ନୂଆଦିଲ୍ଲୀ: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ପାକିସ୍ତାନର ଖୈବର ପଖତୁନଖ୍ବାରେ। ଅଖୋରା ଖଟ୍ଟକ ସ୍ଥିତ ଦାରୁଲ ଅଲୁମ ହକ୍କାନିଆ ମଦ୍ରାସାରେ ଶୁକ୍ରବାର ନମାଜ ଚାଲିଥିବା ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଯେଉଁଥିରେ ୧୬ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣରେ ଜମୀୟତ ଉଲେମା-ଏ-ଇସଲାମ-ସମୀ (JUI-S)ର ମୁଖ୍ୟ ମୌଲାନା ହମୀଦୁଲ ହକ ହକ୍କାନୀଙ୍କ ମୃତ୍ୟୁ ହୋଇଛି। ସେ ପୂର୍ବତନ JUI-Sର ମୁଖ୍ୟ ତଥା ‘ତାଲିବାନର ଜନକ’ କୁହାଯାଉଥିବା ମୌଲାନା ସମୀଉଲ ହକ ହକ୍କାନୀଙ୍କ ପୁଅ ବୋଲି ଜଣାପଡିଛି।
ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୌଲାନା ହମିଦୁଲ ହକ ହକ୍କାନୀ ନମାଜ ସମୟରେ ମସଜିଦର ପ୍ରଥମ ଧାଡ଼ିରେ ରହି ନମାଜ ପାଠ କରୁଥିଲେ। ଏଥିରୁ ସେ ଆକ୍ରମଣକାରୀଙ୍କ ମୁଖ୍ୟ ଟାର୍ଗେଟରେ ଥିଲେ ବୋଲି ଅନୁମାନ କରାଯାଉଛି। ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳରେ ହଇ ଚଇ ସୃଷ୍ଟି ହୋଇଥିଲା। ଭବର ପାଇ ପୋଲିସ ମଧ୍ୟ ଘଟଣାସ୍ତଳରେ ପହଞ୍ଚିଥିଲା।
ବରିଷ୍ଠ ପୋଲିସ ଅଧିକାରି ଅବଦୁଲ ରଶିଦ ଦେଇଥିବା ସୂଚନା ଅନୁଯାୟୀ, ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ ଯାଏଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି। କିନ୍ତୁ ଯେଉଁ ମଦ୍ରାସାରେ ବିସ୍ଫୋରଣ ହୋଇଛି, ତାହା ଆଫଗାନ ତାଲିବାନ ସହ ଜଡ଼ିତ ଥିଲା ବୋଲି କୁହାଯାଉଛି। ଏହି କାରଣରୁ ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନର ଷଡ଼ଯନ୍ତ୍ର ଥାଇପାରେ ବୋଲି ଆଶଙ୍କା କରାଯାଉଛି। ଘଟଣା ରମଜାନର ପବିତ୍ର ମାସର ଆରମ୍ଭରୁ ଘଟିଛି। ଆସନ୍ତା ଶନିବାର କିମ୍ୱା ରବିବାର ଦିନ ଆକାଶରେ ଜହ୍ନ ଦେଖାଯିବା ପରେ ରମଜାନ ଆରମ୍ଭ ହେବାକୁ ଯାଉଛି।