ଜଳେଶ୍ୱର,୨୪/୧୧: ଜଳେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପଶ୍ଚିମବଙ୍ଗରୁ ଓଡିଶା ଅଭିମୁଖେ ଆସି ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର । ଅଳ୍ପକେ ରକ୍ଷା ପାଇଲେ ଟୋଲପ୍ଲାଜା କର୍ମଚାରୀ । ଜୀବନ୍ତ ଦଗ୍ଧ ହେଲେ କଣ୍ଟେନର ଡ୍ରାଇଭର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲପ୍ଲାଜା ଠାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଜଳ୍ବେଶର ଟୋଲ୍ ପ୍ଲାଜାରେ ଭୟଙ୍କର ଦୁର୍ଘଟଣା। ରାତି ୨ଟା ୩୦ ଦ୍ରୁତଗତିରେ ଆସି ଲକ୍ଷ୍ମଣନାଥ ଟୋଲ୍ କାଉଣ୍ଟରକୁ ପିଟିଲା କଣ୍ଟେନର । ଦୁର୍ଘଟଣା ପରେ ହଠାତ ଜଳିଉଠିଲା କଣ୍ଟେନର। ଦୁର୍ଘଟଣାସ୍ଥଳରେ ଜୀବନ୍ତ ଜଳିଗଲା ଡ୍ରାଇଭର। ଅଳ୍ପକେ ବର୍ତ୍ତିଗଲେ ଟୋଲ୍ ପ୍ଳାଜା କର୍ମଚାରୀ। କିନ୍ତୁ ଜୋରଦାର ଦୁର୍ଘଟଣା ଫଳରେ ବ୍ଳାକ୍ଆଉଟ୍ ହୋଇଯାଇଥିଲା ଟୋଲ୍ ପ୍ଲାଜା। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଉଭୟ ପହଞ୍ଚିଥିଲେ । ଜଳେଶ୍ୱର ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଅପରେସନ ପରେ ନିଆଁକୁ ଆୟତ କରିଥିବା ବେଳେ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଡ୍ରାଇଭର ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟଲୋକେ କହିଛନ୍ତି ।
ଅନ୍ୟପଟେ ହାଇୱେର କର୍ମଚାରୀ କ୍ରେନ ସାହାର୍ଯ୍ୟରେ କଣ୍ଟେନରକୁ ହଟାଇ ଥିଲେ । କଣ୍ଟେନର ଧକ୍କାରେ ଟୋଲପ୍ଲାଜର ସମସ୍ତ କାର୍ଯ୍ୟ ଠପ ହୋଇ ପଡିଛି ।