ଝାରସୁଗୁଡା, ୨୫/୧୦: କୋଇଲା ନେବାକୁ ଆସିଥିବା ରେଳଡବାରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଛତିଶଗଡ଼ ଅଗଲତାରାରୁ କୋଇଲା ନେବା ପାଇଁ ବିଓସିଏମ ସାଇଡିଂ ନମ୍ବର ୩ କୁ ଏହି ରେଳଡବାଟି ଆସିଥିଲା ।
ସୂଚନା ମୁତାବକ, କୋଇଲା ନେବା ପାଇଁ ଏକ ରେଳଡବା ଛତିଶଗଡ଼ ଅଗଲତାରାରୁ ଝାରସୁଗୁଡା ଏମସିଏଲ ଲଖନପୁର ଖଣିକ୍ଷେତ୍ରର ବିଓସିଏମ ସାଇଡିଙ୍ଗ ନମ୍ବର ୩କୁ ଆସିଥିଲା । ଏହି ରେଳଡବାରେ କୋଇଲା ବୋଝେଇ କରିବା ସମୟରେ କର୍ମଚାରୀମାନେ ଏକ ଅଖା ପଡିଥିବାର ଦେଖିଥିଲେ । ଉକ୍ତ ଅଖାରେ ଜଣେ ମହିଳାଙ୍କ ମୃତଦେହ ରହିଥିବାର ଦେଖିଥିଲେ । ଏହା ଦେଖି ତୁରନ୍ତ ରେଳବାଇ ପୋଲିସକୁ ଖବର ଦେଇଥିଲେ ରେଳ ବିଭାଗର କର୍ମଚାରୀ । ଖବର ପାଇ ଘଟଣାସ୍ଥଳରେ ରେଳବାଇ ପୋଲିସ ଏବଂ ଝାରସୁଗୁଡା ଜିଲ୍ଲା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ ।