ଆଜିକାଲି ବିବାହ ସମାରୋହରେ ବିଭିନ୍ନ ପ୍ରକାର ସୃଜନାତ୍ମକ କାର୍ଯ୍ୟ ଦେଖିବାକୁ ମିଳୁଛି । କିଛି ଦମ୍ପତି ବିବାହ କାର୍ଡରେ ଏହି ସୃଜନଶୀଳତାକୁ ପ୍ରଦର୍ଶନ କରୁଥିବାବେଳେ ଅନ୍ୟମାନେ ବିଭିନ୍ନ ଥିମ୍ର ବିବାହ ଉତ୍ସବ ଆୟୋଜନ କରୁଛନ୍ତି । ବିଶେଷକରି ବିବାହ ମଣ୍ଡପରେ କନ୍ୟାଙ୍କ ଏଣ୍ଟ୍ରିକୁ ସ୍ୱତନ୍ତ୍ର କରିବାକୁ ଉଦ୍ୟମ କରାଯାଉଛି । ନିକଟରେ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଥିରେ ଲେଜର ଶୋ’ ସହ କନ୍ୟାଙ୍କ ଏଣ୍ଟ୍ରିକୁ ଦେଖିବାକୁ ମିଳୁଛି । ଡିସେମ୍ବର ୨ରେ ବିବାହ କରିଥିବା ସୁରଭି ଓ ରିଶଭ ଏହି ଭିଡିଓକୁ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେଥିରେ ବିବାହ ମଣ୍ଡପକୁ ଏକ ଥିଏଟର ଭଳି ସଜାଯାଇଛି । ଅତିଥିମାନଙ୍କର ନଜର ଏକ ଧଳା ରଙ୍ଗର ପରଦା ଉପରେ ରହିଛି । ଛୋଟରୁ ବଡ଼ ହେବା ଯାଏ ଜଣେ ଝିଅର ଜୀବନଯାତ୍ରାକୁ ସେଠାରେ ଲେଜର ଶୋ’ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି ।
ଛୋଟ ଥିବାବେଳେ ଝିଅଟି ନିଜ ବାପାଙ୍କ ସମେତ ପରିବାର ସହ ଖେଳୁଛି । ସମୟ ସହିତ ସେ ବଡ଼ ହୋଇ ନିଜ ସ୍ୱପ୍ନ ପୂରଣ କରିବା ଦିଗରେ ଆଗଉଛି । ତାର ସ୍ୱାଧୀନତାର ପ୍ରତୀକ ଭାବେ ଏକ ପକ୍ଷୀକୁ ଆକାଶରେ ଡେଣା ଝାଡ଼ି ଉଡୁଥିବାର ଦେଖିବାକୁ ମିଳୁଛି । ପରେ ଝିଅଟିର ଏକ ପୁଅ ସହ ଦେଖାହୋଇଛି । ସେମାନେ ପରସ୍ପରର ପ୍ରେମରେ ପଡି଼ଛନ୍ତି । ପୁଅଟି ଝିଅକୁ ବିବାହ ଲାଗି ପ୍ରସ୍ତାବ ଦେଉଛି । ଏହା ପରେ ପରଦା ଉପରେ କନ୍ୟା ଓ ବରଙ୍କ ନାମ ଲେଖାଯାଉଛି । ଶେଷରେ ପରଦା ହଟିଯାଉଛି ଓ କନ୍ୟାଙ୍କୁ ଷ୍ଟେଜ୍ ମଝିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ଉପସ୍ଥିତ ଦର୍ଶକମାନେ ତାଙ୍କୁ ତାଳି ମାରି ସ୍ୱାଗତ କରୁଛନ୍ତି । ଏହି ଭିଡିଓକୁ ଅନେକ ୟୁଜର ପ୍ରଶଂସା କରିଛନ୍ତି । ଅନେକ ୟୁଜର ପୂର୍ବରୁ କେବେହେଲେ ଏବେ ଭାବୁକ କରି ଦେବା ଭଳି କନ୍ୟାଙ୍କ ଏଣ୍ଟ୍ରି ଦେଖିନଥିବା କହିଛନ୍ତି । କିଛି ୟୁଜର ବହୁ ଅର୍ଥ ଖର୍ଚ୍ଚ କରି କରାଯାଉଥିବା ଆତଶବାଜି ଅପେକ୍ଷା ଏହି ଭାବନାତ୍ମକ ଶୋ’ ଉତ୍କୃଷ୍ଟ ବୋଲି ଦର୍ଶାଇଛନ୍ତି ।