍ଡୋଙ୍କ ଉପରେ ନ୍ୟସ୍ତ ରହିବ । ସେ ଚାହିଁଲେ ବାହାର ଗ୍ରାଉଣ୍ଡରେ ଖେଳିବେ କିମ୍ବା ବିଶ୍ରାମ ନେବେ । ତେଣୁ କରି ଭାରତ ଆସିବା ନିଷ୍ପତ୍ତି କେବଳ ରୋନାଲ୍ଡୋଙ୍କ ଉପରେ ନିର୍ଭର କରିବ ।
ସୂଚନାଯୋଗ୍ୟ, ଏଫ୍ସି ଗୋଆ ୨-୧ ଗୋଲ୍ରେ ଓମାନର ଅଲ୍ ସାଇବକୁ ହରାଇ ଏଏଫସି ଚାମ୍ପିଅନ୍ସ ଲିଗକୁ ଯୋଗ୍ୟତା ଅର୍ଜନ କରିଥିଲା। ଶୁକ୍ରବାର ଦିନ ଚାମ୍ପିଅନ୍ସ ଲିଗ୍ ପାଇଁ ଗ୍ରୁପ୍ ଘୋଷଣା କରାଯାଇଥିଲା । ଏଫ୍ସି ଗୋଆ ଗ୍ରୁପ୍ ଡି’ରେ ସ୍ଥାନ ପାଇଛି । ଏହି ଗ୍ରୁପ୍ରେ ଅନ୍ୟ ଦଳ ଭାବେ ଅଲ୍ ନାସର, ଇରାକର ଅଲ୍ ଜାୱରା ଓ ତାଜିକିସ୍ତାନର ଏଫ୍ସି ଇସ୍ତିକ୍ଲୋଲ ରହିଛନ୍ତି । ଏଫ୍ସି ଗୋଆ ଘରୋଇ ଗ୍ରାଉଣ୍ଡ୍ରେ ସେପ୍ଟେମ୍ବର ୧୭ରେ ଅଲ ଜାୱରା, ସେପ୍ଟେମ୍ବର ୨୨ରେ ଅଲ୍ ନାସର ଓ ଡିସେମ୍ବର ୨୪ରେ ଇସ୍ତିକ୍ଲୋଲକୁ ଭେଟିବ ।