ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଦେଇଛନ୍ତି ଏବଂ ସେମାନଙ୍କୁ ଏପ୍ରିଲ ୨୭ ପୂର୍ବରୁ ଭାରତ ଛାଡି ପାକିସ୍ତାନ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିଜ ନିଜ ରାଜ୍ୟରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ସ୍ବଦେଶ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ପାକିସ୍ତାନୀ ନାଗରିକଙ୍କ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।
ମୁଖ୍ୟମନ୍ତ୍ରୀ ଫଡନବିସ କହିଛନ୍ତି ଯେ, ମହାରାଷ୍ଟ୍ରରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବାର କାମ ଚାଲିଛି । ପାକିସ୍ତାନୀ ଅଭିନେତା ଏବଂ ପାକିସ୍ତାନୀ ଖେଳାଳିମାନଙ୍କ ପ୍ରତି ଆମର କୌଣସି ସହାନୁଭୂତି ନାହିଁ। ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରରେ ଉପସ୍ଥିତ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ କାର୍ଯ୍ୟ ଚାଲିଛି। ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି। କୌଣସି ପାକିସ୍ତାନୀ ନାଗରିକ ୪୮ ଘଣ୍ଟାରୁ ଅଧିକ ସମୟ ପାଇଁ ମହାରାଷ୍ଟ୍ରରେ ରହିବା ଉଚିତ୍ ନୁହେଁ। ଆମେ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିବୁ ଏବଂ ସେମାନଙ୍କୁ ଦେଶରୁ ବାହାର କରିଦେବୁ। ଯେଉଁମାନେ ଅଧିକ ସମୟ ପର୍ଯ୍ୟନ୍ତ ରହିବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଫଡ଼ନବିସ କହିଛନ୍ତି ।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶ୍ଚିତ ଭାବରେ ପାକିସ୍ତାନକୁ ଉଚିତ ଜବାବ ଦେବେ। ପ୍ରଧାନମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି। ଏହା ପୂର୍ବରୁ ଯେତେବେଳେ ବି ଭାରତ ଉପରେ ଆକ୍ରମଣ ହୋଇଛି, ପ୍ରଧାନମନ୍ତ୍ରୀ ମୋଦୀ ଉଚିତ ଜବାବ ଦେଇଛନ୍ତି । ଏଥର ମଧ୍ୟ ପାକିସ୍ତାନକୁ ନିଶ୍ଚିତ ଭାବରେ ଉଚିତ ଜବାବ ମିଳିବ ।
ପହଲଗାମ ଆକ୍ରମଣ ସମ୍ପର୍କରେ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇ ନଥିବାରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଶିବସେନା (ୟୁବିଟି) ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ଇତିହାସ ରହିଆସିଛି ଯେ ଯେତେବେଳେ ଦେଶ କଥା ଆସେ, ସମସ୍ତ ରାଜନୈତିକ ଦଳ ଏକାଠି ଛିଡା ହୁଅନ୍ତି। ଏହି ସମୟରେ ଆମ ଦେଶର ପ୍ରତ୍ୟେକ ରାଜନୈତିକ ଦଳ ପାର୍ଥକ୍ୟ ଦେଖନ୍ତି ନାହିଁ । କିନ୍ତୁ ଯେଉଁଭଳି ଛୋଟ ମାନସିକତାର କାମ କରାଯାଉଛି, ଦେଶର ଲୋକମାନେ ଏହାକୁ କେବେ କ୍ଷମା କରିବେ ନାହିଁ ।