ରେଢ଼ାଖୋଲ, ୨୨।୮: ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ରେଢ଼ାଖୋଲରେ ବିଜେଡିର ୧୨ଘଣ୍ଟିଆ ବନ୍ଦ ଡାକରା । ରେଢ଼ାଖୋଲ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ଅବସ୍ଥାକୁ ନେଇ ପ୍ରତିବାଦ ଏବଂ ରାସ୍ତା ଅବରୋଧ ହୋଇଛି । ଶୁକ୍ରବାର ସ୍ଥାନୀୟ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ରେଢ଼ାଖୋଲ ସହର ଭୀମରାଜ ପଥକୁ ସକାଳ ୬ରୁ ଅବରୋଧ କରି ଆନ୍ଦୋଳନ କରାଯାଇଛି । ରାଜପଥର ଦୁରାବସ୍ଥାକୁ ନେଇ ବିଧାୟକ ପୂର୍ବରୁ ଉଦବେଗ୍ ପ୍ରକାଶ କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରି ଆସୁଥିଲେ ।
ଏ ଦିଗରେ ପଦକ୍ଷେପ ନ ନେଲେ ୨୨ ତାରିଖରେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ । ହେଲେ ସରକାର କିମ୍ବା ଏନଏଚଏଆଇ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଶୁକ୍ରବାର ୫୫ନଂ ଜାତୀୟ ରାଜପଥକୁ ଅବରୋଧ କରି ଆନ୍ଦାଳନ କରାଯାଇଛି । ଦାବି ଗୁଡ଼ିକ ମଧ୍ୟରେ ମରଣଯନ୍ତା ପାଲଟିଥିବା ଜାତୀୟ ରାଜପଥର ନିର୍ମାଣ, ରେଢ଼ାଖୋଲ ସହର ଦେଇ କଳକାରଖାନାରୁ ନିର୍ଗତ ବିଷାକ୍ତ ପାଉଁଶ ପରିବହନ ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯିବା ଅବଶ୍ୟକ, ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେବା ପୂର୍ବରୁ ଟୋଲ୍ ଆଦାୟ ବନ୍ଦ କରାଯିବା ଉଚିତ୍, ରାଜପଥର ଆବଶ୍ୟକ ପଡୁଥିବା ସ୍ଥାନରେ ଡ୍ରେନ୍ ନିର୍ମାଣ, ଚାରମାଳଠାରେ ଅଣ୍ଡର ପାସ୍ କିମ୍ବା ପ୍ଲାଏ ଓଭର୍ ନିର୍ମାଣ କରାଯିବା, ବିଭିନ୍ନ ଗ୍ରାମରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସ୍ଥାନ ମାନଙ୍କରେ ଆପ୍ରଚ ରୋଡ୍ ନିର୍ମାଣ କରାଯିବା ସମେତ ବିଭିନ୍ନ ଦାବି କରାଯାଇଛି । ଏଥିରେ ଦଳର ଶତାଧିକ କର୍ମୀ ସାମିଲ ହୋଇଛନ୍ତି ।