ବାଲେଶ୍ୱର,୧୫/୧୧ : ବାଲେଶ୍ୱରର ଆଇଟିଆଇସ୍ଥିତ ଲାଇଟ୍ ହାଉସ୍ ପଡ଼ିଆରେ ଥିବା ନେଭଟେକ୍ସ ଷ୍ଟେସନ ଏବେ ବି ଜିଲ୍ଲାର ନୌ-ବାଣିଜ୍ୟ ଇତିହାସକୁ ମନେ ପକାଉଛି । ଦିନ ଥିଲା ସମୁଦ୍ର କୂଳରେ ଥିବା ବତୀଘରରୁ ଲଣ୍ଠନ ଦ୍ୱାରା ଏଠାରୁ ବଡ଼ ବଡ଼ ଜାହାଜକୁ ସଙ୍କେତ ଦିଆଯାଉଥିଲା । ଆଜିର ଅତ୍ୟାଧୁନିକ ସମୟରେ ଏହି ପୁରୁଣା ସ୍ମୃତି ଏବେ ବି ଏଠାରେ ଉଜ୍ଜିବୀତ ରଖାଯାଇଛି । ଏଠାରେ ଥିବା ନେଭଟେକ୍ସ ଷ୍ଟେସନରୁ ଦେଶ ବିଦେଶର ଜାହାଜକୁ ବିଭିନ୍ନ ବାର୍ତ୍ତା ଦେବା ସହ ସେମାନଙ୍କୁ ସୁରକ୍ଷିତ କରିବାର ମୁଖ୍ୟ ମାଧ୍ୟମ ଥିଲା । ଇତିହାସ କହେ ସପ୍ତଦଶ ଶତାଦ୍ଦୀର ପ୍ରାରମ୍ଭରେ ବାଲେଶ୍ୱର ଜିଲ୍ଲାର ଉପକୂଳରେ ୭ଟି ବନ୍ଦର ଥିଲା । ବଡ଼ ବଡ଼ ଜାହାଜ ଆସି ଏଠାରେ ଲାଗୁଥିଲା । ଯେଉଁଥି ପାଇଁ ଏଠାରେ ପର୍ତ୍ତୁଗୀଜ୍, ଡଚ୍, ଫରାସୀ, ବ୍ରିଟିଶ୍ ଭଳି ବହୁ ବୈଦେଶିକ ଜାତି ବସତି ସ୍ଥାପନ କରି ବାଣିଜ୍ୟ ବ୍ୟବସାୟ କରୁଥିଲେ ।
୧୮୦୩ ସେପ୍ଟେମ୍ବର ୨୨ ତାରିଖରେ ଇଂରେଜ ବାଲେଶ୍ୱର ଅଧିକାର କରିବା ପରେ ପରବର୍ତ୍ତୀ ସମୟରେ ସମସ୍ତ ବୈଦେଶିକ ଜାତି ବାଲେଶ୍ୱର ଛାଡ଼ି ଚାଲିଯାଇଥିଲେ । ନୌ-ବାଣିଜ୍ୟର ଉନ୍ନତି ପାଇଁ ଇଂରେଜ ଅନେକ କିଛି ପଦକ୍ଷେପ ଗ୍ରହଣ କରିଥିଲା । ସେଗୁଡ଼ିକ ମଧ୍ୟରୁ ବାଲେଶ୍ୱର ବତୀଘର ଥିଲା ଅନ୍ୟତମ । ସମୁଦ୍ରରେ ଜାହାଜ ସ୍ଥିତି ଓ ଗତିପଥର ସଙ୍କେତ ଜାଣିବା ପାଇଁ ଇଂରେଜମାନେ ସମୁଦ୍ର ଉପକୂଳରେ ବତୀଘର ନିର୍ମାଣ କରିଥିଲେ । ମାତ୍ର କେଉଁଠି ଏହା ନିର୍ମାଣ କରିଥିଲେ ତାହା ସ୍ପଷ୍ଟ ହୋଇନି । ଏହି ବତୀଘର କାମ ୧୮୩୬ ମସିହାରେ ଆରମ୍ଭ ହୋଇ ୧୮୩୮ ମସିହାରେ ଶେଷ ହୋଇଥିଲା । ଏଠାରୁ ଲଣ୍ଠନ ଦ୍ୱାରା ସମୁଦ୍ରର ଜାହାଜକୁ ସିଗ୍ନାଲ ଦିଆଯାଉଥିଲା । ଦେଶ ସ୍ୱାଧୀନ ହେବା ପରେ ନୌବାଣିଜ୍ୟ କ୍ଷେତ୍ରରେ ବାଲେଶ୍ୱରର ଗୁରୁତ୍ୱକୁ ମନେ ପକାଇବା ପାଇଁ ଭାରତ ସରକାରଙ୍କ ପତ୍ତନ, ପୋତ ପରିବହନ ଓ ଜଳମାର୍ଗ ମନ୍ତ୍ରଣାଳୟ ଦୀପସ୍ତମ୍ଭ ଏବଂ ଦୀପପୋତ ନିର୍ଦ୍ଦେଶାଳୟଙ୍କ ପକ୍ଷରୁ ୬୦ ଦଶକ ଆରମ୍ଭରେ ଆଇଟିଆଇ ପଡ଼ିଆ ନିକଟରେ ନେଭଟେକ୍ସ ଷ୍ଟେସନ ପ୍ରତିଷ୍ଠା କରାଯାଇଥିଲା । ଏଥିପାଇଁ କେନ୍ଦ୍ର ସରକାରଙ୍କ ଲାଇଟ୍ ହାଉସ୍ ବିଭାଗ ପକ୍ଷରୁ ପାଖାପାଖି ୩୦ ଏକରରୁ ଊର୍ଦ୍ଧ୍ୱ ଜମି ଚିହ୍ନଟ କରାଯାଇଥିଲା ।
