ନୂଆଦିଲ୍ଲୀ,୧୭।୩: ଆମେରିକୀୟ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ୍ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନାକୁ ଚୀନ୍ ଖୋଲାଖୋଲି ପ୍ରଶଂସା କରିଛି। ଚୀନ୍ କହିଛି ହାତୀ ଓ ଡ୍ରାଗନ୍ ଏବେ ଏକାଠି ମିଶି ବେଲି ଡ୍ୟାନ୍ସ କରିବା ଏକମାତ୍ର ବିକଳ୍ପ। ପଡକାଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ଭିତରର ସମ୍ପର୍କକୁ ନେଇ ସକାରତ୍ମକ ଟିପ୍ପଣୀ ଦେଇଥିଲେ। ମୋଦି ଚୀନ୍ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଜୋର ଦେଇଥିଲେ। ଏହା ସହ କହିଥିଲେ ପ୍ରତିଯୋଗିତାକୁ ସଂଘର୍ଷରେ ବଦଳାଇବା ଉଚିତ ନୁହେଁ। ମତଭେଦକୁ ବିବାଦରେ ପରିଣିତ କରାନଯାଉ। ଯାହାକୁ ଚୀନ୍ ଖୁବ୍ ପ୍ରଶଂସା କରିଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ ସାମ୍ବାଦିକଙ୍କୁ କହିଛନ୍ତି, ମୁଁ ଏହି କଥା ଉପରେ ଜୋର ଦେବାକୁ ଚାହୁଁଛି ଯେ, ୨୦୦୦ ରୁ ଅଧିକ ବର୍ଷର ଇତିହାସରେ ଦୁଇ ବନ୍ଧୁତାପୂର୍ଣ୍ଣ ଆଦାନ-ପ୍ରଦାନ ରହିଛି। ଦୁଇ ଦେଶ ସଭ୍ୟତାଗତ ଉପଲବ୍ଧି ଓ ମାନବ ପ୍ରଗତିରେ ଯୋଗଦାନ କରି ପରସ୍ପରଠାରୁ ଶିଖିଛନ୍ତି।’ ଉଲ୍ଲେଖନୀୟ ଯେ, ମୋଦି ଏହି ପୋଡକାଷ୍ଟରେ ସାକ୍ଷାତକାର ବେଳେ କହିଥିଲେ, ପୂର୍ବ ଲଦାଖରେ ଦୁଇ ସେନା ଭିତରେ ୨୦୨୦ ରୁ ବିବାଦ କମ୍ କରିବା ପାଇଁ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସହ କଥା ହୋଇଥିଲି। ଆଲୋଚନା ପରେ ନିକଟରେ ଦୁଇ ଦେଶର ସୀମାରେ ସ୍ବାଭାବିକ ସ୍ଥିତି ଫେରିଛି। ତାଙ୍କ ସରକାର ଏହା ସୁନିଶ୍ଚିତ କରିବା ଉପରେ ଧ୍ୟାନ ରଖିଛନ୍ତି ଯେ, ମତଭେଦ ବିବାଦରେ ନବଦଳୁ।
ପୋଡକାଷ୍ଟରେ ମୋଦି କହିଥିଲେ ଭାରତ-ଚୀନ୍ ସମ୍ପର୍କ ବହୁ ଶତାବ୍ଦୀର ରହିଛି। ଏକାଠି ମିଶି ଏହି ଦୁଇ ଦେଶ ବିଶ୍ବର ମଙ୍ଗଳରେ ଯୋଗଦାନ କରିଛନ୍ତି। ବହୁ ପୁରୁଣା ସମୟରୁ ଭାରତ ଓ ଚୀନ୍ ଦୁନିଆର ସକଳ ଘରୋଇ ଉତ୍ପାଦରେ ୫୦%ରୁ ଅଧିକ ଯୋଗଦାନ କରୁଥିଲେ। ତେଣୁ ଆମର ସମ୍ପର୍କ ମଧ୍ୟ ଖୁବ୍ ମଜବତୁ।’ ମୋଦିଙ୍କ ଏହି କଥା ଉପରେ ଚୀନ୍ ମୁଖପାତ୍ର କହିଛନ୍ତି, ଭାରତ-ଚୀନ୍ ଏଭଳି ମିଳିତ ଭାବରେ କାମ କରିବା ଦରକାର, ଯେପରି ପରସ୍ପରର ସଫଳତାରେ ଯୋଗଦାନ ଦେବେ। ଦୁଇ ପକ୍ଷ ପାଇଁ ଏକମାତ୍ର ବିକଳ୍ପ ରହିଛି। ତାହା ହେଲା ଡ୍ରାଗନ୍ ଓ ହାତୀ ଭିତରେ ବେଲି ଡ୍ୟାନ୍ସ ଆୟୋଜିତ ହେଉ।’