ନୀଳଗିରି,୧୫/୧୧ : ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଛନ୍ତି । ସରକାରୀ ଯୋଜନା ତାଙ୍କ ପାଇଁ ପାଲଟିଛି ସାତ ସପନ। ବାରମ୍ବାର ଗୁହାରୀ କଲେ ମଧ୍ୟ ସରକାରୀ ବାବୁଙ୍କର ଶୁଭଦୃଷ୍ଟି ପଡିପାରିନାହିଁ। ଶେଷରେ ବାଲେଶ୍ଵର ସାଂସଦଙ୍କୁ ଅଭିଯୋଗ କରିବା ପରେ ତାଙ୍କୁ ସେ ଖୁବଶୀଘ୍ର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ମିଳିଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଭାସ୍କରଗଞ୍ଜ ଅଞ୍ଚଳର ଚନ୍ଦନ ମାଝିଙ୍କ ସ୍ତ୍ରୀ ପ୍ରତିମା ରୀତିନୀତିରେ ବିବାହ କରି ହସ ଖୁସିର ସଂସାର କରିଥିଲେ। ତାଙ୍କ ଔରସରୁ ଏକ କନ୍ୟା ସନ୍ତାନ ଅଛନ୍ତି । ହେଲେ ହଠାତ ତାଙ୍କ ଜୀବନରେ କଳା ବାଦଲ ଛାଇ ହୋଇଯାଇଥିଲା । ସ୍ୱାମୀ ତାଙ୍କର ହାତ ଛାଡି ଆଉ କାହାକୁ ବିବାହ ପରେ ଝିଅକୁ ନେଇ କଣ କରିବେ କୁଆଡେ ରହିବେ କିଛି ଭାବି ପାରିନଥିଲେ। ସଙ୍ଘର୍ଷମୟ ଜୀବନ ଭିତରେ ପର ଘରେ କାମ କରି ଯାହା ଅର୍ଥ ଉପାର୍ଜନ କରନ୍ତି ପେଟ ଚାଖଣ୍ଡ ପାଇଁ ନିଅଣ୍ଟ ରହିଥାଏ । ବହୁ କଷ୍ଟରେ ଝିଅକୁ ପାଠ ପଢ଼ାଇ ମଣିଷ କରିବାକୁ ଚେଷ୍ଟା ସେ ଜାରି ରଖିଛନ୍ତି।
ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଜାଗା ନ ଥିବାବେଳେ ରେଲୱେ ଜାଗାରେ ପୁର୍ବରୁ ଜରି ଟାଣି ଝିଅ ସହ ରହିଆସୁଥିଲେ। ଝିଅ ଅଷ୍ଟମ ଶ୍ରେଣୀରେ ସେଣ୍ଟ୍ରାଲ ସ୍କୁଲରେ ପଢୁଛି ସତ ନିଜକୁ ସୁରକ୍ଷିତ ନମଣି ଏବେ ଘର ଭଡା କରି ରହିଆସୁଛନ୍ତି। ପରଘରେ କାମ କରି ଘର ଭଡା ସହ ଚଳିବେ କିପରି ଏନେଇ ସେ ଚିନ୍ତାରେ ପଡିଛନ୍ତି। ସରକାରୀ ଜାଗା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ମିଳିଲେ ଉପକୃତ ହୋଇପାରନ୍ତେ। ହେଲେ ବାରମ୍ବାର ଦାବି କରି ଆସୁଥିବାବେଳେ କେହି ସରକାରୀ ବାବୁଙ୍କର ଶୁଭଦୃଷ୍ଟି ତାଙ୍କ ଉପରେ ପଡି ପାରିନାହିଁ। ଶେଷରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଘଟଣାକୁ ଗୁରୁତର ସହ ନେଇଥିବା ଜଣାପଡିଛି। ଆଜି ତାଙ୍କୁ ଫୋନ କରି ଖୁବଶୀଘ୍ର ଭେଟିବା ପାଇଁ କହିଥିଲେ। କିଭଳି ସରକାରୀ ଯୋଜନାରେ ସମସ୍ତ ସୁବିଧା ପାଇ ପାରିବେ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।