ନିଶ୍ଚିନ୍ତକୋଇଲି, ୨୯/୦୫: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଝାଡ଼େଶ୍ୱରପୁର ଗ୍ରାମପଞ୍ଚାୟତ କୁସୁମଣ୍ଡଳ ଗୋପୀନାଥପୁର (ମନାନ ଗଡା) ଠାରେ ଅଘଟଣ । ଏକ କୋଠା ଘରେ ବୋମା ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଘରଟି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଖବର ପାଇ ନେମାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ କୁସୁମଣ୍ଡଳ ଗୋପୀନାଥପୁର ଗାଁରେ ଥିବା ଏକ କୋଠାଘରେ କିଛି ଅପରାଧୀ ଯୋଜନା ବଦ୍ଧ ଭାବେ ବୋମା ଭିଡୁଥିଲେ । ଏହି ସମୟରେ ଆକସ୍ମିକ ଭାବେ ବୋମା ବିସ୍ଫୋରଣ ଘଟିଥିଲା । ଫଳରେ ଘରଟି ସମ୍ପୂର୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ ଉକ୍ତ ଘରେ ରହୁଥିବା ଜଣେ ଅଜଣା ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ । ବୋମା ବିସ୍ଫୋରଣର ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁତର ଆହତଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଉଦବେଗଜନକ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।