ଭୁବନେଶ୍ଵର, ୦୭/୦୫ : ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇଛି । ସିଭିଲ ଡିଫେନ୍ସର ମକଡ୍ରିଲ୍ ପାଇଁ ଏହା କାମ କରିବ । ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ବିଏମସିର ଏହି କଣ୍ଟ୍ରୋଲରୁମ ବୁଲି ତଦାରଖ କରିଛନ୍ତି । ଯୁଦ୍ଧ ପରିସ୍ଥିତି ସମୟରେ ସମ୍ଭାବ୍ୟ ଆକାଶ ମାର୍ଗ ଆକ୍ରମଣରୁ ଧନଜୀବନ ସୁରକ୍ଷା ନିମନ୍ତେ ବିଏମ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ପରାମର୍ଶକ୍ରମେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ।
ବିଏମ୍ସି ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟରରେ ହୋଇଥିବା ପ୍ରସ୍ତୁତି ଖୋର୍ଦ୍ଧା ଜିଲ୍ଲାପାଳ ବୁଲି ଦେଖିଥିଲେ । ଆକ୍ରମଣ ସମୟରେ ତ୍ୱରିତ ପଦକ୍ଷେପ ସହ ଯୋଗଯାଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସମ୍ପର୍କରେ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଛନ୍ତି । ଏହି ଅବସରରେ ବିଏମ୍ସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ କରିବା ସହ ୧୯୨୯ରେ ଯୋଗାଯୋଗ କରିବାକୁ ଜନ ସାଧାରଣଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏଥିପ୍ରତି ସଜାଗ ରହିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମକଡ୍ରିଲ ସମ୍ପର୍କିତ ପ୍ରସ୍ତୁତି ପାଇଁ ଆଲୋଚନା କରିଛନ୍ତି । ଏଥିରେ ଡାକ୍ତରୀ, ଅଗ୍ନିଶମ ସେବା, ସିଭିଲ ଡିଫେନ୍ସ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହଯୋଗର ଆବଶ୍ୟକତା ଥିବା ଦୃଷ୍ଟିରୁ ଏନେଇ ଜିଲ୍ଲାପାଳ ଶ୍ରୀ ରାଣା ଭିଡିଓ କନଫରେନ୍ସି ମାଧ୍ୟମରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ସାଫଲ୍ୟମଣ୍ଡିତ ପ୍ରଧାନ, ଭୁବନେଶ୍ୱର ଉପଜିଲ୍ଲାପାଳ ଡକ୍ଟର ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଖବରଟିକୁ ପଢନ୍ତୁ-ଆଜି ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍, ୪ଟାରେ ଯୁଦ୍ଧ ସାଇରନ୍, ବିମାନ ଆକ୍ରମଣରୁ ବର୍ତ୍ତିବା ପାଇଁ ଦିଆଯିବ ପ୍ରଶିକ୍ଷଣ