କଟକସଦର,୦୩/୦୬: ଦିନ ବେଳା ରାସ୍ତାକଡ଼ରେ ଏକ ଛୋଟିଆ ଦୋକାନରେ ବସି ଫୁଲ ବିକୁଥିଲେ । ସନ୍ଧ୍ୟାରେ ଯାଇ ଆଇପିଏଲ୍ ମ୍ୟାଚ୍ ପୂର୍ବରୁ ମୋବାଇଲ୍ରେ ଅନ୍ଲାଇନ୍ ଗେମିଂ ଆପ୍ରେ କ୍ରିକେଟ୍ ଟିମ୍ ତିଆରି କଲେ । ରାତି ପାହିବା ବେଳକୁ କୋଟିପତି । ପୁଣି ମହିନ୍ଦ୍ରା ଥର୍ ଭଳି ଦାମୀ କାର୍ର ମାଲିକ । ମଧୁପାଟଣା ଥାନା ଅଧୀନ ନୂଆପଡ଼ା ଅଞ୍ଚଳର ଜଣେ ଯୁବ ବ୍ୟବସାୟୀଙ୍କ ଭାଗ୍ୟ କିଛି ଏଭଳି ଢଙ୍ଗରେ ରାତାରାତି ବଦଳିଛି । ଏକ ଅନ୍ଲାଇନ୍ ଗେମିଂ ଆପ୍ରେ ସ୍ୱଳ୍ପ କିଛି ଟଙ୍କା ବିନିଯୋଗରେ ନିଜ ପସନ୍ଦର ଟିମ୍ ତିଆରି କଲା ପରେ ଯୁବ ବ୍ୟବସାୟୀ ତଥା କ୍ରିକେଟ ପ୍ରେମୀ ବିନୋଦ କୋଟିପତି ହୋଇଛନ୍ତି । ଘଟଣାଟି ଆଜି କଟକ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।
ନୂଆପଡ଼ା ମଝିସାହିର ଜାଗୁଳାଇ ମନ୍ଦିର ନିକଟରେ ରହୁଥିବା ଶ୍ୟାମସୁନ୍ଦର ଦାସ ଓ ମାମି ଦାସଙ୍କ ପୁଅ ବିନୋଦ କୁମାର ଦାସ (ଗୁଗୁଲା) ଜଣେ କ୍ରିକେଟ ପ୍ରେମୀ । ପେସାରେ ସେ ଫୁଲ ଦୋକାନୀ । ନୂଆପଡ଼ା ଛକରେ ତାଙ୍କର ଏକ ଛୋଟ ଫୁଲ ଦୋକାନ ଅଛି । କ୍ରିକେଟ୍ ପ୍ରତି ଦୁର୍ବଳତା ରହିଥିବାରୁ ପ୍ରତିଦିନ ଆଇପିଏଲ୍ ମ୍ୟାଚ୍ ଦେଖନ୍ତି । ଏହି କ୍ରମରେ କିଛି ପରିଚିତଙ୍କ ପରାମର୍ଶରେ ସେ ୧୫ ଦିନ ହେବ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏକ ଅନ୍ଲାଇନ୍ ଗେମିଂ ଆପ୍ସ୍ରେ ଟିମ୍ ତିଆରି କରୁଥିଲେ ।
ରବିବାର ଆଇପିଏଲ୍ର କ୍ୱାଲିଫାୟର-୨ ମ୍ୟାଚ୍ ଥିଲା । ସେ ୨୦ଟି କ୍ରିକେଟ ଟିମ୍ ଗଠନ କରି ପ୍ରତି ଟିମ୍ ପିଛା ୪୯ ଟଙ୍କା ହିସାବରେ ମୋଟ ୯୮୦ ଟଙ୍କା ଲଗାଇଥିଲେ । ଖେଳ ଶେଷ ହେଲା ବେଳକୁ ତାଙ୍କର ୪ ନମ୍ବର ଟିମ୍ଟି ସବୁଠୁ ଅଧିକ ସ୍କୋର୍ କରିଥିଲା । ପରେ ତାଙ୍କ ମୋବାଇଲ୍ ସ୍କ୍ରିନ୍ରେ ଦେଖାଇଲା କି ସେ ଉକ୍ତ ଦିନର ‘ମେଗା ୱିନର୍’ ହୋଇଛନ୍ତି । ଅର୍ଥାତ୍ ୩ କୋଟି ଟଙ୍କାର ଅର୍ଥରାଶି ସହ ଏକ ଦାମୀ ମହିନ୍ଦ୍ରା ଥର୍ ଗାଡ଼ି ଜିତିଛନ୍ତି । ଆଉ ଏ ବିଷୟ ଜାଣିବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ବିନୋଦ । ରାତି ୨ଟା ହେଲେ ମଧ୍ୟ ଆଖପାଖରେ ଏହି ଖୁସିର ଖବର ପ୍ରଚାର ହୋଇଯାଇଥିଲା । ଆଉ ସକାଳ ହେଲା ବେଳକୁ ପୂରା କଟକ ସହରରେ ଖବର ନେଇ ଚହଳ ପଡ଼ିସାରିଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାଙ୍ଗସାଥୀ ଫୋନ୍ କରି ବିନୋଦଙ୍କୁ ଶୁଭେଚ୍ଛା ଜଣାଇଥିଲେ ।