ମଧ୍ୟବିତ୍ତଙ୍କ ପାଇଁ ଲକ୍ଷ୍ମୀଲାଭର ଉପହାର ବାଢ଼ି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ବିକାଶରେ ବଡ଼ ଯୋଗଦାନ ଦେଇଆସୁଥିବା ମଧ୍ୟବିତ୍ତଙ୍କ ଉତ୍ଥାନ ପାଇଁ ଏଥର ବଜେଟ୍ରେ ସୁବନ୍ଦୋବସ୍ତ କରାଯାଇଛି । ଅର୍ଥବ୍ୟବସ୍ଥାକୁ ସକ୍ରିୟ କରିବା ପାଇଁ ମୋଦି ସରକାର ଭିତ୍ତିଭୂମି ବିକାଶ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରିବାର ବାଟ ଧରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଦ୍ୱିତୀୟ ବଜେଟ୍ ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି । ଏଥର ବଜେଟ୍ରେ ରେକର୍ଡ ୫୦ଲକ୍ଷ ୬୦ହଜାର କୋଟି ଟଙ୍କାରୁ ଅଧିକ ପାଣ୍ଠି ବରାଦ ହୋଇଛି । ବିତ୍ତୀୟ ଶୃଙ୍ଖଳାକୁ ନିୟମିତ ଧାରାକୁ ଫେରାଇବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ଦ୍ରୁତ ଅଭିବୃଦ୍ଧିର ମାନଚିତ୍ର ଆଙ୍କିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ବିକାଶ କ୍ଷମତାକୁ ଉନ୍ମୁକ୍ତ କରିବା ଉଦ୍ଦେଶ୍ୟରେ ୩ଟି କ୍ଷେତ୍ର (କୃଷି, ଏମଏସଏମଇ ଓ ନିବେଶ) କୁ ବିକାଶର ଇଞ୍ଜିନ ଭାବେ ନିଆଯାଇଛି । ଏଗୁଡ଼ିକୁ ବଳଶାଳୀ କରାଗଲେ ଦ୍ରୁତ ବିକାଶ ଅବଶ୍ୟମ୍ଭାବୀ ।
ଦ୍ୱିତୀୟ ଇଞ୍ଜିନ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଶିଳ୍ପ (ଏମଏସଏମଇ)କୁ ଗତିଶୀଳ କରିବା ପାଇଁ ସୂକ୍ଷ୍ମ ଉଦ୍ୟୋଗୀଙ୍କୁ ୫ଲକ୍ଷ ଟଙ୍କିଆ କ୍ରେଡିଟ କାର୍ଡ ଯୋଗାଇ ଦିଆଯିବ । ଉଦ୍ୟୋଗ ଆରମ୍ଭ କରୁଥିବା ମହିଳା, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଉଦ୍ୟୋଗୀଙ୍କୁ ୨କୋଟି ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଚମଡ଼ା ସାମଗ୍ରୀ ଓ ଖେଳଣା ପ୍ରସ୍ତୁତ କରୁଥିବା ଛୋଟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ଆମଦାନୀ ଶୁଳ୍କ ରିହାତି ସହ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି । ଏହି ଶିଳ୍ପ ମାଧ୍ୟମରେ ୨୨ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟିହେବ । ଏଥିରୁ ୪ଲକ୍ଷ କୋଟି ଟଙ୍କାର ବ୍ୟବସାୟ ଉଭା ହେବ । ବିକାଶର ବିଭିନ୍ନ ଅଙ୍ଗକୁ ବଳଶାଳୀ କରିବା ପାଇଁ ପୁଞ୍ଜିନିବେଶ ଉପରେ ଏହି ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି । ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରାଜ୍ୟଗୁଡ଼ିକ ପାଇଁ ଦେଢ଼ଲକ୍ଷ କୋଟି ଟଙ୍କାର ଋଣ ପାଣ୍ଠି ଗଠନ କରାଯାଇଛି । ଏଥିରୁ ୫୦ବର୍ଷ ଲାଗି ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ । ଅବ୍ୟବହୃତ ଓ ଅଦରକାରୀ ସରକାରୀ ସମ୍ପତ୍ତିକୁ ବିକି ଆଗାମୀ ୫ବର୍ଷ ଭିତରେ ୧୦ଲକ୍ଷ କୋଟି ଟଙ୍କା ଉଠାଯିବ, ଯାହା ଭିତ୍ତିଭୂମି ବିକାଶ ନିମନ୍ତେ ବିନିଯୋଗ କରାଯିବ ବୋଲି ବଜେଟ୍ରେ ଲକ୍ଷ୍ୟ ରଖାଯାଇଛି ।
ମଧ୍ୟବିତ୍ତଙ୍କ ପାଇଁ ଲକ୍ଷ୍ମୀଲାଭର ଉପହାର ବାଢ଼ି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ବିକାଶରେ ବଡ଼ ଯୋଗଦାନ ଦେଇଆସୁଥିବା ମଧ୍ୟବିତ୍ତଙ୍କ ଉତ୍ଥାନ ପାଇଁ ଏଥର ବଜେଟ୍ରେ ସୁବନ୍ଦୋବସ୍ତ କରାଯାଇଛି । ଅର୍ଥବ୍ୟବସ୍ଥାକୁ ସକ୍ରିୟ କରିବା ପାଇଁ ଏତେଦିନ ଯାଏଁ ମୋଦି ସରକାର ଭିତ୍ତିଭୂମି ବିକାଶ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରିବାର ବାଟ ଧରିଥିଲେ । ଏଥର ମୋଦି ସରକାର ଆୟକର ରିହାତି ଦେଇ ମଧ୍ୟବିତ୍ତଙ୍କ ହାତକୁ ଅଧିକ ନଗଦ ଟଙ୍କା ଆସିବାର ବାଟ ଧରିଲେ । ଏହାଫଳରେ ବଜାରରେ କିଣାବିକା ବଢ଼ିବ । ଏହାର ପ୍ରଭାବରେ ଅର୍ଥବ୍ୟବସ୍ଥା ଚାଙ୍ଗା ହେବ । ତେଣୁ ବଜେଟ୍ରେ ଘୋଷିତ ପ୍ରସ୍ତାବ ଅନୁସାରେ ବର୍ଷକୁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ ଏବେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ବେତନଭୋଗୀଙ୍କ କ୍ଷେତ୍ରରେ ୭୫ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଶିଲେ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରମୁକ୍ତ ହୋଇଯିବ । ଟିକସ ରିହାତି ମାଧ୍ୟମରେ ମଧ୍ୟବିତ୍ତଙ୍କ ପକେଟକୁ ଅଧିକ ଟଙ୍କା ଆସିବ, ଯାହା ଲୋକଙ୍କ କ୍ରୟ କ୍ଷମତା ବଢ଼ାଇବ । ଉପଭୋକ୍ତାଙ୍କ ବ୍ୟୟ ବୃଦ୍ଧି ହେଲେ ତାହା ବିଭିନ୍ନ ସାମଗ୍ରୀର ଚାହିଦା ଓ ଉତ୍ପାଦନ ବଢ଼ାଇବାରେ ସହାୟକ ହେବ । ବିକାଶ ତ୍ୱରାନ୍ୱିତ ହେବ, ବିକଶିତ ଭାରତ ଗଢ଼ିବାର ମାର୍ଗ ପ୍ରଶସ୍ତ ହେବ । କେବଳ ମଧ୍ୟବିତ୍ତ ନୁହଁନ୍ତି, ଚାଷୀ, ଯୁବଗୋଷ୍ଠୀ ଓ ମହିଳାଙ୍କ ପାଇଁ ନାନା ସୁବିଧା ସୁଯୋଗର ସିଂହଦ୍ୱାର ଖୋଲି ଦେଇଛନ୍ତି ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ପ୍ରସ୍ତାବରେ । ରିହାତିଯୁକ୍ତ କୃଷି ଋଣ ଉଠାଣ ସୀମାକୁ ୫ଲକ୍ଷ ଟଙ୍କା ଯାଏଁ ବଢ଼ାଯାଇଛି । କମ୍ ଉତ୍ପାଦନଶୀଳତା ଥିବା ଶହେଟି ଜିଲ୍ଲାର ୧କୋଟି ୭୦ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯିବ ।
ଡାଲିଜାତୀୟ ଶସ୍ୟରେ ଆତ୍ମନିର୍ଭର ହେବା ଲାଗି ଆରମ୍ଭ ହେବ ଡାଲି ମିଶନ । ଉଚ୍ଚ ଉତ୍ପାଦନଶୀଳତା ଥିବା ବିହନ ବିକାଶ ପାଇଁ ଜାତୀୟସ୍ତରରେ କାର୍ଯ୍ୟକ୍ରମ ହେବ । କୃଷି ଆମ ଦେଶର ମେରୁଦଣ୍ଡ । ଏହା ଉପରେ ସିଂହଭାଗ ଲୋକ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି । ଗ୍ରାମୀଣ ଭାରତ ପାଇଁ ଏହା ରୋଜଗାରର ବଡ଼ ଖୋରାକ ଯୋଗାଉଛି । ଏଣୁ ଅର୍ଥମନ୍ତ୍ରୀ କୃଷିକ୍ଷେତ୍ର ଉପରେ ଅଧିକ ଫୋକସ କରିଛନ୍ତି । କେନ୍ଦ୍ର ସରକାର ୨୦୨୪-୨୫ ବଜେଟ୍ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖିଥିଲେ । ପରେ ଏହାକୁ ୧.୪୦ ଲକ୍ଷ କୋଟି ଟଙ୍କାକୁ ସଂଶୋଧିତ କରାଯାଇଥିଲା । ଏଥର ସାଧାରଣ ବଜେଟ୍ରେ ଅର୍ଥମନ୍ତ୍ରୀ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ନିମନ୍ତେ ୧.୭୧ ଲକ୍ଷ କୋଟି ଟଙ୍କାର ବରାଦ ରଖିଛନ୍ତି । ଏହି ହିସାବରେ ଏଥର କୃଷି ବଜେଟ୍ ୩୧ହଜାର କୋଟି ଟଙ୍କା ବା ପ୍ରାୟ ୨୦ ଶତାଂଶ ବୃଦ୍ଧିପାଇଛି ।
ଯୁବଗୋଷ୍ଠୀକୁ ଆନ୍ତର୍ଜାତିକ ସ୍ତରରେ କୁଶଳୀ କରିବାକୁ ୫ଟି ଜାତୀୟ ସେଣ୍ଟର ଅଫ ଏକ୍ସଲେନ୍ସର ବିକାଶ କରାଯିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ଭାବନ ଓ ନବ୍ୟ ରଚନାକୁ ବଢ଼ାଇବା ଲାଗି ୫୦ହଜାର ସରକାରୀ ସ୍କୁଲରେ ଅଟଳ ଟିକରିଂ ଲାବରେଟୋରି ପ୍ରତିଷ୍ଠା କରାଯିବ । ସବୁ ସରକାରୀ ମାଧ୍ୟମିକ ସ୍କୁଲ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଦିଆଯିବ, ଆସନ୍ତା ୫ବର୍ଷରେ ଡାକ୍ତରୀ ଶିକ୍ଷା ପାଇଁ ୭୫ହଜାର ସିଟ୍ ଖୋଲାଯିବ । ପ୍ରତି ଜିଲ୍ଲା ହସ୍ପିଟାଲରେ କ୍ୟାନ୍ସର କେୟାର ସେଣ୍ଟର ଖୋଲାଯିବ । ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ଜରିଆରେ ପୁଷ୍ଟିସାଧନ ପରିସରକୁ ବୃଦ୍ଧି କରାଯିବ । ଜଳ ଜୀବନ ମିଶନକୁ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି । ବିମାନ ଯୋଗାଯୋଗ କ୍ଷମତା ବଢ଼ାଇବା ପାଇଁ ୧୨୦ଟି ନୂଆ କେନ୍ଦ୍ରକୁ ଉଡ଼ାଣ ସୁବିଧା ସହ ଯୋଡ଼ାଯିବ । ୫୦ଟି ପର୍ଯ୍ୟଟନ କେନ୍ଦ୍ରକୁ ଯୁଦ୍ଧକାଳୀନ ଭିତ୍ତିରେ ବିକାଶ କରିବାକୁ ପ୍ରସ୍ତାବ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏଥର ବଜେଟ୍ରେ ଗ୍ରାମୀଣ ବିକାଶ ନିମନ୍ତେ ୨.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଗ୍ରାମାଞ୍ଚଳର ଭିତ୍ତିଭୂମି ଢାଞ୍ଚାକୁ ମଜଭୁତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । କ୍ଷୁଦ୍ରଚାଷୀ ଓ ଗ୍ରାମୀଣ ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବାକୁ ଉଦ୍ୟମ ହୋଇଛି ।
ଅନୁସୂଚିତ ଜାତି ଓ ଜନଜାତିର ମହିଳା ଏମଏସଏମଇ ଉଦ୍ୟୋଗୀ ହୋଇଥିଲେ ବିଶେଷ ଋଣ ଯୋଜନାର ସୁବିଧା ପାଇବେ । ପ୍ରଥମ ଥର ଉଦ୍ୟୋଗୀ ହେଉଥିବା ମହିଳାଙ୍କୁ ୨ କୋଟି ଟଙ୍କା ଟର୍ମ ଲୋନ୍ ମିଳିବ ।
କେଉଁ ବିଭାଗକୁ କେତେ ଟଙ୍କା: ପ୍ରତିରକ୍ଷା-୪,୯୧,୭୩୨ କୋଟି, ଗ୍ରାମୀଣ ବିକାଶ- ୨,୬୬,୮୧୭ କୋଟି, ଗୃହ ମନ୍ତ୍ରଣାଳୟ- ୨,୩୩,୨୧୧ କୋଟି, କୃଷି-୧,୭୧,୪୩୭ କୋଟି, ଶିକ୍ଷା- ୧,୨୮,୬୫୦ କୋଟି, ସ୍ୱାସ୍ଥ୍ୟ- ୯୮,୩୧୧ କୋଟି, ନଗର ଉନ୍ନୟନ- ୯୬,୭୭୭ କୋଟି, ସୂଚନା ଓ ପ୍ରଯୁକ୍ତିବିଦ୍ୟା- ୯୫,୨୯୮ କୋଟି, ଶକ୍ତି- ୮୧,୧୭୪ କୋଟି, ବାଣିଜ୍ୟ ଓ ଉଦ୍ୟୋଗ – ୬୫,୫୫୩ କୋଟି, ସମାଜ କଲ୍ୟାଣ- ୬୦,୦୫୨ କୋଟି, ବିଜ୍ଞାନ ବିଭାଗ- ୫୫,୬୭୯ କୋଟି ।
ରେଳ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା: ଏଥର କେନ୍ଦ୍ର ବଜେଟ୍ରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩୪୪୫ କୋଟି ଟଙ୍କା ରାଜସ୍ୱ ଏବଂ ୨,୫୪,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ । ତେଣୁ ରେଳ ବଜେଟରେ ମୋଟ୍ ୨ଲକ୍ଷ ୫୫ହଜାର ୪୫୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୪-୨୫ରେ ୨.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଟ୍ରେନରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ଓ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ ନିର୍ମାଣ ଲାଗି ବଜେଟ୍ରେ ବ୍ୟବସ୍ଥା କରାଯାଇଛି ।
