ବାଲିଗୁଡ଼ା,୧୬/୧୨: କନ୍ଧମାଳରେ ଶୀତର ଲହରୀ ଜାରି ରହିଛି । ଲଘୁଚାପ ବର୍ଷା ପରେ ଖସିଛି ପାରଦ, ବଢିଛି ଶୀତ । ଚାରିଆଡେ କୋହଲା ପାଗ ରହୁଥିବା ବେଳେ ଦିନ ବାରଟା ଯାଏଁ କମୁନି କୁହୁଡି । ବାଲିଗୁଡ଼ା ଅଞ୍ଚଳରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବାଲିଗୁଡାର ଉପାନ୍ତ ଅଞ୍ଚଳ କୋଟଗଡ଼ ପାରିଗଡ଼, ସୁବର୍ଣ୍ଣଗିରି, ଖମାନଖୋଲ, ପୋଖରୀ ବନ୍ଧ ଅଞ୍ଚଳ ସମେତ ଦାରିଙ୍ଗବାଡି, କ.ନୁଆଗାଁ, ବେଲଘର, ତୁମୁଡ଼ିବନ୍ଧ, ବେଲଘର ଅଞ୍ଚଳରେ ବଢ଼ିଲାଣି ଶୀତ । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲିସିୟସ ତଳେ ରହିଛି । ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି । ଦିନ ବାରଟା ଯାଏଁ ଘନ କୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଛି ସାରା ଅଞ୍ଚଳ ।
ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ । ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଗରିବ ଓ ଶ୍ରମଜୀବୀ କର୍ମ କ୍ଷେତ୍ରକୁ ଯାଇ ପାରୁ ନାହାନ୍ତି । ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍, ପାର୍କ, ରାସ୍ତା ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏଥି ସହିତ ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି । ଶୀତ ବଢୁ ଥିବାରୁ କର୍ମଜୀବୀ ଓ ଗରିବ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଅଧ ରାତିରୁ ନିଆଁର ଆଶ୍ରୟ ନେଉଛନ୍ତି । ଗୃହ ପାଳିତ ପଶୁ ମାନେ ମଧ୍ୟ ନିସ୍ତାର ପାଉ ନାହାନ୍ତି । ପ୍ରଶାସନ ପକ୍ଷରୁ ଗରିବ ଲୋକଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରାଯାଇ ନାହିଁ । ଅସହ୍ୟ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି, ବେଲଘର, ଲୁଦୁ ଜଳପ୍ରପାତ, ସାପ ନଳା,ମଣ୍ଡା ସୁରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ନିକଟରୁ ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି ।