ଭୋଗରାଇ, ୧୬/୧୧: ହାଇଦ୍ରାବାଦର ଏକ କମ୍ପାନୀରୁ ଚୋରି ହୋଇଥିଲା ୨୧ ଲକ୍ଷ ଟଙ୍କା । ଚୋରି କରି ଶଳା ହାତରେ ଟଙ୍କା ପଠାଇଥିଲା ଭିଣୋଇ । ଟଙ୍କାକୁ ଖତଗଦାରେ ଲୁଚାଇ ରଖିଥିଲା ଶଳା । ଛାନଭିନ କରି କମର୍ଦ୍ଦା ଥାନା ବଡ଼ମଣ୍ଡାରୁଣି ଗାଁରେ ପହଞ୍ଚିଲା ହାଇଦ୍ରାବାଦ ପୋଲିସ । ଏହି ଘଟଣାରେ ପରେ ଭିଣୋଇ ଫେରାର ଥିବା ବେଳେ ଶାଶୁ ଏବଂ ଶଳାକୁ ଅଟକ ରଖିଛି ପୋଲିସ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ହାଇଦ୍ରାବାଦର ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ରେ କାମ କରୁଥିଲେ ଶଳା ଓ ଭିଣୋଇ । ପରେ ସେହି କମ୍ପାନୀରୁ ୨୧ ଲକ୍ଷ ଟଙ୍କା ଚୋରି କରିଥିଲା ଭିଣୋଇ । ସେଠାରୁ ଚୋରି କରି ଉକ୍ତ ଟଙ୍କାକୁ ଶଳା ହାତରେ ଓଡ଼ିଶା ପଠାଇଥିଲା । ଶଳା ଉକ୍ତ ଚୋରି ଟଙ୍କାକୁ ଆଣି ବଡ଼ମଣ୍ଡାରୁଣି ଗାଁର ଘରେ ଥିବା ଖତ ଗଦା ଭିତରେ ଲୁଚେଇ ରଖିଥିଲା । ତେବେ ଏହି ଚୋରି ପରେ ହାଇଦ୍ରାବାଦ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ଛାନଭିନ୍ କରିବା ପରେ ଭୋଗରାଇର ବଡ଼ମଣ୍ଡାରୁଣି ଗାଁରେ ଆସି ପହଞ୍ଚିଲା ହାଇଦ୍ରାବାଦ ପୋଲିସ । ସେଠାରେ ପହଞ୍ଚି ତନାଘନା କରିବା ପରେ ଖତଗଦା ଭିତରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଭିଣୋଇ ଫେରାର ଥିବା ବେଳେ ଶଳା ଏବଂ ଶାଶୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।