ଲଗାତାର ତୃତୀୟ ଆର୍ଥିକ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୧୦ହଜାର କୋଟିରୁ ଅଧିକ ଟଙ୍କା ମିଳିଛି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ପରେ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୨୦୨୫- ୨୬ ଆର୍ଥିକ ବର୍ଷରେ ୧୦ହଜାର ୫୯୯କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହାକି ରେଳ ଇତିହାସରେ ଏକ ରେକର୍ଡ଼ । ଏହା ପୂର୍ବରୁ କୌଣସି ବି କେନ୍ଦ୍ର ସରକାରଙ୍କ ସମୟରେ ଓଡ଼ିଶାକୁ ଏତେ ଟଙ୍କା ମିଳିନଥିଲା । ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ମିଳିବା ବଡ଼ କଷ୍ଟକର ହୋଇପଡ଼ୁଥିଲା । ଗତ କିଛିବର୍ଷର ପରିସଂଖ୍ୟାନକୁ ଓଲଟାଇଲେ ଜଣାପଡ଼େ ଯେ, ୨୦୨୪-୨୫ ଆର୍ଥିକ ବର୍ଷରେ ୧୦,୫୮୬ କୋଟି, ୨୦୨୩-୨୪ରେ ୧୦,୦୧୨ କୋଟି, ୨୦୨୨-୨୩ରେ ୯,୭୩୪ କୋଟି ଏବଂ ୨୦୨୧– ୨୨ ଆର୍ଥିକ ବର୍ଷରେ ୫,୫୨୮ କୋଟି ଟଙ୍କା ଓଡ଼ିଶା ପାଇଥିଲା । ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୨୩କୁ ବିଚାରକୁ ନେଲେ ରେଳ ବଜେଟ୍ରେ ଓଡ଼ିଶା ପାଇଁ ବ୍ୟୟବରାଦ ବହୁ ପରିମାଣରେ ବୃଦ୍ଧିପାଇଛି ।
ଅର୍ଥନୈତିକ ସଂସ୍କାର: ଅଭିବୃଦ୍ଧିକୁ ସହାୟକ ହେବାପାଇଁ ଅର୍ଥମନ୍ତ୍ରୀ ସୀତାରମଣ ୨୦୨୫-୨୬ରେ ସରକାରୀ ପୁଞ୍ଜି ବ୍ୟୟରେ ୧୦ଶତାଂଶ ବୃଦ୍ଧି ମଧ୍ୟ କରିବାକୁ ଯାଉଛନ୍ତି । ମଧ୍ୟମବର୍ଗ ପାଇବାକୁ ଥିବା ଆୟକର ରିହାତି ଯୋଗୁଁ ସେମାନଙ୍କ ପାଖରେ ବଜାରରେ ଖର୍ଚ୍ଚ କରିବା ପାଇଁ ଅଧିକ ଉଦ୍ବୃତ୍ତ ଆୟ ଉପଲବ୍ଧ ହେଲେ ତାହା ଚାହିଦାରେ ବୃଦ୍ଧି ଘଟାଇ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ଦେଶରେ ଆବଶ୍ୟକ ହେଉଥିବା ଆର୍ଥିକ ସଂସ୍କାରକୁ ଆଗେଇ ନେବା ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ବଜେଟରେ ପ୍ରସ୍ତାବ ରଖିଛନ୍ତି । ନୂତନ ଆୟକର ବିଲ୍, ରପ୍ତାନି ପାଇଁ ଉଦ୍ଦିଷ୍ଟ "ଭାରତ ଟ୍ରେଡ୍ ନେଟ୍', "ଜନ ବିଶ୍ୱାସ ବିଲ୍ ୨.