ଏଠାରେ ପ୍ରଥମେ ଡେକା, ପରେ ଲରେନ୍ସ ନେଭିଗେସନ ସିଷ୍ଟମ ମେସିନ୍ କାର୍ଯ୍ୟ କରୁଥିଲା । ଏହାର କ୍ଷମତା ୬୦ରୁ ୨ଶହ ନଟିକାଲ ମାଇଲ ଅର୍ଥାତ୍ ଏଠାରୁ ସମୁଦ୍ର ଭିତରେ ଥିବା ୩୦୦ରୁ ୩୬୦ କି.ମି ଜାହାଜକୁ ବାର୍ତ୍ତା ପ୍ରେରଣ କରାଯାଇପାରୁଥିଲା । ଏବେ ଅତ୍ୟାଧୁନିକ ମେସିନ୍ ଲାଗିଛି । ଏହି ମେସିନ୍ ଲାଗିବା ପରେ ଏହାର କ୍ଷମତା ୪୦୦ ନଟିକାଲ ମାଇଲ ଅର୍ଥାତ ପାଖାପାଖି ୭୦୦ରୁ ୭୨୦ କି.ମି ଦୂରତାକୁ ବୃଦ୍ଧି ପାଇଛି । ଏହି ସବୁ କାମ କାର୍ଯ୍ୟକ୍ଷମ କରିବା ପାଇଁ ଏଠାରେ ୧୮୫ ମିଟର ଉଚ୍ଚତାର ଏକ ଟାୱାର ଲାଗିଛି । ଏହି ଟାୱାରରେ ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି । ଏହି ଦୂରତା ଭିତରେ ଜଳ ଜାହାଜ ଏବଂ ଉଡ଼ାଜାହାଜର ଅବସ୍ଥିତି ଜାଣିବା ସହିତ ଗତିପଥର ସଙ୍କେତ ଦିଆଯାଉଛି ।
କେବଳ ଏତିକି ନୁହେଁ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି । ସମୁଦ୍ରରେ ଜାହାଜର ଗତିପଥ ସହ ସେମାନଙ୍କ ପାଇଁ ବାର୍ତ୍ତା ପ୍ରେରଣ କରିବା ଲାଗି ସମ୍ପ୍ରତି ଦେଶର ୭ଟି ସ୍ଥାନରେ ଏଭଳି ଅତ୍ୟାଧୁନିକ ନେଭଟେକ୍ସ ଷ୍ଟେସନ ପ୍ରତିଷ୍ଠା କରାଯାଇଛି । ସେଥିମଧ୍ୟରୁ ବାଲେଶ୍ୱର ଅନ୍ୟତମ । ଏହାର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରୁ ଯେଉଁ ବାର୍ତ୍ତା ମିଳେ ତାହାକୁ ଜାହାଜ, ମତ୍ସ୍ୟଜୀବୀଙ୍କୁ ପ୍ରେରଣ କରିବା ଏହାର ମୁଖ୍ୟ କାମ । ଏହା ବ୍ୟତୀତ ସମୁଦ୍ରରେ ଥିବା ଜାହାଜ, ମତ୍ସ୍ୟଜୀବୀଙ୍କ ନିକଟରୁ ଯେଉଁ ବାର୍ତ୍ତା ଆସେ, ତାହାକୁ ମଧ୍ୟ ଏଠାରୁ ପ୍ରସାରଣ କରାଯାଏ । ଏଠାରେ ମଧ୍ୟ ଅଟୋମେଟିକ ଆଇଡିଣ୍ଟିଫିକେସନ ସିଷ୍ଟମ(ଏଆଇଏସ୍) କାମ କରୁଛି । ଏହା ଦ୍ୱାରା ସମୁଦ୍ରରେ ଥିବା ସମସ୍ତ ଜାହାଜର ଗତିପଥ ସହ ସେଗୁଡ଼ିକର