ଜୟପୁର,୨୭।୧୧: ରାଜସ୍ଥାନରେ ଆଜମେର ଖ୍ବାଜା ମୋଇନୁଦ୍ଧିନ୍ ଚିସ୍ତି ଦରଘାରେ ସଙ୍କଟ ମୋଚନ ମହାଦେବ ମନ୍ଦିର ଥିବା ଦାବି। ଏନେଇ ଆଜମେର ସିଭିଲ କୋର୍ଟରେ ଲଗାଯାଇଥିବା ଆବେଦନକୁ କୋର୍ଟ ଶୁଣିବା ଯୋଗ୍ୟ ବୋଲି କହିଛନ୍ତି। ଏହି ଆବେଦନ ହିନ୍ଦୁ ସେନା ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କ ପକ୍ଷରୁ କରାଯାଇଥିଲା। ସିଭିଲ କୋର୍ଟ(ଓ୍ବେଷ୍ଟ) ଜଜ୍ ମନମୋହନ ଚନ୍ଦେଲ ଏହି ଆବେଦନକୁ ସ୍ବୀକାର କରିଛନ୍ତି।
ଏହି କେସ୍ରେ ଦରଘାର ଏଏସ୍ଆଇ ସର୍ଭେ କରାଯିବାର ଦାବି କରାଯାଇଛି। ଫଳରେ ପ୍ରମାଣ ଏକାଠି କରିହେବ ଆଜମେର ଦରଘା ପ୍ରଥମେ ଶିବ ମନ୍ଦିର ଥିଲା କି ନାହିଁ। କୋର୍ଟ ବୁଧବାର ଶୁଣାଣି କରିବା ପରେ ନୋଟିସ୍ ଜାରି କରିଛନ୍ତି। ଉଲ୍ଲେଖନୀୟ ଯେ, ସମ୍ଭଲରେ ଜାମା ମସଜିଦର ସର୍ଭେର ନିର୍ଦେଶ ପରେ ହୋଇଥିବା ହିଂସା ପରେ ଏବେ ଆଜମେର ଦରଘା ସର୍ଭେକୁ ନେଇ ଆସିଥିବା ଏହି ନିର୍ଦେଶ ଖୁବ୍ ଗୁରୁତ୍ବ ରଖେ।
ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଦାବି କରିଛନ୍ତି, ଆଜମେରର ଦରଘା ପ୍ରଥମେ ହିନ୍ଦୁ ସଙ୍କଟ ମୋଚନ ମନ୍ଦିରରେ ଥିଲା। ଏହାର ସମର୍ଥନରେ ସେ ଦସ୍ତାବିଜ ଓ ସାକ୍ଷ୍ୟ ମଧ୍ୟ ଉପସ୍ଥାନ କରି ଥିଲେ।। ସେ କହିଛନ୍ତି, ୧୯୧୦ରେ ପ୍ରକାଶିତ ‘ହର ବିଳାଶ ଶାରଦା’ର ଏକ ପୁସ୍ତକରେ ମଧ୍ୟ ଏହି ମନ୍ଦିରର ଉଲ୍ଲେଖ ମିଳିଛି। ଗୁପ୍ତା କୋର୍ଟରେ ବିଭିନ୍ନ ଦସ୍ତାବିଜ ମଧ୍ୟ ଆଗତ କରିଥିଲେ ଓ ଦାବି କରିଥିଲେ ଯେ, ଆଜମେର ଦରଘାର ସର୍ବେକ୍ଷଣ କରାଯିବ ଓ ଏହାର ମାନ୍ୟତାକୁ ରଦ୍ଦ କରି ହିନ୍ଦୁ ସମାଜକୁ ଏଠାରେ ପୂଜା କରିବାର ଅଧିକାର ଦିଆଯାଉ। ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଓକିଲ ରାମନିବାସ ବିଷ୍ଣୋଇ ଓ ଇଶ୍ବର ସିଂହଙ୍କ ମାର୍ଫତରେ କୋର୍ଟ ଆବେଦନ କରିଥିଲେ।