୦', "ବ୍ୟବସାୟ ଏକୀକରଣ' (ମର୍ଜର)ର ଦ୍ରୁତ ଅନୁମୋଦନ, କେୱାଇସି ନିୟମରେ ସଂଶୋଧନ, ଜୀବନ ରକ୍ଷାକାରୀ ଔଷଧ ଉପରୁ ମୌଳିକ ଆମଦାନୀ ଶୁଳ୍କ ଉଚ୍ଛେଦ, ବୀମା କ୍ଷେତ୍ରରେ ବୈଦେଶିକ ପୁଞ୍ଜିନିବେଶ ସୀମାରେ ବୃଦ୍ଧି ଘଟାଇ ୧୦୦ ଶତାଂଶରେ ନିର୍ଦ୍ଧାରଣ, ଷ୍ଟାର୍ଟଅପ୍ ପରିବେଶକୁ ସହାୟତା ପ୍ରଦାନ, ଏମଏସଏମଇ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ପ୍ରଦାନ ଏହି ସଂସ୍କାର ଉଦ୍ୟମର ଅଂଶବିଶେଷ । ଏହା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ସମୟୋଚିତ ପଦକ୍ଷେପ ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଜେଟ୍କୁ ପ୍ରଶଂସା କରି ଯଥାର୍ଥରେ କହିଛନ୍ତି, ଏହା ହେଉଛି ସାଧାରଣ ଲାକଙ୍କ ବଜେଟ୍ । ଏହା ଲୋକଙ୍କ ସଞ୍ଚୟ ଓ ନିବେଶ ବଢ଼ାଇବ । ଏହା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ରାସ୍ତା ଖାଲିଦେବା ସହ ଦେଶର ସ୍ୱପ୍ନ ପୂରଣ ହେବ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସାଧାରଣତଃ ସରକାରଙ୍କ ରାଜକୋଷକୁ କିପରି ପୂରଣ କରାଯିବ, ତାହା ଉପରେ ବଜେଟ୍ରେ ଧ୍ୟାନ ଦିଆଯାଇଥାଏ । କିନ୍ତୁ ଏହି ବଜେଟ୍ରେ ନାଗରିକଙ୍କ ପକେଟ କିପରି ପୂରଣ କରାଯିବ, ସଞ୍ଚୟ ବୃଦ୍ଧିପାଇବ ଏବଂ ଦେଶର ବିକାଶରେ ସେମାନଙ୍କୁ କିଭଳି ସହଭାଗୀ କରାଯିବ, ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏହି ବଜେଟ୍ରେ ୧୪୦ କୋଟି ଭାରତୀୟଙ୍କ ଆଶା ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କେନ୍ଦ୍ର ବଜେଟ୍ ସମ୍ପର୍କରେ ମତ ଦେବାକୁ ଯାଇ "ଏହା ପ୍ରତ୍ୟେକ କ୍ଷେତ୍ରରେ ଏକ ବିକଶିତ ଓ ସମୃଦ୍ଧ ଭାରତ ଗଠନ ପାଇଁ ମୋଦି ସରକାରଙ୍କ ଦୂରଦୃଷ୍ଟିର ଏକ ରୂପରେଖ' ବୋଲି କହିଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ବଜେଟ୍ ସମ୍ପର୍କରେ କହିଛନ୍ତି, ଏହା ଦେଶର ପ୍ରଗତି ଓ ବିକାଶକୁ ଆଗକୁ ନେବ । ଓଡ଼ିଶା ପାଇବ ଅଧିକ ୧୬ ହଜାର କୋଟି: କେନ୍ଦ୍ରୀୟ ଟିକସରେ ରାଜ୍ୟଭାଗ ବାବଦରେ ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାକୁ ୯,୧୭୬ କୋଟି ଟଙ୍କା ଅଧିକ ମିଳିବ । କେନ୍ଦ୍ରୀୟ ଅନୁଦାନ ପାଖାପାଖି ୧୮ ଶତାଂଶ ବଢ଼ିପାରେ । ଏ ବାବଦରେ ରାଜ୍ୟକୁ ବଜେଟ୍ରୁ ଅଧିକ ୬୭୯୮ କୋଟି ଟଙ୍କା ମିଳିବ । ସେହିପରି ଗତବର୍ଷ ତୁଳନାରେ ଏବର୍ଷ କେନ୍ଦ୍ରରୁ ମୋଟ୍ ୧୫ହଜାର ୯୭୪କୋଟି ଟଙ୍କା ଅଧିକ ମିଳିବ । ସବୁ ଦିଗରୁ ବିଚାର କଲେ ଏଥର ବଜେଟ୍ରେ ସବ୍କା ସାଥ୍ ସବ୍କା ବିକାଶର ଭୂରି ଭୂରି ମହକ ଅଛି।