ପରିଚୟ, ଜାହାଜଗୁଡ଼ିକ କେଉଁ ସ୍ଥାନରେ ଅଛନ୍ତି, କ’ଣ କରୁଛନ୍ତି³ ଏଭଳି ସମସ୍ତ ତଥ୍ୟ ସଂଗ୍ରହ କରୁଛି । ଏହି ବାର୍ତ୍ତା ମଧ୍ୟ ଅନ୍ୟ ଜାହାଜକୁ ଦେବା ସହ ତଟ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ପଠାଉଛି । ମୋଟ ଉପରେ କହିବାକୁ ଗଲେ ସମୁଦ୍ରର ସୁରକ୍ଷା ଏହିଠାରୁ ହିଁ ନିୟନ୍ତ୍ରିତ ହେଉଛି ।
ଏହା ବ୍ୟତୀତ ଏଠାରୁ ଆହୁରି ଅନେକ ପ୍ରତିରକ୍ଷା ବିଭାଗର କାର୍ଯ୍ୟ ମଧ୍ୟ ସମ୍ପାଦିତ ହେଉଛି । ଏସବୁ ସତ୍ତେ୍ୱ ଏହାର ଗୁରୁତ୍ୱ ବିଷୟରେ ଏବେବି ଜିଲ୍ଲାବାସୀ ଅଜ୍ଞ ଅଛନ୍ତି । ନେଭଟେକ୍ସ ଷ୍ଟେସନ ନେଇ ଷ୍ଟେସନ ଅଧିକାରୀ ଜଗନ୍ନାଥ ଦାସଙ୍କ ସହ ଆଲୋଚନା କରାଯାଇଥିଲା । ତାଙ୍କ କହିବା କଥା ଏହି ନେଭଟେକ୍ସ ଷ୍ଟେସନର ଗୁରୁତ୍ୱ ବିଷୟରେ ଯେତେ କହିଲେ ବି କମ୍ ହେବ । ଏହାକୁ ଭରସା କରି ସମୁଦ୍ରରେ ଜାହାଜ ଚଳାଚଳ କରେ । ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି । ସେମାନଙ୍କ ପାଇଁ ଏହି କାର୍ଯ୍ୟାଳୟ ଏକମାତ୍ର ଭରସାର ମାଧ୍ୟମ ବୋଲି ସେ କହିଥିଲେ । ସମ୍ପ୍ରତି ଲାଇଟ୍ ହାଉସ ବିଭାଗ ଆବଶ୍ୟକତାଠାରୁ ଅଧିକ ଜମି ରଖିଛି । ସହରର ବିକାଶମୂଳକ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ କିଛି ବ୍ୟକ୍ତି ଦାବି କରୁଛନ୍ତି । ପୂର୍ବରୁ ଏଠାରେ କାର୍ଯ୍ୟରତ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଏଠାରେ ଲାଗିଥିବା ଟାୱାର ଠିକ୍ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ଯେତିକି ସ୍ଥାନ ଆବଶ୍ୟକ³ ସେତିକି ନିଆଯାଇଛି । ଯେଉଁମାନେ ଏଭଳି ପ୍ରସଙ୍ଗ ଉପସ୍ଥାପନ କରୁଛନ୍ତି³ ସେମାନଙ୍କର ଏହା ବାବଦରେ ସାମାନ୍ୟତମ ଜ୍ଞାନ ନାହିଁ । ଆଗାମୀ ଦିନରେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ସମ୍ଭବପର ନୁହେଁ । ଯଦି ଗୋଟିଏ ଦିନ ଏହି କାର୍ଯ୍ୟାଳୟକୁ ବନ୍ଦ କରାଯିବ³ ତେବେ ହଜାର ହଜାର କୋଟି ଟଙ୍କା ଭାରତ ସରକାରଙ୍କର କ୍ଷତି ହେବ ବୋଲି ସେ ସ୍ପଷ୍ଟ କରିଥିଲେ ।