ଆସିକା,୧୬/୦୧: ରାଇପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ନିଜ ମାଆ ପେଟର ଭଉଣୀକୁ ଶିଳରେ ଛେଚିବା ସହ ଛୁରୀରେ ଗଳା କାଟି ନିର୍ମମ ଭାବେ ହତ୍ୟା କଲା ଭାଇ । ମୃତ ଭଉଣୀ ଜଣଙ୍କ ହେଲେ ୩୫ ବର୍ଷୀୟ ଲକ୍ଷ୍ମୀ ମହାନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଗୁଣ୍ଠପଡ଼ା ପଞ୍ଚାୟତ ରାଇପଲ୍ଲୀ ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଲକ୍ଷ୍ମୀ ମହାନ୍ତି ଦୀର୍ଘ ଦିନ ହେଲା ନିଜ ମାଆ ତନୁ ପାତ୍ର ଘରେ ରହି ଆସୁଥିଲେ । ତେବେ ଗୁରୁବାର ସକାଳେ ମଝିଆ ଭାଇ ବାବାଜୀ ପାତ୍ର ଘରକୁ ଆସିବା ସହ ଭଉଣୀକୁ ମୋବାଇଲ ମାଗିଥିଲା । ପରେ ଘରର କବାଟ ଦେଇ ଭିତରକୁ ଆସିବା ପରେ ପ୍ରଥମେ ଶିଳରେ ଭଉଣୀର ମୁଣ୍ଡକୁ ଛେଚିଥିଲେ । ଏହା ପରେ ଏକ ଛୁରୀରେ ଭଉଣୀର ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିଲେ । କଷ୍ଟରେ ଭଉଣୀ ଲକ୍ଷ୍ମୀ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ମାଆ ଏବଂ ପଡ଼ୋଶୀ ଘର ଲୋକେ ଦୌଡ଼ି ଆସି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ପୋଲିସ । ତେବେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି ।