ନରସିଂହପୁର,୦୭/୦୬: କଟକ ଜିଲ୍ଲା ନରସିଂହପୁର ମୁଖ୍ୟ ରାସ୍ତାର ଋଷିପଡା-ସିଆରିଆ ଛକ ନିକଟରେ ପଡ଼ିଛି ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତଦେହ । ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ କାନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସୂଚନା ମୁତାବକ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିଲେ। ସେ ଗତ କିଛି ଦିନ ଧରି ନରସିଂହପୁର ଅଞ୍ଚଳରେ ବୁଲୁଥିବାର ସ୍ଥାନୀୟଲୋକେ ଦେଖିଥିଲେ । ତେବେ ଶନିବାର ସକାଳୁ ମହିଳାଙ୍କ ମୃତଦେହ ରାସ୍ତାରେ ପଡ଼ିଥିବାର ଦେଖି ଲୋକେ କାନପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ମୃତଦେହ ଜବତ କରିଛି ପୁଲିସ । ତେବେ କୌଣସି ଅଜଣା ଗାଡ଼ି ଧକ୍କା ଦେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପୁଲିସ୍ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ଯାଞ୍ଚ କରିବ ବୋଲି ସୂଚନା ରହିଛି ।